ସ୍କ୍ୱାସ୍‍: ଦୀପିକା, ଜ୍ୟୋତ୍ସ୍ନା, ସୌରଭଙ୍କୁ ବ୍ରୋଞ୍ଜ

0

ଜାକର୍ତ୍ତା : ଭାରତର ଦୀପିକା ପାଲିକଲ, ଜ୍ୟୋତ୍ସ୍ନା ଚିନାପ୍ପା ଓ ସୌରଭ ଘୋଷାଲ ଏସୀୟ କ୍ରୀଡାର ସ୍କ୍ୱାସ୍‍ରେ ବ୍ରୋଞ୍ଜପଦକ ହାସଲ କରିଛନ୍ତି। ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ ପ୍ରଥମ ସେମିଫାଇନାଲରେ ମାଲେସିଆର ନିକୋଲ ଡେଭିଡ ୩-୦ ଗେମରେ (୧୧-୭, ୧୧-୯, ୧୧-୬) ଦୀପିକାଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ତଥା ଡିଫେଣ୍ଡିଂ ଚମ୍ପିଆନ ନିକୋଲ ଏହି ମୁକାବିଲାରେ ସମ୍ପୂର୍ଣ୍ଣଭାବେ ପ୍ରାଧାନ୍ୟ ବିସ୍ତାର କରିଥିଲେ।
ସୂଚନାଯୋଗ୍ୟ ନିକୋଲ ପୂର୍ବରୁ ଚାରିଥର ଏସୀୟ କ୍ରୀଡାରେ ଚମ୍ପିଆନ ହୋଇସାରିଥିବାବେଳେ ଦୀପିକା ୨୦୧୪ ଇଞ୍ଚିଅନ ଏସୀୟ କ୍ରୀଡାରେ ବ୍ରୋଞ୍ଜପଦକ ହାସଲ କରିଥିଲେ। ମହିଳା ସିଙ୍ଗଲ୍‍ସର ଅନ୍ୟ ସେମିଫାଇନାଲରେ ମାଲେସିଆର ସୁବ୍ରମଣ୍ୟମ ଶିବାସାଙ୍ଗାରି ୩-୧ ଗେମରେ (୧୧-୫, ୧୨-୧୦, ୫-୧୧, ୧୨-୧୦) ଜ୍ୟୋତ୍ସ୍ନାଙ୍କୁ ହରାଇଛନ୍ତି। ଚଳିତ କ୍ରୀଡାର କ୍ୱାର୍ଟର ଫାଇନାଲରେ ଦୀପିକା ଜାପାନର କୋବାୟାସି ମିସାକିଙ୍କୁ ଓ ଜ୍ୟୋତ୍ସ୍ନା ହଂକଂର ଚାନ୍‍ ହୋ ଲିଙ୍ଗ୍‍ଙ୍କୁ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ।
ଅପରପକ୍ଷରେ ଶନିବାର ଭାରତର ସୌରଭ ଘୋଷାଲ ଓ ହଂକଂର ଅଉ ଚୁଙ୍ଗ୍‍ ମିଙ୍ଗ୍‍ଙ୍କ ମଧ୍ୟରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ସେମିଫାଇନାଲ ମ୍ୟାଚ ବେଶ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା। ଏହି ମୁକାବିଲାରେ ସୌରଭ ଏକଦା ୨-୦ ଗେମରେ ଆଗୁଆ ରହି ନିଜର ସ୍ଥିତିକୁ ସୁଦୃଢ କରିଥିଲେ। ତେବେ ମିଙ୍ଗ୍‍ ଲଢୁଆ ପ୍ରଦର୍ଶନ ଜରିଆରେ ପରବର୍ତ୍ତୀ ତିନିଟି ଗେମରେ ବିଜୟୀ ହୋଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଟୁର୍ଣ୍ଣାମେଣ୍ଟର ନିୟମ ଅନୁଯାୟୀ ବ୍ରୋଞ୍ଜପଦକ ପାଇଁ ସେମିଫାଇନାଲରେ ପରାଜୟ ବରଣ କରିଥିବା ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ଲେଅଫ୍‍ ମ୍ୟାଚ ଖେଳାଯିବ ନାହିଁ। ଏହି ପରିପ୍ରେକ୍ଷୀରେ ସେମିଫାଇନାଲରେ ପରାଜୟ ବରଣ କରୁଥିବା ଦୁଇ ଖେଳାଳିଙ୍କୁ ବ୍ରୋଞ୍ଜପଦକ ପ୍ରଦାନ କରାଯିବ।

Comments
Loading...