ଜଗମୋହନ ଚାଳିରୁ ଖସିଲା ପଥର

-ସ୍ଥିତି ପରଖିଲେ ଏଏସ୍‌ଆଇ ବିଶେଷଜ୍ଞ, -ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଅବହେଳା

ପୁରୀ : ପୁଣିଥରେ ବିପଦରେ ଶ୍ରୀମନ୍ଦିର ଜଗମୋହନ। ବାହାର ଚାଳିରୁ ଖସୁଛି ପଥର। ଦକ୍ଷିଣ-ପୂର୍ବ କୋଣରେ ଗୋଟିଏ ପଥର ବିପଦ୍‌ଜନକ ଅବସ୍ଥାରେ ରହିଛି। ଅନ୍ୟ ଏକ ସ୍ଥାନରେ ପଥର ଦବିଯାଇ ଫାଟସୃଷ୍ଟି ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀକ୍ଷକ ଡଃ ଅରୁଣ କୁମାର ମଲିକ ରବିବାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜଗମୋହନ ବାହାରଚାଳିର ବିଭିନ୍ନ ସ୍ଥାନରେ ପଥର ଦବୁଥିବା ଦେଖିବାକୁ ମିଳିଛି। ତେଣୁ ଯଥାଶୀଘ୍ର ଚୂନପଲସ୍ତରା ଛଡାଯାଇ ପଥର ପରିବର୍ତ୍ତନ କରିବା ସହ ଆବଶ୍ୟକ ମରାମତି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ବାହାର ଚାଳିର ଦୂରବସ୍ଥା ଜଗମୋହନ ପ୍ରତି ବିପଦ ସୃଷ୍ଟି କରିଥିବା ଜଣାପଡିଛି ।
ସେହିପରି ଲକ୍ଷ୍ମୀମନ୍ଦିର ଏବଂ ବିମଳା ମନ୍ଦିର ଚଟାଣରେ ପାଣି ଜମିବା ସହ କେତେକ ସ୍ଥାନରେ ଛାତତଳେ ଲାଗିଥିବା ଲୁହାବିମ୍‌ ଗୁଡିକ ଦୁର୍ବଳ ହୋଇପଡିଛି। ଲକ୍ଷ୍ମୀମନ୍ଦିର ଗର୍ଭଗୃହ ଏବଂ ଜଗମୋହନ ସଂଯୋଗ ସ୍ଥଳରେ ଫାଟ ସୃଷ୍ଟିହୋଇଛି। ଅନ୍ୟକେତେକ ପାର୍ଶ୍ବ ଦେବଦେବୀ ମନ୍ଦିରରେ ଚଟାଣ, କବାଟ, କାନ୍ଥ ଏବଂ ଛାତ ବିପଦ୍‌ଜନକ ଅବସ୍ଥାରେ ରହିଥିବା ଜଣାପଡିଛି। ସେହିପରି ସ୍ନାନପୂର୍ଣ୍ଣିମା ପୂର୍ବରୁ ସ୍ନାନମଣ୍ଡପର କେତେକ ପଥର ପରିବର୍ତ୍ତନ ପାଇଁ ମନ୍ଦିର ପ୍ରଶାସନ ଏଏସ୍‌ଆଇକୁ ଅନୁରୋଧ କରିଛି। ଶ୍ରୀମନ୍ଦିର ଭୋଗମଣ୍ଡପ ଏବଂ ନାଟମଣ୍ଡପର ମରାମତି ଆବଶ୍ୟକତା ରହିଥିବା ଜଣେ ବିଶେଷଜ୍ଞ ମତ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ରଥଯାତ୍ରା ପୂର୍ବରୁ ଜଗମୋହନ ବାହାରଚାଳି ମରାମତି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇ ମହାନିର୍ଦେଶକଙ୍କୁ ଚିଠି ଲେଖା ଯାଇଥିଲା। ବର୍ଷେ ବିତିଗଲା ପଛେ ଏପର୍ଯ୍ୟନ୍ତ ଏହିକାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ବାହାର ଚାଳିର ଗୋଟିଏ ପଥର ଖସି ପଡିଥିବା ବେଳେ ଆଉ ଏଗୋଟିଏ ସ୍ଥାନରେ ଦବି ଯାଇଥିବା ରବିବାର ଦେଖିବାକୁ ମିଳିଛି। ଜଗମୋହନ ବାହାର ପାର୍ଶ୍ବର ଏଭଳି ଅବସ୍ଥା ବିଶେଷଜ୍ଞଙ୍କୁ ଚକିତ କରିଦେଇଛି। ଆଗାମୀ ରଥଯାତ୍ରା ସମୟରେ ସେସବୁ ସ୍ଥାନର ଜରୁରୀ ମରାମତି କରାଯିବ ବୋଲି ଏଏସ୍‌ଆଇ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଡଃ ଅରୁଣ କୁମାର ମଲିକ ଗଣମାଧ୍ୟମକୁ କହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା:- ଜଗମୋହନ ବାହାର ଚାଳିରୁ ଏକାଧିକ ପଥର ଖସିଥିଲେ ମଧ୍ୟ ଏହି ଘଟଣାକୁ ଚପାଇ ରଖାଯାଇଛି।

Comments are closed.