ଭାରତକୁ ପ୍ରଥମ ପଦକ ଦେଲେ ଅପୂର୍ବୀ-ରବି

0

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ୍‍ରେ ଚାଲିଥିବା ଏସୀୟ କ୍ରୀଡ଼ାର ପ୍ରଥମଦିନରେ ଭାରତ ପଦକ ଖାତା ଖୋଲିପାରିଛି। ସୁଟିଂ ଇଭେଣ୍ଟରେ ଭାରତକୁ ଏହି ପ୍ରଥମ ପଦକ ଜିତାଇଛନ୍ତି ଅପୂର୍ବୀ ଚାନ୍ଦେଲା ଓ ରବି କୁମାର। ଶନିବାର ୧୦ ମିଟର ଏୟାର ରାଇଫଲ ମିକ୍ସଡ ଦଳଗତ ଇଭେଣ୍ଟରେ ଅପୂର୍ବୀ ଚାନ୍ଦେଲା ଓ ରବି କୁମାର ୪୨୯.୯ ପଏଣ୍ଟ ସ୍କୋର କରି ୩ୟ ସ୍ଥାନରେ ରହି ବ୍ରୋଞ୍ଜପଦକ ଜିତିଛନ୍ତି।
୪୮ ସଟ୍‍ର ଫାଇନାଲ ହୋଇଥିବା ବେଳେ ୪୨ ସଟ୍‍ ପରେ ଅପୂର୍ବୀ-ରବି କୁମାର ୨ୟ ସ୍ଥାନରେ ରହିଥିଲେ। ତେବେ ଚୀନ୍‍ର ଯୋଡ଼ି ଝାଓ ଚୌଝୌ ଓ ୟାଙ୍ଗ୍‍ ହାଓରାଙ୍ଗ୍‍ ଭାରତୀୟ ଯୋଡ଼ିକୁ ଅତିକ୍ରମ କରି ଯାଇଥିଲେ। ଏହି ଇଭେଣ୍ଟରେ ଚାଇନିଜ୍‍ ତାଇପେ ଯୋଡ଼ି ଲିନ୍‍ ୟିଙ୍ଗ୍‍ସିନ୍‍ ଓ ଲ୍ୟୁ ସାଓଚୁଆନ୍‍ ୪୯୪.୧ ପଏଣ୍ଟ ପାଇଁ ନୂତନ ଏସୀୟ କ୍ରୀଡ଼ା ରେକର୍ଡ ପ୍ରତିଷ୍ଠା କରିଥିବା ବେଳେ ଚୀନ୍‍ର ଯୋଡ଼ି ଝାଓ ଚୌଝୌ ଓ ୟାଙ୍ଗ୍‍ ହାଓରାଙ୍ଗ୍‍ ୪୯୨.୫ ପଏଣ୍ଟ ସହ ରୌପ୍ୟପଦକ ହାସଲ କରିଛନ୍ତି। କୋରିଆ ୪ର୍ଥ ସ୍ଥାନରେ ରହିଥିବା ବେଳେ ମଙ୍ଗୋଲିଆ ଯୋଡ଼ି ୫ମ ସ୍ଥାନରେ ରହିଥିଲେ। ଅପୂର୍ବୀ ଚାନ୍ଦେଲା ବିଶ୍ୱକପ୍‍ରେ ଏକାଧିକ ପଦକ ଜିତିଥିଲେ ହେଁ ଏସୀୟ କ୍ରୀଡ଼ାରେ ଏହା ତାଙ୍କର ପ୍ରଥମ ପଦକ। ପୁଣି ୨୦୧୪ ଗ୍ଲାସ୍‍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅପୂର୍ବୀ ସ୍ୱର୍ଣ୍ଣପଦକ ଜିତିଥିଲେ। ମିକ୍ସଡ ଦଳଗତ ଇଭେଣ୍ଟରେ ଅପୂର୍ବୀ ବ୍ରୋଞ୍ଜ୍‍ପଦକ ପାଇଥିଲେ ହେଁ ସୋମବାର ହେବାକୁ ଥିବା ବ୍ୟକ୍ତିଗତ ଇଭେଣ୍ଟରେ ସେ ଉନ୍ନତ ପ୍ରଦର୍ଶନ ପାଇଁ ଆଶା ରଖିଛନ୍ତି। ଅଭିନବ ବିନ୍ଦ୍ରାଙ୍କର ଶିଷ୍ୟ ରବି କୁମାର ୨୦୧୪ ଇଞ୍ଚିଅନ୍‍ ଏସୀୟ କ୍ରୀଡ଼ାରେ ମଧ୍ୟ ବ୍ରୋଞ୍ଜ୍‍ପଦକ ଜିତିଥିଲେ।
ସୂଚନାଯୋଗ୍ୟ; ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଦଳଗତ ଇଭେଣ୍ଟ ପ୍ରଥମଥର ପାଇଁ ଆୟୋଜିତ ହେଉଛି। ରବିକୁମାର ଏହି ବ୍ରୋଞ୍ଜ୍‍ ପଦକର ଶ୍ରେୟ ଅପୂର୍ବୀ ଚାନ୍ଦେଲାଙ୍କୁ ଦେଇଛନ୍ତି। ଏହାସହ ସେ କହିଛନ୍ତି ଯେ ଅପୂର୍ବୀଙ୍କ ସହ ଦୀର୍ଘସମୟ ଏକାଠି ଅଭ୍ୟାସ କରିଥିଲେ ବୋଧହୁଏ ସେମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟପଦକ ଜିତିଥାଆନ୍ତେ। ଫାଇନାଲ ପୂର୍ବରୁ ଅପୂର୍ବୀ ଓ ରବିକୁମାର ଯୋଗ୍ୟତା ପର୍ଯ୍ୟାୟରେ ୨ୟ ସ୍ଥାନରେ ରହିଥିବାରୁ ପଦକ ଆଶା ଉଜ୍ଜୀବିତ ରଖିଥିଲେ। ଉଭୟ ସୁଟର ୪୦ଟି ଲେଖାଏଁ ସଟ୍‍ ମାରିଥିବା ବେଳେ ୮୩୫.୩ ପଏଣ୍ଟ ସ୍କୋର କରିଥିଲେ।

Leave A Reply