ଏସୀୟ କ୍ରୀଡ଼ା: ସୁଟିଂରେ ରୌପ୍ୟ ଜିତିଲେ ଦୀପକ, ଲକ୍ଷ୍ୟ

0

ପାଲେମ୍‍ବାଙ୍ଗ : ଚଳିତ ଏସୀୟ କ୍ରୀଡ଼ାର ଦ୍ୱିତୀୟ ଦିନରେ ବନ୍ଧୁକଚାଳନା ବିଭାଗରେ ଭାରତ ପାଇଁ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି ଦୀପକ କୁମାର ଓ ଲକ୍ଷ୍ୟ ସେଓରାଁ। ଦୀପକ ପୁରୁଷ ୧୦ ମିଟର ରାଇଫଲ ବିଭାଗ ଓ ଲକ୍ଷ୍ୟ ପୁରୁଷ ଟ୍ରାପ୍‍ ସୁଟିଂରେ ରୌପ୍ୟ ପଦକ ଜିତିବାକୁ ସକ୍ଷମ ହୋଇଥିଲେ।
ପୁରୁଷ ୧୦ ମିଟର ରାଇଫଲ୍‍ ବିଭାଗର ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ଦୀପକ କୁମାର ଓ ରବି କୁମାର ଯାଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହି ଫାଇନାଲ ପର୍ଯ୍ୟାୟକୁ ପ୍ରବେଶ କରିଥିଲେ। ଫାଇନାଲ ପର୍ଯ୍ୟାୟରେ ଦୀପକ ଚମତ୍କାର ପ୍ରଦର୍ଶନ କରିଥିଲେ। ୨୪ ସଟ୍‍ ବିଶିଷ୍ଟ ଫାଇନାଲ ପର୍ଯ୍ୟାୟରେ ଦୀପକ ମୋଟ୍‍ ୨୪୭.୭ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଜିତିଥିବା ବେଳେ ଚୀନ୍‍ର ୟାଙ୍ଗ ହାଓରା୍‍ ୨୪୯.୧ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ତାଇପେର ଲି ସାଓ ଚୁଆନ୍‍ ୨୨୬.୮ ପଏଣ୍ଟ କରି ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ଅନ୍ୟପକ୍ଷରେ ରବି କୁମାର ୨୦ତମ ସଟ୍‍ ମାରି ପଦକ ଦୌଡ଼ରୁ ବାଦ୍‍ ପଡ଼ିଥିଲେ। ସେ ମୋଟ୍‍ ୨୦୫.୨ ପଏଣ୍ଟ ହାସଲ କରିଥିଲେ। ରୌପ୍ୟ ପଦକ ହାସଲ କରିବାକୁ ଦୀପକ ଓ ସାଇ ଚୁଆନ୍‍ଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ତେବେ ଦୀପକ ୧୮ତମ ସଟ୍‍ରେ ୧୦.୯ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଜିତିବା ନିଶ୍ଚିତ କରିଥିଲେ। ରୌପ୍ୟ ପଦକ ଜିତିବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଦୀପକ କହିଥିଲେ ଏସୀୟ କ୍ରୀଡ଼ା ଭଳି ଏକ ବୃହତ ପ୍ରତିଯୋଗିତାରେ ପଦକ ଜିତିଥିବାରୁ ସେ ବେଶ୍‍ ଖୁସି ଅଛନ୍ତି। ପଦକ ଜିତିବାକୁ ସେ କଠୋର ପରିଶ୍ରମ କରିଥିଲେ ଯାହାକି ତାଙ୍କୁ ସଫଳତା ଆଣି ଦେଇଛି।
ଅନ୍ୟପକ୍ଷରେ ପୁରୁଷ ଟ୍ରାପ୍‍ ସୁଟିଂ ବିଭାଗରେ ୧୯ ବର୍ଷୀୟ ଭାରତୀୟ ସୁଟର ଲକ୍ଷ୍ୟ ରୌପ୍ୟ ପଦକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଏହି ବିଭାଗରେ ବରିଷ୍ଠ ସୁଟର ମାନବଜିତ୍‍ ସିଂହ ସାନ୍ଧୁ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ଜିତିବାରୁ ବିଫଳ ହୋଇଛନ୍ତି। ଯୋଗ୍ୟତା ହାସଲ ପର୍ଯ୍ୟାୟରେ ସାନ୍ଧୁ ପ୍ରଥମ ଓ ଲକ୍ଷ୍ୟ ୪ର୍ଥ ସ୍ଥାନରେ ରହି ଫାଇନାଲକୁ ପ୍ରବେଶ କରିଥିଲେ। ଫାଇନାଲ ପର୍ଯ୍ୟାୟରେ ଲକ୍ଷ୍ୟ ସେନ୍‍ ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ। ପ୍ରଥମ ରାଉଣ୍ଡରେ ସେ ୧୫ଟିରୁ ୧୪ଟି ଟାର୍ଗେଟକୁ ସଫଳତା ପୂର୍ବକ ଭେଦ କରିଥିଲେ। ଅନ୍ୟପକ୍ଷରେ ସାନ୍ଧୁ ମାତ୍ର ୧୧ଟି ଟାର୍ଗେଟକୁ ଭେଦ କରିଥିଲେ। ୩୦ଟି ସଟ୍‍ ଶେଷ ବେଳକୁ ଭାରତକୁ ଗୋଟିଏ ପଦକ ମିଳିବ ବୋଲି ନିଶ୍ଚିତ ହୋଇଯାଇଥିଲା। ଲକ୍ଷ୍ୟ ୪୫ଟି ସଟ୍‍ରୁ ୩୯ଟି ଲକ୍ଷ୍ୟକୁ ସଫଳତା ପୂର୍ବକ ଭେଦ କରି ରୌପ୍ୟ ପଦକ ଜିତିଥିଲେ। ଚାଇନିଜ ତାଇପେର କୁନ୍‍ପି ୟାଙ୍ଗ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ଲକ୍ଷ୍ୟଙ୍କୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଟ୍ୱିଟର୍‍ ମାଧ୍ୟମରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave A Reply