ଆସାମ ବନ୍ୟାରେ ୧୦ ମୃତ ; ନାଉ ହୋଇ ବନ୍ୟା ପାଣି ପାର ହେଲେ ବିଜେପି ବିଧାୟକ

ଗୁଆହାଟି : ଆସାମରେ ଦେଖାଯାଇଥିବା ପ୍ରଳୟଙ୍କରୀ ବନ୍ୟାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକ ନିଜର ଘର ଦ୍ବାର ଓ ଚାଷବାସ ହରାଇଛନ୍ତି । ଏପରିସ୍ଥିତିରେ ଶାସକ ବିଜେପିର ଜଣେ ବିଧାୟକଙ୍କ କାର୍ଯ୍ୟକୁ ସମାଲେଚନା କରାଯାଇଛି । ହୋଜାଇ ଜିଲା ଲୁମଡିଙ୍ଗର ବିଧାୟକ ଶିବୁ ମିଶ୍ର ଗୁରୁବାର ବନ୍ୟାଞ୍ଚଳ ପରିଦର୍ଶନ କରିବାବେଳେ ଲୋକଙ୍କ ପିଠିରେ ନାଉ ହୋଇଥିଲେ । ପ୍ରଶାସନର ଡଙ୍ଗାରେ ବସିବା ଲାଗି ବିଧାୟକଙ୍କୁ ଆଣ୍ଠୁଏ ଆଣ୍ଠୁଏ ବନ୍ୟା ପାଣିରେ ଚାଲିବାକୁ ଥିବାବେଳେ ଏହା ନ କରି ସେ ଜଣେ ଉଦ୍ଧାରକାରୀଙ୍କ ପିଟିରେ ନାଉ ହୋଇ ଡଙ୍ଗା ପର୍ଯ୍ୟନ୍ତ ଯାଇଥିଲେ। ବିଧାୟକଙ୍କ ଏପରି କାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାଙ୍କୁ ସମାଲୋଚନା କରାଯାଇଛି। ପ୍ରାକ୍ ମୌସୁମୀ ବର୍ଷା ଆସାମ ବନ୍ୟା ଦେଖାଯାଇଛି। ରାଜ୍ୟର ୨୭ଟି ଜିଲାର ପ୍ରାୟ ୬ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ୧୦ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ରାଜ୍ୟର ୧୪୧୩ଟି ଗ୍ରାମ ପ୍ରଭାବିତ ହୋଇଛି। ବନ୍ୟା ପ୍ରଭାବିତଙ୍କ ପାଇଁ ୨୪୮ଟି ରିଲିଫ ଶିବିର ଖୋଲାଯାଇଛି। ଆସାମ ବ୍ୟତୀତ ଅରୁଣାଚଳ ପ୍ରଦେଶ ଓ ତ୍ରିପୁରାରେ ମଧ୍ୟ ବନ୍ୟା ଦେଖାଯାଇଛି।

Comments are closed.