ବକ୍ସିଂ: ସେମିଫାଇନାଲରେ ବିକାଶ କୃଷ୍ଣନ୍‌, ଅମିତ ପାନ୍‌ଗଲ

0

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାର ପୁରୁଷ ବକ୍ସିଂର ସେମିଫାଇନାଲକୁ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ବିକାଶ କୃଷ୍ଣନ୍‍ ଓ ଅମିତ ପାନ୍‍ଗଲ। ଦୁଇ ବକ୍ସର ସେମିଫାଇନାଲରେ ପ୍ରବେଶ କରିଥିବାରୁ ସେମାନେ ଅତିକମ୍‍ରେ ବ୍ରୋଞ୍ଜ୍‍ ପଦକ ଜିତିବା ନିଶ୍ଚିତ ହୋଇଯାଇଛି।
୭୫ କେଜି ବିଭାଗ କ୍ୱାର୍ଟର ଫାଇନାଲରେ ବିକାଶ ଚୀନ୍‍ର ବକ୍ସର ଟୁହେତା ଏରବିକେ ଥାଙ୍ଗଲାଥିଆନ୍‍ଙ୍କୁ ୩-୨ ନିଷ୍ପତ୍ତିରେ ପରାସ୍ତ କରିଥିଲେ। ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚ୍‍ ଖେଳୁଥିବା ବେଳେ ବିକାଶଙ୍କ ବାମ ଆଖିର ଉପରଭାଗରେ ଆଘାତ ଲାଗିଥିଲା। ସେ କ୍ୱାର୍ଟର ଫାଇନାଲରେ ଭଲ ପ୍ରଦର୍ଶନ କରିବେ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଚୀନ୍‍ର ବକ୍ସର ବେଶ୍‍ ଭଲ ଫର୍ମରେ ଥିଲେ। ଚୀନ୍‍ ବକ୍ସର ମୂଳରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ତେବେ ମ୍ୟାଚ୍‍ ଶେଷଭାଗରେ ବିକାଶ ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷ ଖେଳାଳିଙ୍କ ଉପରେ ଜୋରଦାର୍‍ ଆକ୍ରମଣ କରିଥିଲେ। ବିକାଶଙ୍କ ମୁଥ୍‍ରେ ବ୍ୟତିବ୍ୟସ୍ତ ଚୀନ୍‍ ବକ୍ସର ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ୍‍ ଶେଷ ହେବା ପରେ ରେଫରିମାନେ ୩-୨ରେ ବିକାଶଙ୍କୁ ବିଜୟୀ ଘୋଷଣା କରିଥିଲେ। ସୂଚନାଥାଉକି ବିକାଶ ୨୦୧୦ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୨୦୧୪ରେ ବ୍ରୋଞ୍ଜ୍‍ ପଦକ ଜିତିଥିଲେ। ସେମିରେ ବିକାଶଙ୍କ ମୁକାବିଲା କାଜଖସ୍ତାନର ଆବିଲଖାନ୍‍ ଆମାନକୁଲ୍‍ଙ୍କ ସହ ହେବ।
ପୂର୍ବରୁ ୪୯ କେଜି ବିଭାଗରେ ଭାରତୀୟ ବକ୍ସର ଅମିତ ପାନ୍‍ଗଲ୍‍ ଭଲ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆର କିମ୍‍ ଜାଙ୍ଗ୍‍ ରାୟଙ୍ଗଙ୍କୁ ୫-୦ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍‍ରେ ଅମିତ୍‍ ଲଢ଼ୁଆ ଖେଳ ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଅମିତ ଚଳିତ ଏସୀୟ କ୍ରୀଡ଼ାରେ ଅତିକମ୍‍ରେ ବ୍ରୋଞ୍ଜ୍‍ ପଦକ ପାଇବା ନିଶ୍ଚିତ ହୋଇଯାଇଛି। ସେମିଫାଇନାଲରେ ଅମିତଙ୍କ ମୁକାବିଲା ଫିଲିପିନୋ କାର୍ଲୋଙ୍କ ସହ ହେବ।
ଅନ୍ୟପକ୍ଷରେ ମହିଳା ୫୧ କେଜି ବିଭାଗର କ୍ୱାର୍ଟର ଫାଇନାଲରେ ଭାରତର ସର୍ଜୁବାଳା ଦେବୀ ୫-୦ରେ ଚୀନ୍‍ର ଚାଙ୍ଗ ୟୁଆନ୍‍ଙ୍କ ଠାରୁ ପରାସ୍ତ ହୋଇ ପଦକ ଦୌଡ଼ରୁ ବାଦ୍‍ ପଡ଼ିଛନ୍ତି। ସେହିପରି ପୁରୁଷ ୬୪ କେଜି ବିଭାଗରେ ଧୀରଜ ରାଙ୍ଗି କ୍ୱାର୍ଟର ଫାଇନାଲରେ ମଙ୍ଗୋଲିଆର ବାଟାରୁସ୍କ ଚିଙ୍ଗରୋରିଚ୍‍ଙ୍କ ଠାରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‍ ପଡ଼ିଛନ୍ତି।

Leave A Reply