ଜାପାନଠାରୁ ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ଏସିଆ କପ୍‌ ହକି, ଆଜିଠାରୁ ସୁପର-୪

ଜାକର୍ତ୍ତା : ଏଠାରେ ଚାଲିଥିବା ଏସିଆ କପ୍‌ ପୁରୁଷ ହକି ପ୍ରତିଯୋଗିତାରେ ଭାରତ ଠିକଣା ସମୟରେ ଚମତ୍କାର ପ୍ରଦର୍ଶନ କରି ସୁପର-୪ରେ ପ୍ରବେଶ କରିଛି। ପୁଲ- ‘ଏ’ରୁ ଭାରତ ଓ ଜାପାନ, ପୁଲ -‘ବି’ରୁ ମାଲେସିଆ ଓ ଦକ୍ଷିଣ କୋରିଆ ପ୍ରଥମ ଓ ଦ୍ବିତୀୟ ସ୍ଥାନ ସହ ସୁପର-୪ରେ ପ୍ରବେଶ କରିଛନ୍ତି। ଶନିବାର ସୁପର-୪ର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ମାଲେସିଆ-ଦକ୍ଷିଣ କୋରିଆକୁ ଓ ଦ୍ବିତୀୟ ମ୍ୟାଚରେ ଭାରତ-ଜାପାନକୁ ଭେଟିବ। ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ବାଧିନ ଭାରତ ଗ୍ରୁପ ପର୍ଯ୍ୟାୟର ପ୍ରଥମ ମ୍ୟାଚ ପାକିସ୍ତାନ ସହ ୧-୧ ବରାବର ରଖିଥିବାବେଳେ ଦ୍ବିତୀୟ ମ୍ୟାଚରେ ୨-୫ ଗୋଲରେ ଜାପାନ ନିକଟରୁ ପରାଜିତ ହୋଇଥିଲା। ତୃତୀୟ ମ୍ୟାଚରେ ଇଣ୍ଡୋନେସିଆକୁ ୧୬-୦ ଗୋଲରେ ପରାସ୍ତ କରି ଗ୍ରୁପ ଦ୍ବିତୀୟ ସ୍ଥାନ ସହ ସୁପର-୪ରେ ପହଞ୍ଚିଛି। ଲିଗ୍‌ ପର୍ଯ୍ୟାୟରେ ଜାପାନ ନିକଟରୁ ପରାଜିତ ହୋଇଥିବା ଭାରତ ନିକଟରେ ସୁପର-୪ରେ ପ୍ରତିଶୋଧ ନେବା ନେଇ ବଡ ସୁଯୋଗ ରହିଛି। ଭାରତ ଲିଗ୍‌ ପର୍ଯ୍ୟାୟର ଭାରତ ୩ଟି ମ୍ୟାଚରୁ ୧୯ଟି ଗୋଲ ଦେଇଥିବ​‌ା​‌ବେଳେ ୬ଟି ବରଣ କରିଛି। ଓଡ଼ିଆ ଡିଫେଣ୍ଡର ଦୀପ୍‌ସାନ ତିର୍କୀ ୪ଟି, ପୱନ ରାଜବୀର ୩ଟି, ସୁଦେବ ବିଲିମାଙ୍ଗା ୩ଟି,ଉତ୍ତମ ସିଂହ ୨ଟି ଗୋଲ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବୀରେନ୍ଦ୍ର ଲାକ୍ରା ନୀଲମ ସଞ୍ଜୀପ ଖେସ, ଏସ.ଭି ସୁନୀଲ ପ୍ରମୁଖ ଗୋଲ ଦେବାରେ ମଧ୍ୟ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଜାପାନ ମଧ୍ୟ ଲିଗ୍‌ ପର୍ଯ୍ୟାୟରେ ଅପରାଜୟ ରହିଛି। ଦଳ ଭାରତକୁ ୫-୨ ଗୋଲ, ଇଣ୍ଡୋନେସିଆକୁ ୯-୦ ଓ ପାକିସ୍ତାନକୁ ୩-୨ ଗୋଲରେ ପରାସ୍ତ କରିଥିଲା। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ସର୍ଦ୍ଦାର ସିଂହ କୁହନ୍ତି, ଭାରତ ପାକିସ୍ତାନ ଓ ଜାପାନ ବିପକ୍ଷ ମ୍ୟାଚରେ ଆଶାଜନକ ପ୍ରଦର୍ଶନ କରିପାରିନଥିବାବେଳେ ଇଣ୍ଡୋନେସିଆ ବିପକ୍ଷରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଡ୍ରାଗ ଫ୍ଲିକର ସ୍ପେଶାଲିଷ୍ଟ ରୁପିନ୍ଦର ପାଲ ସିଂହ ଓ ଅମିତ ରୋହିଦାସ ଦଳରେ ନଥିବାବେଳେ ତାଙ୍କ ଅନୁପସ୍ଥିତି ଯୁବ ଖେଳାଳିମାନେ ପୂରଣ କରିବାରେ ସଫଳ ହୋଇଛନ୍ତି। ସୁପର-୪ରେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ। ଜାପାନ ବିପକ୍ଷ ପ୍ରଥମ ମ୍ୟାଚର ତ୍ରୁଟି ସୁଧାରିବା ସହ ବିଜୟ ନେଇ ଆଶାବାଦୀ ବୋଲି ସର୍ଦ୍ଦାର କହିଛନ୍ତି।

Comments are closed.