ନିଜ ପୁଅର ପରାଜୟ ପାଇଁ ସଚୀନ୍‌ ପାଇଲଟଙ୍କୁ ଦୋଷ ଦେଲେ ଅଶୋକ ଗେହଲଟ୍‌

ଜୟପୁର . – ଚଳିତ ସାଧାରଣ ନିର୍ବାଚନରେ ରାଜସ୍ଥାନରେ ବିଜେପି ଭଲ ପ୍ରଦର୍ଶନ କରିଛି । ରାଜସ୍ଥାନର ୨୫ରୁ ୨୫ ଆସନରେ ବିଜେପି ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ରାଜ୍ୟର ଶାସନଭାର କଂଗ୍ରେସ ହାତରେ ଥିଲେ ମଧ୍ୟ ଏବେ ସେଠାରେ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନିଜ ପୁଅର ପରାଜୟ ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ଉପ ମୁଖ୍ୟମନ୍ତ୍ରୀ ସଚୀନ୍‌ ପାଇଲଟ୍‌ଙ୍କୁ ଦୋଷ ଦେଇଛନ୍ତି । ଜୋଧପୁର ଆସନରେ ଦଳର ପରାଜୟ ପାଇଁ ସଚୀନ୍‌ ନିଜ ଉପରକୁ ଦୋଷ ନେବା ଆବଶ୍ୟକ ବୋଲି ସେ କହିଛନ୍ତି । ଜୋଧପୁରରେ ଅଶୋକ ଗେହଲଟଙ୍କର ପୁଅ ବୈଭବ ଗେହଲଟ କଂଗ୍ରେସର ପ୍ରାର୍ଥୀ ଥିଲେ । କଂଗ୍ରେସ କାର୍ଯ୍ୟ ସମିତିର ବୈଠକରେ ସେ ସଚୀନଙ୍କୁ ଏହି ପରାଜୟ ପାଇଁ ଦାୟୀ କରିଛନ୍ତି । ଇଣ୍ଡିଆଟିଭିର ଓ୍ୱେବସାଇଟ୍‌ରେ ଏହି ଖବର ପ୍ରକାଶିତ ହୋଇଛି । ଗଣମାଧ୍ୟମକୁ କାର୍ଯ୍ୟସମିତିର ଆଲୋଚନା ଆସିବା ପରେ ଅଶୋକ ଗେହଲଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସଚୀନ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଏବେ ଦୂରତା ବଢୁଥିବା ଚର୍ଚ୍ଚା ହେଉଛି ।
ମାତ୍ର ଏକ ଟିଭି ସାକ୍ଷାତକାରରେ ସେମାନଙ୍କ ମଧ୍ୟରେ ମତଭେଦ ଥିବା କଥା ଅଶୋକ ଗେହଲଟ ଅସ୍ୱୀକାର କରିଛନ୍ତି । ତେବେ ଜୋଧପୁର ଆସନରେ କାହିଁକି ଦଳ ଜିତିଲା ନାହିଁ । ସେଠାରେ କଂଗ୍ରେସର ୬ ଜଣ ବିଧାୟକ ରହିଛନ୍ତି । ଦଳ ସେଠାରେ ବେଶ୍‌ ଭଲ ପ୍ରଚାର କରିଥିଲା । ଏବେ ସେଠାରେ ପରାଜୟର କାରଣର ସମୀକ୍ଷା ହେବା ଦରକାର ବୋଲି ଗେହଲଟ୍‌ ପ୍ରକାଶ କରିଛନ୍ତି ।

ତେବେ ୨୫ଟି ଆସନରେ ଦଳର ଯେଭଳି ପରାଜୟ ହେଲା ତାହାର ଦାୟିତ୍ୱ ପ୍ରଦେଶ ଅଧ୍ୟକ୍ଷ କିମ୍ବା ମୁଖ୍ୟମମନ୍ତ୍ରୀ ନେବା ଆବଶ୍ୟକ । ସମସ୍ତ ରାଜ୍ୟରେ ଦଳର ଯେପରି ଅବସ୍ଥା ହୋଇଛି ତାହା ବୁଝିବା କଷ୍ଟ ବୋଲି ସେ କହିଛନ୍ତି ।

Comments are closed.