ଆନ୍ତଃ ରାଜ୍ୟ ଗାଡ଼ି ଚୋରି ରାକେଟ ଠାବ; ୨୧ ବାଇକ ଜବତ, ୪ ଗ୍ୟାରେଜ ମାଲିକ ସମେତ ୯ ଗିରଫ

ଆସିକା: ଆନ୍ତଃ ରାଜ୍ୟ ବାଇକ ଚୋରି ରାକେଟକୁ ଧରିଛି ଆସିକା ପୁଲିସ। ଏହି ରାକେଟରେ ସଂପୃକ୍ତି ଅଭିଯୋଗରେ ପୁଲିସ ୪ଜଣ ଗ୍ୟାରେଜ ମାଲିକ ସମେତ ୯ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୧ଟି ବାିକ ଜବତ କରାଯାଇଛି। ଗଞ୍ଜାମ ଓ ଗଜପତି ,ବ୍ରହ୍ମପୁର ପୁଲିସ ଜିଲାର ବିଭିନ୍ନ ସ୍ଥାନରୁ ଆନ୍ତଃ ଜିଲା ବାଇକ ରାକେଟର ସଦସ୍ୟମାନେ ଲଗାତର ବାଇକ ଚୋରି କରୁଥିଲେ।

ଆଜି ଆସିକା ଥାନାରେ ଗଞ୍ଜାମ ଏସପି ବ୍ରିଜେଶ ରାୟଙ୍କ ଉପସ୍ଥିତରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁର ଅଶ୍ୱିନି ନାହକ, ଆସିକା ଥାନା ବରଗାଁର ପ୍ରଶାନ୍ତ ବେହେରା, କାଳିପ୍ରସାଦ ବେହେରା, ଗ୍ୟାରେଜ ମାଲିକ ମାଗୁରାପଲ୍ଲୀ ଗ୍ରାମର ବ୍ରଜରାଜ ବେହେରା, ମଙ୍ଗଳପୁରର ଗ୍ୟାରେଜ ମାଲିକ ମନୋଜ ପ୍ରଧାନ, କରାତଳି ଗ୍ୟାରେଜ ମାଲିକ ଲୋକେଶ ଜେନା, ଆର.ଦାମୋଦରପଲ୍ଲୀ ଗ୍ୟାରେଜ ମାଲିକ ବି.ସୁନିଲକୁମାର ରେଡ୍ଡୀ, ଗାଡି କିଣିଥିବା ଅଭିଯୋଗରେ ନବରତ୍ନପୁର ଗ୍ରାମର ସନ୍ୟାସୀ ଗୌଡ, ଗଜପତି ଜିଲା ରାମଗିରି ପାଇକସାହିର ପିଣ୍ଟୁ କାର୍ଜି ।
ଅଭିଯୁକ୍ତମାନେ ଦକ୍ଷିଣ ଓଡିଶା ତଥା ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜାଗାରୁ ମୋଟରସାଇକେଲ ଚୋରି କରି ଗ୍ୟାରେଜ ମାଲିକଙ୍କୁ କମ ଦାମରେ ବିକ୍ରି କରୁଥିଲେ। ଗ୍ୟାରେଜ ମାଲିକମାନେ ଚୋରି ଗାଡିଗୁଡିକର ଇଞ୍ଜିନ ଖୋଲି ସେଗୁଡିକୁ ବିଭିନ୍ନ କାମ ପାଇଁ ବିକ୍ରି କରୁଥିଲେ। ଚୋରି ମୋଟର ସାଇକେଲଗୁଡିକର ଚେସିସ ଓ ଅନ୍ୟାନ୍ୟ ଯନ୍ତ୍ରପାତି ସ୍ଥାନୀୟ କବାଡି ବାଲାଙ୍କୁ ବିକ୍ରି କରି ଗ୍ୟାରେଜମାଲିକମାନେ ଅର୍ଥ ଉପାର୍ଜନ କରୁଥିଲେ।

ଗିରଫ ଅଭିଯୁକ୍ତମାନଙ୍କୁ ଆସିକା ସବଜେଲକୁ ପଠାଇ ଦିଆଯାଇଛି। ଆସିକା କଲେଜ ଛକ ଚୌଧୁରୀ ନଗରରେ ଦୁଇଜଣ ଲୁଗା ବ୍ୟବସାୟଙ୍କ ଦୁଇଟି ମୋଟର ସାଇକେଲ ଚୋରି ଘଟଣାରେ ଆସିକା ପୁଲିସ କେସ ରୁଜୁ କରି ତଦନ୍ତ କରିବା ବେଳେ ଏହି ରାକେଟକୁ ଠାବ କରିବାରେ ସଫଳ ହୋଇଥିଲା। ସୂଚନାଯୋଗ୍ୟଯେ, ଗତ ୪ ତାରିଖରେ ଆସିକା ଚୌଧୁରୀ ନଗରରୁ ଦୁଇଟି ହିରୋ ହୋଣ୍ଡା ବାଇକ ଚୋରି ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ପ୍ରୋଭିଜିନାଲ ଆଇପିଏସ ଅଫିସର ଜି.ରାଘଭେନ୍ଦ୍ର ଗୁଣ୍ଡାଲା, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତକୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସୂଚନା ପ୍ରଦାନ କରିଥିଲେ। ସାମ୍ବାଦିକ ସମ୍ମିଳନୀ ପରେ ଗଞ୍ଜାମ ଏସପି ବ୍ରିଜେଶ ରାୟ ଆସିକା କୋର୍ଟର ସିଏସଆଇ ଓ ଏସଡିପିଓ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

Comments are closed.