ପାକିସ୍ତାନ ବିପକ୍ଷରେ ଭାରତର ଚମକପ୍ରଦ ବିଜୟ

0

ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି

ମସ୍କାଟ୍‍ : ଏଠାରେ ଚାଲିଥିବା ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଶନିବାର ଚମକପ୍ରଦ ବିଜୟ ହାସଲ କରିଛି ଭାରତ। ଲିଗ୍‍ ପର୍ଯ୍ୟାୟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ଭାରତ ପରାସ୍ତ କରିଛି। ପ୍ରଥମ ମିନିଟରେ ପାକିସ୍ତାନ ଆଗୁଆ ହୋଇ ଯାଇଥିବା ବେଳେ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରି କ୍ରମାଗତ ୩ଟି ଗୋଲ୍ ଦେଇ ବିଜୟୀ ହୋଇଛି। ଗୁରୁବାର ପ୍ରଥମ ମ୍ୟାଚରେ ଓମାନ୍‍କୁ ୧୧-୦ ଗୋଲରେ  ପରାସ୍ତ କରିଥିବା ଭାରତ କ୍ରମାଗତ ୨ୟ ବିଜୟ ହାସଲ କରିଛି। ଏସୀୟ କ୍ରୀଡ଼ାର ବ୍ରୋଞ୍ଜ୍‍ ପଦକ ମ୍ୟାଚ୍‍ରେ ପାକିସ୍ତାନକୁ ହରାଇଥିବା ଭାରତ ତା’ର ଏହି ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ପ୍ରାଧାନ୍ୟ ଜାହିର କରିପାରିଛି। ରବିବାର ଜାପାନ ବିପକ୍ଷରେ ଭାରତ ୩ୟ ମ୍ୟାଚ୍‍ ଖେଳିବ।
ମ୍ୟାଚ୍‍ର ପ୍ରଥମ ମିନିଟ୍‍ରେ ହିଁ ପାକିସ୍ତାନ ଆଗୁଆ ହୋଇ ଯାଇଥିଲା। ଭାରତୀୟ ଡିଫେଣ୍ଡରଙ୍କ ତ୍ରୁଟିରୁ ପାକିସ୍ତାନକୁ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଏଥିରୁ ପାକିସ୍ତାନ ଖେଳାଳି ମାରିଥିବା ଡ୍ରାଗ୍‍ଫ୍ଲିକ୍‍କୁ ଭାରତୀୟ ଗୋଲ୍‍ରକ୍ଷକ ପି.ଆର୍‍. ଶ୍ରୀଜେଶ ରୋକି ଦେଇଥିଲେ। ତେବେ ରିବାଉଣ୍ଡରୁ ମିଳିଥିବା ବଲ୍‍ରୁ ପାକିସ୍ତାନର ମହମ୍ମଦ ଇର୍ଫାନ୍‍ ଜୁନିୟର ଭାରତୀୟ ଗୋଲ୍‍ ମଧ୍ୟକୁ ପଠାଇ ଦେଇଥିଲେ। ୪ର୍ଥ ମିନିଟରେ ଭାରତୀୟ ଫରୱାର୍ଡ ପାକିସ୍ତାନର ପେନାଲ୍‍ଟି ଏରିଆ ମଧ୍ୟକୁ ପ୍ରବେଶ କରିଥିଲେ। ଫଳରେ ଭାରତକୁ ପ୍ରଥମ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ବରୁଣ କୁମାରଙ୍କ ହିଟ୍‍ ସିଧା ପାକିସ୍ତାନ ଡିଫେଣ୍ଡରଙ୍କ ପାଦରେ ବାଜିବାରୁ ଭାରତକୁ ଆଉ ଏକ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଏହା ମଧ୍ୟ ବେକାର ହୋଇଥିଲା। ୧୧ ମିନିଟରେ ଲଳିତ ଉପାଧ୍ୟାୟ ଏକାଧିକ ପ୍ରତିପକ୍ଷ ରକ୍ଷାପନ୍ଥୀକୁ ପରାସ୍ତକରି ଗୁରଜାନ୍ତ ସିଂହଙ୍କୁ ପାସ୍‍ ଦେଇଥିଲେ ହେଁ ଗୁରଜାନ୍ତ ସିଂହ ଏହାକୁ ବାହାରକୁ ମାରିଥିଲେ। ୧୮ ମିନିଟରେ ଭାରତୀୟ ଡିଫେଣ୍ଡରଙ୍କ ତ୍ରୁଟିରୁ ପାକିସ୍ତାନୀ ଷ୍ଟ୍ରାଇକର ମହମ୍ମଦ ଜୁବୈର ଗୋଲ୍‍ଦେବାର ସୁଯୋଗ ପାଇଥିଲେ ହେଁ ଅଳ୍ପକେ ବଞ୍ଚିତ ହୋଇଥିଲେ। ପରେ ଭାରତୀୟ ଫରୱାର୍ଡ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିବା ବେଳେ ପାକିସ୍ତାନୀ ରକ୍ଷାପନ୍ଥୀ ସେମାନଙ୍କୁ ପ୍ରତିହତ କରି ପାରିଥିଲେ। ୨୪ ମିନିଟରେ ଏକ ଯାଦୁକରୀ ଗୋଲ୍‍ ବଳରେ ସ୍କୋର୍‍କୁ ୧-୧ କରିଥିଲା ଭାରତ। ୩ ଜଣ ପାକିସ୍ତାନୀ ଡିଫେଣ୍ଡରଙ୍କୁ ଚକ୍‍ମାଦେଇ ଭାରତୀୟ ଅଧିନାୟକ ମନପ୍ରୀତ ସିଂହ ଏହି ଗୋଲ୍‍ ଦେଇଥିଲେ। ୨୮ ମିନିଟରେ ନୀଳକାନ୍ତ ଶର୍ମା ଭାରତକୁ ଆଗୁଆ କରିବାର ସୁଯୋଗ ଛାଡ଼ିଥିଲେ। ପରେ ପାକିସ୍ତାନକୁ ଏକ ପେନାଲ୍‍ଟି କର୍ଣ୍ଣର ମିଳିଥିବା ବେଳେ ଏହା ବେକାର ହୋଇଥିଲା। ମଧ୍ୟାନ୍ତର ସୁଦ୍ଧା ଉଭୟ ଦଳ ୧-୧ ଗୋଲ୍‍ ସ୍ଥିତିରେ ଥିଲେ।
୩୨ ମିନିଟରେ ଦର୍ଶନୀୟ ଗୋଲ୍‍ ଦେଇ ଭାରତ ଆଗୁଆ ହୋଇଥିଲା। ଆକାଶଦୀପ ସିଂହଙ୍କ ପାସ୍‍ରୁ ଷ୍ଟ୍ରାଇକର ମନଦୀପ ସିଂହ ଏହି ଗୋଲ୍‍ ଦେଇଥିଲେ। ୪୨ ମିନିଟରେ ଦଳଗତ ପ୍ରୟାସରୁ ଭାରତ ୩ୟ ଗୋଲ୍‍ଦେଇ ମ୍ୟାଚ୍‍ ଉପରେ କବ୍‍ଜା ମଜ୍‍ଭୁତ କରିଥିଲା। ଆକାଶଦୀପ ସାଥୀ ଖେଳାଳି ଲଳିତ ଉପାଧ୍ୟାୟଙ୍କୁ ପାସ୍‍ ଦେଇଥିବା ବେଳେ ସେ ବଲ୍‍ ବଢ଼ାଇ ଦେଇଥିଲେ ଦିଲପ୍ରୀତ ସିଂହଙ୍କୁ। ଏଥିରୁ ଦିଲପ୍ରୀତ ଗୋଲ୍‍ ଦେଇଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ଦିଲ୍‍ପ୍ରୀତଙ୍କ ୪ର୍ଥ ଗୋଲ୍‍। ୪ର୍ଥ କ୍ୱାର୍ଟରରେ ଉଭୟ ଦଳ ଆକ୍ରମଣାତ୍ମକ ହକି ଖେଳିଥିଲେ। ତେବେ ଗୋଲ୍‍ ହୋଇନଥିଲା।

Leave A Reply