ଏସିଆନ ଚମ୍ପିଆନ୍‌ସ ଟ୍ରଫି ପୁରୁଷ ହକି : ପାକିସ୍ତାନକୁ ହରାଇ ଭାରତ ଜିତିଲା କାଂସ୍ୟ

ଢାକା : ଏସିଆନ ଚମ୍ପିଆନ୍‌ସ ଟ୍ରଫି ପୁରୁଷ ହକିରେ ଭାରତ କାଂସ୍ୟ ପଦକ ହାସଲ କରିଛି । ବୁଧବାର ୩ୟ ଓ ୪ର୍ଥ ସ୍ଥାନ ପାଇଁ ମ୍ୟାଚରେ ଭାରତ ୪-୩ ଗୋଲରେ ପାକିସ୍ତାନକୁ ପରାସ୍ତ କରି ତୃତୀୟ ସ୍ଥାନ ହାସଲ କରିଛି । ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପାଇଁ କାଂସ୍ୟ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ଖାଲି ହାତରେ ଫେରିଛି।
ସେମିଫାଇନାଲରେ ପରାଜିତ ଦୁଇ ପୂର୍ବ ବିଜେତା ଭାରତ ଓ ପାକିସ୍ତାନ କାଂସ୍ୟ ପଦକ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ। ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରିଥିବା ଭାରତ ସ୍ବତନ୍ତ୍ର ରଣନୀତି ସହ ଖେଳିଥିଲା। ଖେଳର ଦ୍ବିତୀୟ ମିନିଟ୍‌ରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମାନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୧-୦​ରେ ଆଗୁଆ କରିଥିଲେ । ୧୦ ମିନିଟ୍‌ରେ ପାକିସ୍ତାନର ଆଫ୍ରାଜ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ। ୨ୟ କ୍ବାର୍ଟରରେ ଉଭୟ ଦଳ କେହି କାହାରିକୁ ଗୋଲ ଦେବାରେ ସଫଳ ହୋଇନଥିଲେ। ୩ୟ କ୍ବାର୍ଟର ପ୍ରାରମ୍ଭରୁ ପାକିସ୍ତାନ ପକ୍ଷରୁ ୩୩ ତମ ମିନିଟ୍‌ରେ ଅବଦୁଲ ରାଣା ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଗୋଟିଏ ଗୋଲ ପଛରେ ରହିବା ପରେ ଭାରତ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲା। ୩ୟ କ୍ବାର୍ଟର ଶେଷହେବାକୁ ଆଉ ମାତ୍ର ୪୦ ସେକେଣ୍ଡ ଥିବା ବେଳେ ୪୫ ମିନିଟ୍‌ରେ ଭାରତ ପକ୍ଷରୁ ସୁମିତ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର କରିଥିଲେ। ଅନ୍ତିମ କ୍ବାର୍ଟରରେ ଭାରତ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୫୩ ମିନିଟ୍‌ରେ ବରୁଣ କୁମାର ତୃତୀୟ ଗୋଲ ଦେଇ ଦଳକୁ ୩-୨ରେ ଆଗୁଆ କରିଥିଲେ। ୫୭ ମିନିଟ୍‌ରେ ଭାରତ ପକ୍ଷରୁ ଆକାଶଦୀପ୍‌ ସିଂହ ୪ର୍ଥ ଗୋଲ ଦେଇଥି‌େ‌ଲ। ଭାରତ ୪-୨ ଗୋଲରେ ଆଗୁଆ ରହିଥିଲା। ପାକିସ୍ତାନ ପକ୍ଷରୁ ୫୭ ମିନିଟ୍‌ରେ ନଦୀମ ଅହମ୍ମଦ ତୃତୀୟ ଗୋଲ ଦେଇ ମ୍ୟାଚକୁ ୩-୪ ସ୍ତରକୁ ଆଣିଥିଲେ। ଖେଳର ଶେଷ ୩ ମିନିଟ୍‌ରେ ଭାରତୀୟ ରକ୍ଷଣାଭାଗ କୌଣସି ସୁଯୋଗ ଦେଇନଥିଲେ। ଶେଷରେ ଭାରତ ମ୍ୟାଚକୁ ୪-୩ରେ ଜିତିବାରେ ସଫଳ ହୋଇଥିଲା। ଅଧିନାୟକ ମନପ୍ରୀତ ସିଂହ ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଥିଲେ। ଭାରତ ଲିଗ୍‌ ପର୍ଯ୍ୟାୟରେ ଅପରାଜିତ ରହି ସେମିଫାଇନାଲରେ ପହଞ୍ଚି ଜାପାନ ନିକଟରୁ ପରାଜିତ ହୋଇଥିଲା। ଏସିଆନ ଚମ୍ପିଆନ୍‌ସ ଟ୍ରଫିରେ ୨୦୧୧ରେ ଭାରତ ବିଜେତା, ପାକିସ୍ତାନ ଉପବିଜେତା, ୨୦୧୨ରେ ପାକିସ୍ତାନ ବିଜେତା, ଭାରତ ଉପବିଜେତା, ୨୦୧୩ରେ ପାକିସ୍ତାନ ବିଜେତା, ଭାରତ ଉପବିଜେତା, ୨୦୧୬ରେ ଭାରତ ବିଜେତା, ପାକିସ୍ତାନ ଉପବିଜେତା, ୨୦୧୮ରେ ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତା ହୋଇଥିଲେ।

Comments are closed.