ବିପଦରେ ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ସୌନ୍ଦର୍ଯ୍ୟ

କାରୁକାର୍ଯ୍ୟପୂର୍ଣ୍ଣ ପଥର ଖଞ୍ଜିବାକୁ ଏଏସଆଇ ଅସମର୍ଥ

ଭୁବନେଶ୍ବର/କୋଣାର୍କ : ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ଏତିହ୍ୟ ଓ ସୌନ୍ଦର୍ଯ୍ୟ ପ୍ରତି ଏବେ ବିପଦ ଦିନକୁ ଦିନ ଘନେଇବାରେ ଲାଗିଛି। ଯେଉଁ ମହାନ କିର୍ତ୍ତିରାଜିକୁ ନେଇ ସାରା ବିଶ୍ବରେ ଓଡ଼ିଶା ପରିଚିତ ସେହି କଳା-ସଂସ୍କୃତି ଓ ସ୍ଥାପତ୍ୟ ଏବେ ବିଲୋପ ହେବାକୁ ବସିଛି। ବିଭିନ୍ନ କାରଣରୁ ସୂର୍ଯ୍ୟମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଖସୁଥିବାବେଳେ ତାକୁ ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ସୁରକ୍ଷିତ ରଖିପାରୁ ନାହିଁ। ଏମିତିକି ରାଜ୍ୟ ସଂସ୍କୃତି ବିଭାଗ ବିଲୁପ୍ତ ଐତିହ୍ୟର ସୁରକ୍ଷା ପ୍ରତି ଧ୍ୟାନ ଦେଉନାହିଁ ବୋଲି ଅଭିଯୋଗ ହୋଇଛି। ନିକଟରେ ସୂର୍ଯ୍ୟମନ୍ଦିରରୁ ଲୁହା ଭାର ଖୋଲାଯିବା ପରେ ଏହାର ରୁଦ୍ଧିମନ୍ତ ଐତିହ୍ୟ କିଭଳି ବିଳାପ କରୁଛି ତାହା ଜଣେ ନଦେଖିଲେ ବୁଝି ପାରିବ ନାହିଁ ବୋଲି ସ୍ଥାନୀୟ ଲୋକେ, ଗବେଷକ ଓ ବହୁ ପର୍ଯ୍ୟଟକ ଅଭିଯୋଗ କରୁଛନ୍ତି। ସୂର୍ଯ୍ୟମନ୍ଦିରରୁ ଖସୁଥିବା କାରୁ କାର୍ଯ୍ୟପୂର୍ଣ୍ଣ ପଥର ବଦଳରେ ଏଏସଆଇ ସାଦା ପଥର ଲଗାଇ ଏହାକୁ ମାର୍ଗଦର୍ଶିକାର ପାଠ ପଢ଼ାଉଥିବାବେଳେ ରାଜ୍ୟ ସଂସ୍କୃତି ବିଭାଗ ଗୁରୁତ୍ବ ନଦେବା ଐତିହ୍ୟ ପ୍ରେମୀଙ୍କୁ ବ୍ୟଥିତ କରିଛି।

ସୂଚନା ଯୋଗ୍ୟ ଯେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା କୋଣାର୍କ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟ ମରାମତି ପାଇଁ ୨୦୦୩ ମସିହାରୁ ଲୁହା ପାଇପ୍ ଭାରାରେ ଆବଦ୍ଧ କରାଯାଇଥିଲା। ଏହାର ଉନ୍ନତୀକରଣ କାର୍ଯ୍ୟ ଏଏସାଇ ନେଇଥିଲା। ଚଳିତମାସ ପ୍ରଥମ ସପ୍ତାହରେ ଏହି ଲୁହା ପାଇପ୍ ଖୋଲାଯାଇଛି। ହେଲେ ପୂର୍ବରୁ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ଯେଭଳି ଥିଲା ତାହା ଏବେ ଦେଖିବାକୁ ମିଳୁନାହିଁ। କେଉଁଠି ଏଏସଆଇ ସିମେଣ୍ଟ ଲେସି ଦେଇଛି ତ ଆଉ କେଉଁଠି ସାଦା ପଥର ଖଞ୍ଜି କିମ୍ବଦନ୍ତୀ ଓ ଐତିହ୍ୟ ସଂପନ୍ନ କୋଣାର୍କ ମନ୍ଦିରକୁ ବିକୃତ କରିବାକୁ ବସିଛି।

ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଜନିତ ବହୁବିଧ ସମସ୍ୟାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ଏହାର ସମାଧାନ ଲାଗି ୨୦୧୯ ଅଗଷ୍ଟରେ ଆମିକସ୍ କ୍ୟୁରୀ ଭାବେ ବରିଷ୍ଠ ଆଇନଜୀବୀ ଏମ୍.କେ. ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା। ଆମିକସ୍ କ୍ୟୁରୀ ସେପ୍ଟେମ୍ବରରେ ଦୁଇଥର ସୂର୍ଯ୍ୟମନ୍ଦିର ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ରୀୟ କୋଠା ଗବେଷଣା ସଂସ୍ଥା (ସିବିଆର୍ଆଇ) ରିପୋର୍ଟ ଅନୁଯାୟୀ ସୂର୍ଯ୍ୟମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ସୂଚନା ଦେଇଥିଲେ। ଏହାସହ ଲୁହା ପାଇପରୁ କୋଣାର୍କ ସୂର୍ଯ୍ୟମନ୍ଦିର ମୁକ୍ତ କରାଯାଇ କଂଳକି ପ୍ରତିରୋଧୀ ବିମ୍ ଲଗାଇବାକୁ କହିଥିଲେ। ପରେ ଏଏସ୍ଆଇ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ବରେ ଲାଗିଥିବା ଲୁହା ପାଇପ୍ ଖୋଲା ଯାଇଥିବାବେଳେ ସୂର୍ଯ୍ୟମନ୍ଦିର ଲୁହା ପାଇପ୍ ଭାରାରୁ ମୁକ୍ତ ହୋଇଛି। ମାତ୍ର ଲୁହା ପାଇପ୍ ଭାରା ତଳେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟଗୁଡ଼ିକ ଆଉ ଦେଖିବାକୁ ମିଳୁନାହିଁ। ଏପରିକି ମନ୍ଦିର ବେଢ଼ାର ଚତୁପାର୍ଶ୍ବର ବିଭିନ୍ନ ସ୍ଥାନରୁ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳୁ ନ ଥିବାବେଳେ ମନ୍ଦିର ମୁଖଶାଳାରେ ମଧ୍ୟ କାରୁକାର୍ଯ୍ୟ ନଥିବାରୁ ବିକୃତ ଦେଖା ଯାଉଛି। ମରାମତି ପୂର୍ବରୁ ଏଏସଆଇ ବିଶିଷ୍ଟ ଶିଳ୍ପୀମାନଙ୍କ ମତାମତ ନ ନେଇ ପଥର ଲଗାଇଥିବା ଯୋଗୁଁ ଅସନ୍ତୋଷ ଦେଖାଦେଇ ଥିବାବେଳେ କିଛି ଶିଳ୍ପୀ ଏବେ କ’ଣ ସେହିଭଳି କଳାକୃତି ହୋଇପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସୂର୍ଯ୍ୟମନ୍ଦିର ନିର୍ମାଣକୁ ବିଶୁ ମହାରଣା ସମେତ ୧୨୦୦ ବଢ଼େଇ ନିର୍ମାଣ କରିଥିବାବେଳେ ଏବେ କ’ଣ ଆଉ ଶିଳ୍ପୀ ନାହାନ୍ତି ବୋଲି କେତେକ ଗବେଷକ ପ୍ରଶ୍ନ କରିଛନ୍ତି।

Comments are closed.