ଭାରତ-ପାକିସ୍ତାନ ଫାଇନାଲ ଆଜି

0

ମସ୍କାଟ୍‍ : ଚଳିତବର୍ଷର ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ରବିବାର ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି ୧୦.୪୦ ମିନିଟରେ ଏହି ମ୍ୟାଚ ଅନୁଷ୍ଠିତ ହେବ।

ଶନିବାର ଖେଳା ଯାଇଥିବା ସେମିଫାଇନାଲ ମ୍ୟାଚରେ ଜାପାନକୁ କଡ଼ା ମୁକାବିଲା ପରେ ୩-୨ ଗୋଲରେ ଭାରତ ପରାସ୍ତ କରିଛି। ଅନ୍ୟ ସେମି ଫାଇନାଲରେ ମାଲେସିଆକୁ ପାକିସ୍ତାନ ପରାସ୍ତ କରିଛି। ଲିଗ୍‍ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଏଥିରେ ଭାରତ ୩-୧ ଗୋଲରେ ବିଜୟୀ ହୋଇଥିଲା। ଗତଥରର ଚମ୍ପିଆନ୍‍ ଭାରତ ଅଦ୍ୟାବଧି କୌଣସି ମ୍ୟାଚ୍‍ ନ ହାରି ଫାଇନାଲରେ ପହଞ୍ଚିଛି।
ଲିଗ୍‍ ପର୍ଯ୍ୟାୟରେ ଜାପାନକୁ ୯-୦ ଗୋଲରେ ପରାସ୍ତ କରିଥିବା ଭାରତ ଶନିବାରର ସେମିଫାଇନାଲ ମ୍ୟାଚ୍‍ ଜିତିବା ଲାଗି ଫେଭରିଟ୍‍ ଥିଲା। ତେବେ ଜାପାନୀ ଖେଳାଳି ଲଢ଼ୁଆ ପ୍ରଦର୍ଶନ କରି ଭାରତକୁ ଚକିତ କରିଥିଲେ। ଭାରତକୁ ପ୍ରଥମ ମିନିଟରେ ପେନାଲ୍‍ଟି କର୍ଣ୍ଣର ମିଳିଥିବା ବେଳେ ହରମନପ୍ରୀତ୍‍ଙ୍କ ହିଟ୍‍ ସାମାନ୍ୟ ବାହାରେ ଚାଲି ଯାଇଥିଲା। ୧୦ମ ମିନିଟରେ ଗୁରଜାନ୍ତ ସିଂହ ନିଶ୍ଚିତ ଗୋଲ୍‍ଦେବାରୁ ବଞ୍ଚିତ ହୋଇଥିଲେ। ତାଙ୍କର ରିଭର୍ସ ହିଟ୍‍କୁ ଜାପାନୀ ଗୋଲ୍‍ରକ୍ଷକ ରୋକି ଦେଇଥିଲେ। ୧୪ ମିନିଟରେ ଯୁବ ଭାରତୀୟ ଫରୱାର୍ଡ ବଲ୍‍କୁ ସାମାନ୍ୟ ବାହାରକୁ ମାରିଥିଲେ। ୧୯ ମିନିଟରେ ଭାରତ ଆଗୁଆ ହୋଇ ଯାଇଥିଲା। ଏକ ଜୋରଦାର ସଟ୍‍ମାରି ଭାରତର ଗୁରଜାନ୍ତ ସିଂହ ଏହି ଗୋଲ୍‍ ଦେଇଥିଲେ। ୩ ମିନିଟ ପରେ କିନ୍ତୁ ଜାପାନ ଗୋଲ୍‍ ସୁଝାଇ ଦେଇଥିଲା। ଜାପାନର ହିରୋଟାକା ୱାକୁରି ଡାଇଭ୍‍ମାରି ଏକ କ୍ରସ୍‍କୁ ଗୋଲ୍‍ ମଧ୍ୟକୁ ପଠାଇ ଦେଇଥିଲେ। ୨୬ ମିନିଟରେ ହରମନପ୍ରୀତଙ୍କ ପେନାଲ୍‍ଟି କର୍ଣ୍ଣର ହିଟ୍‍କୁ ଜାପାନୀ ଡିଫେଣ୍ଡର ରୋକିଥିବା ବେଳେ ଚିଙ୍ଗ୍‍ଲେନା ସିଂହ ବଲ୍‍କୁ ଗୋଲ୍‍ପୋଷ୍ଟ ଉପରକୁ ମାରିଥିଲେ। ମଧ୍ୟାନ୍ତର ସୁଦ୍ଧା ଉଭୟ ଦଳ ୨-୨ ଗୋଲ୍‍ ସ୍ଥିତିରେ ଥିଲେ। ୪୪ ମିନିଟରେ ଭାରତକୁ ମିଳିଥିବା ପେନାଲ୍‍ଟି କର୍ଣ୍ଣରରୁ ଗୋଲ୍‍ଦେଇ ଚିଙ୍ଗ୍‍ଲେନା ସିଂହ ଭାରତକୁ ୨-୧ ଗୋଲ୍‍ରେ ଆଗୁଆ କରିଥିଲେ। ୫୫ ମିନିଟରେ ଯୁବ ଭାରତୀୟ ଫରୱାର୍ଡ ଦୀଲପ୍ରୀତ ସିଂହଙ୍କ ପ୍ରୟାସ ଯୋଗୁଁ ଭାରତ ୩-୧ ଗୋଲ୍‍ରେ ଆଗୁଆ ହୋଇଥିଲା। ଦୀଲପ୍ରୀତ ଏକୁଟିଆ ବଲ୍‍ ନେଇ ଏହାକୁ ଜାପାନ ଗୋଲ୍‍ମଧ୍ୟକୁ ପଠାଇ ଦେଇଥିଲେ। ୫୬ ମିନିଟରେ ଜାପାନ ୨ୟ ଗୋଲ ଦେଇ ଭାରତକୁ ଚିନ୍ତାରେ ପକାଇଥିଲା। ପେନାଲ୍‍ଟି କର୍ଣ୍ଣରରୁ ହିରୋଟାକା ଜେଣ୍ଡାନା ଏହି ଗୋଲ୍‍ ଦେଇଥିଲେ।

Leave A Reply