ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳାଯିବ ଏସିଆ କପ୍ : ପିସିବି

କରାଚି: ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଚଳିତ ସଂସ୍କରଣ ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିିସିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ୱାସିମ୍‌ ଖାନ୍‌।
ସୂଚନାଥାଉକି ଏସିଆ କପ୍‌ର ଚଳିତ ସଂସ୍କରଣ ଆୟୋଜନ ପାଇଁ ପିସିବି ଅଧିକାର ପାଇଛି। ପ୍ରଥମେ ଏସିଆ କପ୍‌ ପାକିସ୍ତାନରେ ଆୟୋଜନ ପାଇଁ ପିସିବି ମନସ୍ଥ କରିଥିଲା। ତେବେ ପାକିସ୍ତାନରେ ଏସିଆ କପ୍‌ ଆୟୋଜିତ ହେଲେ ଭାରତୀୟ କ୍ରିକେଟ୍‌ ଦଳ ଏଥିରେ ଭାଗ ନେବ ନାହିଁ ବୋଲି ହୃଦୟଙ୍ଗମ କରିବା ପ​‌ରେ ପିସିବି ଏହାକୁ ଅନ୍ୟ ଦେଶରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା।

ଅନ୍ୟପକ୍ଷରେ କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସିଆ କପ୍‌ର ଚଳିତ ସଂସ୍କରଣ ଆୟୋଜନ ନେଇ ମଧ୍ୟ କେତେକ ମହଲରେ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଚଳିତବର୍ଷ ଏସିଆ କପ୍‌ ନିଶ୍ଚିତ ଭାବେ ଆୟୋଜିତ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପିିିସିବି ସିଇଓ ୱାସିମ୍‌ ଖାନ୍‌। ପାକିସ୍ତାନ ଦଳ ସେପ୍ଟେମ୍ବର ୨ରେ ଇଂଲଣ୍ଡ ଗସ୍ତରୁ ସ୍ବଦେଶ ଫେରିବ। ତେଣୁ ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ଏସିଆ କପ୍‌ ଆୟୋଜନ ପାଇଁ ପିସିବି ଯୋଜନା କରୁଥିବା ୱାସିମ୍‌ କହିଛନ୍ତି। ଶ୍ରୀଲଙ୍କାରେ କରୋନା ସଂକ୍ରମଣ କମ୍‌ ରହିଥିବାରୁ ସେଠାରେ ଏସିଆ କପ୍‌ ଆୟୋଜନ ପାଇଁ ପିସିବି ଆଶା ରଖିଛି। ଯଦି ଶ୍ରୀଲଙ୍କାରେ ଏସିଆ କପ୍‌ ଆୟୋଜିତ ହୋଇନପାରେ ତେବେ ୟୁଏଇରେ ଏସିଆ କପ୍‌ ଆୟୋଜିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜିତ ହେବାର ଅଛି। ପରବର୍ତ୍ତୀ ସମୟରେ ପାକିସ୍ତାନ ଦଳ ଅନେକ କ୍ରିକେଟ୍‌ ସିରିଜ୍‌ ଖେଳିବ ବୋଲି ୱାସିମ୍‌ ସୂଚନା ଦେଇଛନ୍ତି। ଡିସେମ୍ବରରେ ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଓ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଦଳ ପାକିସ୍ତାନ ଗସ୍ତରେ ଆସି ଟେଷ୍ଟ ଓ ଟ୍ବେଣ୍ଟି୨୦ ସିରିଜ୍‌ ଖେଳିବ ବୋଲି ୱାସିମ୍‌ କହିଛନ୍ତି। ସେହିପରି ନଭେମ୍ବରର ଶେଷ ଭାଗକୁ ପାକିସ୍ତାନ ସୁପର ଲିଗ୍‌ର ବାକି ଥିବା ୫ଟି ମ୍ୟାଚ୍‌ ଶେଷ କରିବାକୁ ପିସିବି ଯୋଜନା ରଖିଥିବା ୱାସିମ୍‌ ସୂଚନା ଦେଇଛନ୍ତି।

ପାକିସ୍ତାନରେ ମ୍ୟାଚ୍‌ ଫିକ୍ସିଂକୁ ଫୌଜଦାରୀ ମାମଲା ଭାବେ ଗ୍ରହଣ କରାଯିବା ସଂପର୍କରେ ମତ ଦେଇ ୱାସିମ୍‌ କହିଛନ୍ତି ମ୍ୟାଚ୍‌ ଫିକ୍ସିଂକୁ ଫୌଜଦାରୀ ଅପରାଧ ଭା​‌ବେ ବହୁ ଆଗରୁ ପରିଗଣିତ କରାଯିବା ଉଚିତ୍‌ ଥିଲା। ପୂର୍ବରୁ ଯେଉଁମାନେ ପିସିବିର ମଙ୍ଗ ଧରିଥିଲେ ସେମାନେ ଏ ସଂପର୍କରେ ପଦକ୍ଷେପ ଗ୍ରହଣ ନ କରିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି।

Comments are closed.