ଲଖିମପୁର ଖେରି ହିଂସା ଅଭିଯୋଗଫର୍ଦ ଦାଖଲ : ଆଶିଷ ମିଶ୍ର ମୁଖ୍ୟ ଅଭିଯୁକ୍ତ

ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା ଅଭିଯୋଗ ଆରୋପ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାର ଅଭିଯୋଗଫର୍ଦ ଦାଖଲ କରିଛି ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) । ସୋମବାର ଏସ୍‌ଆଇଟି ଦାଖଲ କରିଥିବା ଅଭିଯୋଗଫର୍ଦରେ ୧୪ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିବାବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି । ଆଶିଷଙ୍କ ବିରୋଧରେ ଆଇପିସି ଧାରା ୩୦୨ (ହତ୍ୟା), ୩୦୭ (ହତ୍ୟା ଉଦ୍ୟମ), ୧୪୭ (ଦଙ୍ଗା), ୧୪୮ (ଦଙ୍ଗା, ମାରଣାସ୍ତ୍ର ବ୍ୟବହାର), ୧୨୦ (ଖ) (ଫୌଜଦାରୀ ଷଡଯନ୍ତ୍ର)ରେ ଅଭିଯୋଗ ଆରୋପ କରାଯାଇଛି। ଏହା ସହିତ ଆଇପିସିର ଅନ୍ୟାନ୍ୟ ଧାରା ୧୪୯, ୩୪, ୪୨୭ରେ ମଧ୍ୟ ଅଭିଯୋଗ ଆରୋପ କରାଯାଇଛି।
ଆଶିଷଙ୍କ ବ୍ୟତୀତ ଏହି ହିଂସାର ଅନ୍ୟ ଅଭିଯୁକ୍ତମାନେ ହେଲେ ବୀରେନ୍ଦ୍ର ଶୁକ୍ଳା, ଅଙ୍କିତ ଦାସ, ନନ୍ଦନ ଦାସ, ସତ୍ୟମ୍ ତ୍ରିପାଠୀ, ଶେଖର ଭାରତୀ, ସୁମିତ ଜୟସ୍ବାଲ, ଆଶିଷ ପାଣ୍ଡେ, ଲୁଭକୁଶ, ଶିଶୁପାଳ, ଉଲ୍ଲାସ କୁମାର ତ୍ରିବେଦୀ, ରିଙ୍କୁ ରାଣା, ଲତିଫ ଓ ଧର୍ମେନ୍ଦ୍ର କୁମାର ବଞ୍ଜାରା। ଆଶିଷଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ଆରୋପ କରାଯାଇଛି। ଏହି ୧୪ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ସହିତ ୧୩ଜଣ ଏବେ କାରାଗାରରେ ବନ୍ଦୀ ଅଛନ୍ତି। ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ଆଶିଷଙ୍କ ଜାମିନ ଆବେଦନ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ ଅନ୍ୟମାନେ ନିମ୍ନ ଅଦାଲତରେ ଜାମିନ ଆବେଦନ କରିଛନ୍ତି।
୫୦୦୦ ପୃଷ୍ଠାର ଦୀର୍ଘ ଅଭିଯୋଗଫର୍ଦକୁ ଅନୁଧ୍ୟାନ କରାଯିବା ପରେ ଘଟଣାର ସବିଶେଷ ତଥ୍ୟ ଜଣାପଡିବ ବୋଲି ଓକିଲ ଏସପି ଯାଦବ କହିଛନ୍ତି। ଅଭିଯୋଗଫର୍ଦରୁ ଜଣାଯାଇଛି ଯେ ଅକ୍ଟୋବର ୩ ତାରିଖରେ ଆଶିଷ ମିଶ୍ର ଓ ତାଙ୍କ ସାଥୀଙ୍କ ଗାଡି କୃଷକଙ୍କ ଉପରେ ମାଡି ଯାଇଥିଲା, ଯେଉଁମାନେ କି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିଲେ। କୃଷକଙ୍କ ଉପରକୁ ଅଭିଯୁକ୍ତମାନେ ଗୁଳିମାଡ କରିଥିବା ମଧ୍ୟ ଅଭିଯୋଗଫର୍ଦରେ ଦର୍ଶାଯାଇଛି। ୨୦୨୧ ଅକ୍ଟୋବର ୩ ତାରିଖରେ ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲା ତିକୁନିଆ ଅଞ୍ଚଳରେ ହିଂସାକାଣ୍ଡ ଘଟି ୮ଜଣଙ୍କର ମୃତ୍ୟୁ ହୋଇଥିଲା। କୃଷକମାନେ ଶୋଭାଯାତ୍ରା କରୁଥିବାବେଳେ ସେମାନଙ୍କ ଉପରେ ଆଶିଷ ମିଶ୍ର ଗାଡି ମଡାଇଦେଇଥିଲେ। ଏଥିରେ ୪ଜଣ କୃଷକ ଓ ଜଣେ ସାମ୍ବାଦିକ ପ୍ରାଣ ହରାଇଥିଲେ। ପରେ ଉତ୍ତ୍ୟକ୍ତ କୃଷକଙ୍କ ମାଡରେ ବିଜେପିର ୩ଜଣ କର୍ମୀ ପ୍ରାଣ ହରାଇଥିଲେ। ହିଂସାକାଣ୍ଡର ତଦନ୍ତ ନିମନ୍ତେ ସର୍ବୋଚ୍ଚ ଅଦାଲତ ନଭେମ୍ବର ମାସରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିଥିଲେ।

Comments are closed.