ଆସାମ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ୩ୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ

ଆସାମ ଓ ପଶ୍ଚିମବଙ୍ଗର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ତା’ଛଡ଼ା ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା କେରଳ, ତାମିଲନାଡୁ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଖୁବ୍‍ ଜୋରସୋରରେ ଚାଲିଛି। ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

ଆସାମର ୪୭ଟି ନିର୍ବାଚନ ମଣ୍ଡଳୀ ପାଇଁ ୨୭ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ଟି ଆସନରେ ମଧ୍ୟ ମତଦାନ ହେବ। ଏପ୍ରିଲ୍‍ ପହିଲାରେ ଏହି ଦୁଇ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ତାହା ମଧ୍ୟରୁ ଆସାମର ୩୯ଟି ଆସନ ଓ ପଶ୍ଚିମବଙ୍ଗର ୩୦ଟି ଆସନ ପାଇଁ ଭୋଟ୍‍ ନିଆଯିବ। ଉଭୟ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ୍‍ ୬ ତାରିଖରେ ମତଦାନ ହେବ। ତା’ ମଧ୍ୟରେ ଆସାମର ୪୦ଟି ଆସନ ଓ ପଶ୍ଚିମବଙ୍ଗର ୩୧ଟି ଆସନ ପାଇଁ ଭୋଟ୍‍ ନିଆଯିବ।

ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା କେରଳ, ତାମିଲନାଡୁ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏପ୍ରିଲ ୬ ତାରିଖରେ ମତଦାନ ହେବ। କେରଳର ସମସ୍ତ ୧୪୦ଟି ଯାକ ଆସନ, ତାମିଲନାଡୁର ୨୩୪ଟି ଯାକ ଆସନ ଓ ପୁଡୁଚେରୀର ୩୦ଟି ଯାକ ଆସନରେ ମତଦାନ ହେବ। ଏହା ବ୍ୟତୀତ ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଆସନ ଓ କେରଳର ମାଲାପୁରମ୍‍ ଆସନ ପାଇଁ ଉପନିର୍ବାଚନରେ ଏପ୍ରିଲ୍‍ ୬ ତାରିଖରେ ଭୋଟ୍‍ ଗ୍ରହଣ କରାଯିବ।

Comments are closed.