ଅଂଶୁପ୍ରଜ୍ଞା ଦାସ ପାଇଲେ ଗ୍ରିନ୍‍ ୱରିୟର ଆୱାର୍ଡ

ଭୁବନେଶ୍ୱର: ନାଟ୍‍ୱେଷ୍ଟ୍‍ ଗ୍ରୁପ୍‍ର ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ନାଟ୍‍ୱେଷ୍ଟ୍‍ ଗ୍ରୁପ୍‍ ଇଣ୍ଡିଆ ପକ୍ଷରୁ ନାଟ୍‍ୱେଷ୍ଟ୍‍ ଗ୍ରୁପ୍‍ ଆର୍ଥ ହିରୋଜ୍‍ ଆୱାର୍ଡସ୍‍ର ୧୦ମ ସଂସ୍କରଣ ପୁରସ୍କାର ବର୍ଗ ସବୁଜ ଯୋଦ୍ଧା ସମ୍ମାନ (ଗ୍ରିନ୍‍ ୱରିୟର ଆୱାର୍ଡ) ଓଡ଼ିଶାର ଅଂଶୁପ୍ରଜ୍ଞା ଦାସ ପାଇଛନ୍ତି। ଶ୍ରୀମତୀ ଦାସ ହେଉଛନ୍ତି ରାଜ୍ୟର ପ୍ରଥମ ସରକାରୀ କର୍ମଚାରୀ ଯିଏ ଏହି ପୁରସ୍କାର ହାସଲ କରିଛନ୍ତି। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଧୀନ ମହାନଦୀ ବନ୍ୟଜନ୍ତୁ ଡିଭିଜନରେ ୫ବର୍ଷ ବନଖଣ୍ଡ ଅଧିକାରୀ ଭାବେ କାର୍ୟ୍ୟ କରୁଥିବା ଦକ୍ଷତାକୁ ବିଚାର କରି ଏହି ପୁରସ୍କାର ଦିଆଯାଇଛି। ବନ୍ୟଜନ୍ତୁ ଓ ବସତି ସଂରକ୍ଷଣ ଏବଂ ଗୋଷ୍ଠୀ କଲ୍ୟାଣ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ୟ୍ୟ କରିଥିବା ବ୍ୟକ୍ତି ଏବଂ ସଂସ୍ଥାଙ୍କୁ ପୁରସ୍କୃତ କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ଜୈବ ବିବିଧତାର ସଂରକ୍ଷଣ ଓ ନିରନ୍ତର ବିକାଶ’ ଥିଲା।


ସେହିପରି ଭାରତର ଜୈବ ବିବିଧତା ଓ ପ୍ରମୁଖ ପ୍ରାକୃତିକ ବ୍ୟବସ୍ଥାର ସୁରକ୍ଷା ଲାଗି ସଂକଳ୍ପ ଏବଂ ପାଣିପାଗ ପରିବର୍ତ୍ତନର ପ୍ରଭାବକୁ ଦୂର କରିବା ଦିଗରେ କାର୍ୟ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଭର୍ଚୁଆଲ୍‍ କାର୍ୟ୍ୟକ୍ରମ ଜରିଆରେ ଦେଶର ୮ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଶ୍ରୀମତୀ ଦାସ ବ୍ୟାଘ୍ର ସଂରକ୍ଷଣ ପାଇଁ କାର୍ୟ୍ୟ କରିଥିବାବେଳେ ହିଂସ୍ର ଗୋଷ୍ଠୀ ଏବଂ ନକ୍ସଲଙ୍କ କାର୍ୟ୍ୟକଳାପର ପ୍ରଭାବ ଥିବା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ (ମହାନଦୀ ଡବ୍ଲୁଏଲ୍‍ ଡିଭିଜନ)ର ପୁନରୁଦ୍ଧାର ଦିଗରେ ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟ କରିଛନ୍ତି। ବନ୍ୟଜନ୍ତୁଙ୍କ ପ୍ରତି ସ୍ଥାନୀୟ ଗୋଷ୍ଠୀଙ୍କ ସହାୟତାକୁ ପୁନଃସ୍ଥାପିତ କରିବାରେ ତାଙ୍କ ଗୋଷ୍ଠୀ ସମ୍ପର୍କ ଅଭିଯାନ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଯାହା ସୁରକ୍ଷାକୁ ଦୃଢ଼ କରିଥିଲା ଏବଂ ପ୍ରଚଳନରେ ଥିବା ଶିକାର ବୈଷମ୍ୟ ଉପରେ ନିୟନ୍ତ୍ରଣ ଅଣାଯାଇ ପାରିଥିଲା।

ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର କେନ୍ଦ୍ର ସ୍ଥଳ ପ୍ରଚଳନରେ ଥିବା ବେଆଇନ ମାଛମରାକୁ ବନ୍ଦ କରିଥିଲେ। ଘଡ଼ିଆଳ କୁମ୍ଭୀର ବଞ୍ଚି ରହିବା ପ୍ରତି ଆଉ ବିପଦ ରହିଲା ନାହିଁ। ବିଭିନ୍ନ ଜୀବଜନ୍ତୁ ବାସ କରୁଥିବା ଅଞ୍ଚଳକୁ ନିଷିଦ୍ଧାଞ୍ଚଳରେ ପରିଣତ କରିଥିଲେ। ମନୁଷ୍ୟ-ଜନ୍ତୁ ସଂଘର୍ଷର ସମାଧାନ ଏବଂ ଜୈବ ବିକାଶ କାର୍ୟ୍ୟକ୍ରମ ଆରମ୍ଭ କରିବା ପଦକ୍ଷେପ ଗ୍ରହଣ କରିଥିଲେ। ବାଇଶିପଲ୍ଲୀ ଅଭୟାରଣ୍ୟକୁ ଏକ ଚମତ୍କାର ବସତି ଭାବେ ପୁନରୁଦ୍ଧାର କରିବାରେ ସେ ସଫଳ ହୋଇଥିଲେ। ଓଡ଼ିଶାର ପ୍ରଥମ ଜୈବ ଗ୍ରାମ ମୁଦୁଲିଗାଡ଼ିଆକୁ ସୃଷ୍ଟି କରିବା ପାଇଁ ସ୍ଥାନୀୟ ଗୋଷ୍ଠୀଙ୍କୁ ନିୟୋଜିତ କରିଥିଲେ। ଗୋଷ୍ଠୀର ୩୪ ଜଣ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେଉଥିବା ଜୈବ ପର୍ୟ୍ୟଟନ ପ୍ରକଳ୍ପ ‘ସାତକୋଶିଆ ସ୍ୟାଣ୍ଡସ୍‍ ରିସୋର୍ଟ ଆଣ୍ଡ ନେଚର୍‍ କ୍ୟାମ୍ପ୍‍’ ବିଗତ ୪ ବର୍ଷରେ ୩ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛି। ଏସ୍‍ଟିଆର୍‍ରେ ବ୍ୟାଘ୍ର ବସତି ପ୍ରତି ସ୍ଥାନୀୟ ଗୋଷ୍ଠୀଙ୍କ ସହାୟତା ମିଳିପାରିଛି।

ଅଂଶୁପ୍ରଜ୍ଞା ହେଉଛନ୍ତି ଜଣେ ପକ୍ଷୀପ୍ରେମୀ, ଫଟୋଗ୍ରାଫର ଏବଂ ଲେଖିକା। ନିଜର ଏହି ଦକ୍ଷତାଗୁଡ଼ିକୁ ସେ ରାଜ୍ୟର ବନ୍ୟଜନ୍ତୁ ଓ ଜୈବ ବିବିଧତା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ବ୍ୟବହାର କରିଛନ୍ତି। ତାଙ୍କ ଲେଖା “ଅଭିଫୌନା ଅଫ୍‍ ସାତକୋଶିଆ, ସାତକୋଶିଆ ସିନ୍‍ ଆଣ୍ଡ୍‍ ଅନ୍‍ସିନ୍‍’ ଏବଂ ବାର୍ଡ ଅଫ୍‍ ସାତକୋଶିଆ ଲ୍ୟାଣ୍ଡସ୍କେପ୍‍ ସରକାର ଏବଂ ପକ୍ଷୀପ୍ରେମୀମାନଙ୍କ ବିଶେଷ ଭାବେ ଦୃଷ୍ଟି ଆକର୍ଷଣ କରିଥିଲା। ଅଂଶୁପ୍ରଜ୍ଞା କହିଛନ୍ତି “ନାଟୱେଷ୍ଟ ଗ୍ରୁପ୍‍ ଆର୍ଥ ହିରୋଜ୍‍ ଆୱାର୍ଡସ୍‍ ୨୦୨୦ ସମାରୋହରେ ଗ୍ରିନ୍‍ ୱରିୟର ପୁରସ୍କାର ବିଜେତା ହୋଇଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ ମନେ କରୁଛି। ଓଡ଼ିଶା ସରକାର ଏବଂ ସମସ୍ତ ବରିଷ୍ଠଙ୍କୁ ସହାୟତା ପାଇଁ ଧନ୍ୟବାଦ ଜଣାଉଛି। ଅଂଶୁପ୍ରଜ୍ଞା ଦାସ ଏହି ପୁରସ୍କାର ପାଇବା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ୍‍ କରି ସ୍ୱାଗତ ଜଣାଇଛନ୍ତି।

Comments are closed.