ବାଘଜନ ତୈଳକୂପ ଅଗ୍ନିକାଣ୍ଡ ଘଟଣାସ୍ଥଳ ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର ପ୍ରଧାନ

ଆସାମ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ

-ପ୍ରଭାବିତ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି
-ଆସାମର ମୁଖ୍ୟମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ କଲେ ଅନୁଧ୍ୟାନ

ଗୁଆହାଟୀ :  ଆସାମ ଗସ୍ତରେ ଥିବା କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଜ୍ୟର ବାଘଜନରେ ହୋଇଥିବା ତୈଳକୂପ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବା ପରେ ରବିବାର ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ସମୀକ୍ଷା ମଧ୍ୟ କରିଛନ୍ତି । ସେହିପରି ଅଗ୍ନିକାଣ୍ଡ ଘଟଣାରେ ପ୍ରଭାବିତ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିବା ପାଇଁ ବାଘଜନ ଅଗ୍ନିକାଣ୍ଡ ଘଟଣାସ୍ଥଳକୁ ପରିଦର୍ଶନ କଲି। ଏହି ଗସ୍ତରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ରାଜ୍ୟର ପରିବହନ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀ ସାମିଲ ହୋଇଥିଲେ । ନିଆଁକୁ ଆୟତ୍ତ କରିବା ଏବଂ ତୈଳକୂପକୁ ବନ୍ଦ କରିବା ପାଇଁ ଚାଲିଥିବା ପରିଚାଳନା କାର୍ଯ୍ୟକୁ ମଧ୍ୟ ଅନୁଧ୍ୟାନ କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ ଯୋଗେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ରିଲିଫ କ୍ୟାମ୍ପରେ ଥିବା ବାଘଜନ ତୈଳକୂପ ଅଗ୍ନିକାଣ୍ଡ ଘଟଣାର ପ୍ରଭାବିତ ପରିବାର ଲୋକଙ୍କୁ ଭେଟିଥିଲେ । ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ପ୍ରଧାନ ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସେମାନଙ୍କ ଜୀବନଜୀବିକାକୁ ପୁନଃସ୍ଥାପିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଏହାବ୍ୟତିତ ଶ୍ରୀ ପ୍ରଧାନ ବାଘଜନ ଗାଁ ମିଲନଜ୍ୟୋତି ଯୁବ ସଂଘକୁ ଭେଟି ସେମାନଙ୍କ ସହ ବିଚାରବିମର୍ଷ କରିବା ପରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହୟତା ଦେବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ଉଲ୍ଲେଖନୀୟ ଯେ,ଶନିବାର ଶ୍ରୀ ପ୍ରଧାନ ଆସାମ ରାଜ୍ୟକୁ ଗସ୍ତ କରିବା ସହ ସେଠାକାର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଏହି ତୈଳକୂପ ଅଗ୍ନିକାଣ୍ଡ ଘଟଣାର ବର୍ତ୍ତମାନ ସ୍ଥିତି ଉପରେ ସମୀକ୍ଷା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ସେଠାରେ ସ୍ଥିତିକୁ ନିୟନ୍ତ୍ରଣ କରିବା ତଥା କ୍ଷତି ଅଧିକ ନହେବା ପାଇଁ ବିଶେଷଜ୍ଞଙ୍କ ପକ୍ଷରୁ ପରିଚାଳନା କାର୍ୟ୍ୟ ଯୋରସୋରରେ ଚାଲିଛି । କମ୍ପାନୀର ଅଧିକାରୀମାନେ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି । ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ।

Comments are closed.