ଆଫଗାନ ରାଷ୍ଟ୍ରପତି ଭାବେ ଶପଥ ନେଲେ ଆଶରଫ ଗନି, ସମାନ୍ତରାଳ ଶପଥ ସମାରୋହ ଆୟୋଜନ କଲେ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲା

ସମାଜ ପୋର୍ଟାଲ ଡେସ୍କ: ସୋମବାର ଅପରାହ୍ନରେ କାବୁଲର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଆଶରଫ ଗନି ଦ୍ୱିତୀୟ ଥର ପାଇଁ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଟୋଲୋ ନ୍ୟୁଜ୍ ଦ୍ୱାରା ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ସମାରୋହରେ ଆମେରିକାର ସ୍ୱତନ୍ତ୍ର ଦୂତ ଖାଲିଲଜାଦ, ଆମେରିକାର ଚାର୍ଜ ଡି’ଆଫେୟାର ରୋଜ ୱିଲସନ, ନାଟୋ ଫୋର୍ସ କମାଣ୍ଡର ଜେନେରାଲ ସ୍କଟ ମିଲର ଏବଂ ୟୁଏଇ, କାନାଡା, ଅଷ୍ଟ୍ରେଲିଆ, ଡେନମାର୍କ, ଜର୍ମାନୀ ଓ ନରୱେର ରାଷ୍ଟ୍ରଦୂତମାନେ ଯୋଗ ଦେଇଥିଲେ।

ଅନ୍ୟ ପକ୍ଷରେ ଆଫଗାନିସ୍ତାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟ ନିଜ ପାଇଁ ଏକ ସମାନ ଶପଥ ସମାରୋହ ଆୟୋଜନ କରିଥିଲେ। ସେ ରାଷ୍ଟ୍ରପତି ନିର୍ବାଚନରେ ​​ଜିତିଛନ୍ତି ବୋଲି ପୂର୍ବରୁ ଦାବି କରି ଆସୁଛନ୍ତି। ନିର୍ବାଚନକୁ ଅସ୍ଥିର କରିବା ପାଇଁ ଅନେକ ତାଲିବାନ ଆକ୍ରମଣ ପରେ ସେଠାରେ ଗତ ବର୍ଷ ସେପ୍ଟେମ୍ବରରେ ମତଦାନ ହୋଇଥିଲା ଓ ପାଞ୍ଚ ମାସ ପରେ ଅର୍ଥାତ ଫେବୃଆରୀରେ ଗନି ଦ୍ୱିତୀୟ ଥର ଜିତିଥିବା ଘୋଷଣା କରାଯାଇଥିଲା।

ସେପ୍ଟେମ୍ବରରେ ହୋଇଥିବା ନିର୍ବାଚନର ପ୍ରାଥମିକ ଫଳାଫଳ ୨୦୧୯ ଡିସେମ୍ବରରେ ଘୋଷଣା କରାଯାଇଥିଲା ଯେଉଁଥିରେ ଗନିଙ୍କୁ ବିଜେତା ଘୋଷଣା କରାଯାଇଥିବା ବେଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ମୋଟ ୧.୮ ମିଲିୟନରୁ ଅଧିକ ଭୋଟରଙ୍କ ମଧ୍ୟରୁ ୩୯ ପ୍ରତିଶତ ଭୋଟ ପାଇଥିବା କୁହାଯାଇଥିଲା। ତେବେ ବିରୋଧୀ ଦଳ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯିବା ଫଳରେ ପୁଣି ଫେବୃଆରୀରେ ଗନିଙ୍କୁ ବିଜେତା ଘୋଷଣା କରାଯାଇଥିଲା।

Comments are closed.