କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଓ ମୁରଲୀଧରନଙ୍କ ସମକକ୍ଷ ହେଲେ ଅଶ୍ଵିନୀ

ବିଶାଖାପାଟଣା: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଅଫ୍‌ ସ୍ପିନର ଆର. ଅଶ୍ଵିନୀ ନୂଆ କିର୍ତ୍ତୀମାନ ସୃଷ୍ଟି କରିବା ସହିତ ବିଶ୍ଵ ରେକର୍ଡ କରିଛନ୍ତି। ଟେଷ୍ଟ କ୍ରିକେଟରେ ଦ୍ରୁତତମ ୩୫୦ ୱିକେଟ ହାସଲ କରିବାରେ ସେ ଶ୍ରୀଲଙ୍କାର କିମ୍ବନ୍ଦନ୍ତୀ ବୋଲର ମୁଥେୟା ମୁରଲୀଧରନଙ୍କ ସହିତ ସମକକ୍ଷ ହୋଇଛନ୍ତି। ମୁରଲୀଧରନ ୬୬ଟି ଟେଷ୍ଟ ମ୍ୟାଚରେ ୩୫୦ ୱିକେଟ ହାସଲ କରିଥିବାବେଳେ ଅଶ୍ଵିନୀ ମଧ୍ୟ ତାଙ୍କର ୬୬ତମ ମ୍ୟାଚରେ ୩୫୦ ତମ ୱିକେଟ ଅକ୍ତିଆର କରିଛନ୍ତି। ପ୍ରଥମ ଇନିଂସରେ ଅଶ୍ଵିନୀ ୭ଟି ୱିକେଟ ନେଇଥିଲେ। ତାଙ୍କୁ ମୁରଲୀଧରନଙ୍କ ରେକର୍ଡ ସମକକ୍ଷ ହେବା ଲାଗି ଆଉ ଗୋଟିଏ ୱିକେଟ ନେବା ଜରୁରୀ ଥିଲା। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ୫ମ ଦିବସରେ ଅଶ୍ଵିନୀ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ଥିଉନିନ ଡି ବ୍ରୁଇନଙ୍କୁ ଆଉଟ୍‌ କରି ଏହି ସଫଳତା ହାସଲ କରିଛନ୍ତି। ଏହାବ୍ୟତୀତ ଅଶ୍ଵିନୀ ଭାରତୀୟ କିମ୍ବନ୍ଦନ୍ତୀ ସ୍ପିନର ଅନୀଲ କୁମ୍ବଲେଙ୍କ ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। କୁମ୍ବଲେ ୩୫୦ ୱିକେଟ ଅକ୍ତିଆର କରିବା ଲାଗି ୭୭ଟି ଟେଷ୍ଟ ମ୍ୟାଚର ସାହାରା ନେଇଥିଲେ।

Comments are closed.