ଏସିଆ କପ୍‌ ହକି : ଇଣ୍ଡୋନେସିଆକୁ ୧୬-୦ରେ ହରାଇ ସୁପର-୪ରେ ଭାରତ

ଦୀପ୍‌ସାନଙ୍କ ୪ଟି ଗୋଲ୍‌

ଜାକର୍ତ୍ତା : ସଠିକ୍‌ ସମୟରେ ଭାରତୀୟ ପୁରୁଷ ଦଳ ସଠିକ୍ ପ୍ରଦର୍ଶନ କରିଛି । ଏଠାରେ ଚାଲିଥିବା ପୁରୁଷ ଏସିଆ କପ୍‌ ହକି ପ୍ରତିଯୋଗିତାର ୨ୟ ରାଉଣ୍ଡ ବା ସୁପର-୪ରେ ପହଞ୍ଚିବା ପାଇଁ ଭାରତକୁ ଗ୍ରୁପ୍‌ ‘ଏ’ର ଅନ୍ତିମ ମ୍ୟାଚ୍‌ରେ ଆୟୋଜକ ଇଣ୍ଡୋନେସିଆକୁ ୧୫ ଗୋଲ୍‌ ବ୍ୟବଧାନରେ ଜିତିବାର ଥିଲା । ଗୁରୁବାର ଓଡ଼ିଆ ଡିଫେଣ୍ଡର ଦୀପ୍‌ସାନ ତିର୍କିଙ୍କ ୪ଟି ଗୋଲ୍‌ ବଳରେ ଭାରତ ୧୬-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ଫଳରେ ଭାରତ ଓ ପାକିସ୍ତାନ ସମାନ ୪ ପଏଣ୍ଟ ପାଇଥିଲେ ହେଁ ପାକିସ୍ତାନକୁ ଗୋଲ୍‌ ବ୍ୟବଧାନରେ ଅତିକ୍ରମ କରି ଭାରତ ସୁପର-୪ରେ ପହଞ୍ଚିଛି । ଗୁରୁବାର ପାକିସ୍ତାନକୁ ଜାପାନ ୩-୨ ଗୋଲ୍‌ରେ ହରାଇ ଭାରତକୁ ସୁପର-୪ ଦୌଡ଼ରେ ରଖିଥିଲା। ଗ୍ରୁପ୍‌ ‘ଏ’ରୁ ଜାପାନ ଓ ଭାରତ ଏବଂ ଗ୍ରୁପ୍‌ ‘ବି’ରୁ ମାଲେସିଆ ଓ ଦକ୍ଷିଣ କୋରିଆ ସୁପର-୪ରେ ପହଞ୍ଚିଛନ୍ତି। ୨୮ରେ ଜାପାନ, ୨୯ରେ ମାଲେସିଆ ଓ ୩୧ରେ ଦକ୍ଷିଣ କୋରିଆ ବିପକ୍ଷରେ ଭାରତ ସୁପର-୪ ମ୍ୟାଚ୍‌ ଖେଳିବ । ସୁପର-୪ର ଶ୍ରେଷ୍ଠ ୨ ଦଳ ଜୁନ୍‌ ୧ ରେ ଫାଇନାଲ ଖେଳିବେ।
ଭାରତ ପ୍ରଥମାର୍ଦ୍ଧରେ ୬ଟି ଗୋଲ୍‌ ସ୍କୋର କରିଥିବା ବେଳେ ଦ୍ବିତୀୟାର୍ଦ୍ଧରେ ୧୦ଟି ଗୋଲ୍‌ ସ୍କୋର କରିଥିଲା। ଭାରତ ପାଇଁ ଓଡ଼ିଆ ଡିଫେଣ୍ଡର ଦୀପସାନ୍‌ ତିର୍କୀ ସର୍ବାଧିକ ୪ଟି ଗୋଲ୍‌ ସ୍କୋର କରିଥିବା ବେଳେ ସୁଦେବ ବେଲିମାଗା ୩ଟି ଏବଂ ପୱନ୍‌ ରାଜଭର, ଅଭିଜ୍ଞ ଫରୱାର୍ଡ ଏସ୍‌.ଭି ସୁନୀଲ, କାର୍ତ୍ତି ସେଲ୍‌ଭାମ୍‌ ୨ଟି ଲେଖାଏଁ ଗୋଲ୍‌ ଦେଇଥିଲେ। ଉତ୍ତମ ସିଂହ, ନୀଲମ ସଞ୍ଜିବ ଖେସ୍‌ ଏବଂ ବୀରେନ୍ଦ୍ର ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ୧୦ ମିନିଟ୍‌ରେ ପୱନ୍‌ ରାଜଘର ଫିଲଡ୍ ଗୋଲ୍‌ ଦେଇ ଭାରତକୁ ୧-୦ରେ ଆଗୁଆ କରିଥିଲେ। ୧୧ ମିନିଟ୍‌ରେ ପୱନ୍‌ ପେନାଲ୍‌ଟି କର୍ଣ୍ଣରରୁ ୨ୟ ଗୋଲ୍‌ ସ୍କୋର କରିଥିବା ବେଳେ ୧୪ ମିନିଟ୍‌ରେ ଉତ୍ତମ ସିଂହ ଫିଲଡ୍‌ ଗୋଲ୍‌, ୧୯ ମିନିଟ୍‌ରେ ପେନାଲଟି କର୍ଣ୍ଣରରୁ ଏସ୍‌.ଭି. ସୁନୀଲ, ୨୦ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣରରୁ ଓଡ଼ିଆ ଖେଳାଳି ନୀଲମ୍‌ ସଞ୍ଜୀପ ଖେସ୍‌, ୨୪ ମିନିଟ୍‌ରେ ଏସ୍‌.ଭି ସୁନୀଲ ଫିଲଡ୍‌ ଗୋଲ୍‌ ସ୍କୋର କରିଥିଲେ। ୪୦ ମିନିଟ୍‌ରେ କାର୍ତ୍ତି ସେଲଭାମ୍‌ ଫିଲ୍‌ଡ ଗୋଲ୍‌, ୪୧ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣରରୁ ଅଧିନାୟକ ବୀରେନ୍ଦ୍ର ଲାକ୍ରା ଫିଲଡ୍‌ ଗୋଲ୍‌, ୪୨ ମିନିଟ୍‌ରେ ପେନାଲ୍‌ଟି ଷ୍ଟ୍ରୋକ୍‌ରୁ ଦୀପସାନ ତିର୍କୀ, ୪୫ ଓ ୪୬ ମିନିଟ୍‌ରେ ସୁଦେବ ବେଲିମାଗା ଫିଲଡ୍‌ ଗୋଲ୍‌, ୪୭ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣରରୁ ଦୀପସାନ ତିର୍କୀ, ୫୫ ମିନିଟ୍‌ରେ ପେନାଲଟି କର୍ଣ୍ଣରରୁ ସୁଦେବ ବେଲିମାଗା, ୫୬ ମିନିଟ୍‌ରେ କାର୍ତ୍ତି ସେଲଭମ୍‌ ଫିଲଡ୍‌ ଗୋଲ୍‌, ୫୯ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣରରୁ ଦୀପସାନ ତିର୍କୀ ୨ଟି ଗୋଲ୍‌ ସ୍କୋର କରିଥିଲେ। ଏହି ୨ଟି ଗୋଲ୍‌ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିଲା ଏବଂ ଦଳକୁ ସୁପର-୪ରେ ପ୍ରବେଶ କରାଇଥିଲେ।

Comments are closed.