ରାଜସ୍ଥାନରେ ପୁଣି ରାଜନୀତି ସରଗରମ; ସରକାର ବଞ୍ଚାଇବା ଆଶାରେ ଗେହଲଟ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ସରକାରଙ୍କୁ ଅସ୍ଥିର କରାଯାଉଥିବା ବାରମ୍ବାର ଅଭିଯୋଗ କରିଛନ୍ତି । ଏହି ସ୍ଥିତିରେ ରବିବାର ଗେହଲଟ ବିଜେପି ଉପରେ ଆଉ ଏକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ବିଜେପି ବିଧାୟକମାନଙ୍କୁ ବନ୍ଦ କରି ରଖାଯାଇଛି । ସେମାନଙ୍କର ଏବେ ଗୁମର ଖୋଲି ଯାଇଛି । ସେ କହିଛନ୍ତି ଯେ ବିଜେପି ନେତା ଓ ଆମ ଦଳ ଛାଡ଼ି ଯାଇଥିବା ଲୋକଙ୍କ ବିରୋଧରେ ରାଜ୍ୟର ପ୍ରତି ଘରେ କ୍ରୋଧ ବଢ଼ିଛି । ଯେଉଁମାନେ ଆମକୁ ଛାଡ଼ି ଯାଇଛନ୍ତି ସେମାନଙ୍କ ମଧ୍ୟରୁ ଆମ ପାଖକୁ ଅଧିକାଂଶ ଫେରି ଆସିବେ ସେ ବିଶ୍ଵାସ ଅଛି । ସରକାର ଆମର ଅଛି, ମାତ୍ର ବିଜେପି ବିଧାୟକମାନଙ୍କୁ କାହିଁକି ବାଛିବାଛି ଲୁଚାଇ ରଖାଯାଇଛି ବୋଲି ସେ ପ୍ରଶ୍ନ କରିବା ସହ ଦଳରେ ବିଦ୍ରୋହ ଦେଖା ଦେଇଥିବା ଗେହଲଟ କହିଛନ୍ତି ।

ଗେହଲଟ କହିଛନ୍ତି ଯେ ରାଜସ୍ଥାନରେ ପୂର୍ବରୁ କେବେ ଏପରି ପରମ୍ପରା ନ ଥିଲା । ସମସ୍ତଙ୍କୁ ଜଣା ଅଛି ଯେ ପ୍ରଥମରୁ ସରକାରଙ୍କୁ ଭାଙ୍ଗିବାକୁ ପ୍ରୟାସ ହୋଇ ଆସୁଛି । ଯେଉଁ ବିଜେପି ନେତାମାନେ ବଡ଼ବଡ଼ କଥା କହୁଥିଲେ ସେମାନଙ୍କର ମୁଖା ଖୋଲି ଯାଇଛି । ଏବେ ବିଜେପି ନେତାମାନେ ଚାଟାର୍ଡ଼ ପ୍ଲେନରେ ନିଜ ବିଧାୟକଙ୍କୁ ବାହାରକୁ ପଠାଇ ଦେଇଛନ୍ତି । ଏହା ଗଣତନ୍ତ୍ର ନିମନ୍ତେ ବିପଜ୍ଜନକ । 

ସରକାରକୁ ଅସ୍ଥିର କରିବା ଓ ଭାଙ୍ଗିବା ଷଡ଼ଯନ୍ତ୍ର ବିରୋଧରେ ଆମେ ଲଢ଼େଇ କରୁଛୁ । ବିଜୟ ଆମର ହେବ । ରାଜ୍ୟବାସୀ ଆମ ସହ ଅଛନ୍ତି । ବିଜେପି ଏପରି ତମାସା କାହିଁକି କଲା ତାହା ଲୋକମାନେ ଚର୍ଚା କରୁଛନ୍ତି । ସରକାର ଭଲ କାମ କରୁଛନ୍ତି, କରୋନା ଲଢ଼େଇର ଦୃଢ଼ ମୁକାବିଲା କରିଛି । ଏହାର ପ୍ରଶଂସା ହେଉଛି । ଯେଉଁଠି ଜୀବନ-ଜୀବିକାର ସଂଘର୍ଷ ଆସେ ସେଠାରେ ରାଜନୀତି ପଛରେ ରହିଯାଏ । ମାତ୍ର ବର୍ତମାନ ସମୟରେ ବିଜେପି ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି ବୋଲି କହିଛନ୍ତି ଗେହଲଟ୍।

ସେ ପୁଣି କହିଛନ୍ତି ଯେ ଅମିତ୍ ଶାହାଙ୍କ ଆଭିମୁଖ୍ୟ କ’ଣ ଏ କଥା ସମସ୍ତଙ୍କୁ ଜଣା । ସରକାର ଭାଙ୍ଗିବା ତାଙ୍କର ମୁଖ୍ୟ କାମ । ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋଏଏ ଓ ଆଉ କିଛି ନେତା ମିଳିମିଶି ଷଡ଼ଯନ୍ତ୍ର କରୁଛନ୍ତି । ଦେଶର ଦୁର୍ଭାଗ୍ୟ ଏପରି ଲୋକ କ୍ଷମତାରେ ଅଛନ୍ତି । କଂଗ୍ରେସ ଛାଡ଼ି ଯାଇଥିବା ୧୯ ବିଧାୟକଙ୍କୁ ନେଇ ଚିନ୍ତାଜନକ ଖବର ଆସୁଛି । ସେମାନଙ୍କୁ ବନ୍ଦ କରି ରଖାଯାଇଛି । ସେମାନଙ୍କ ଚାରିପଟେ ବାଉନ୍ସର ଓ ୨ଶହ ଲୋକ ଜଗିଛନ୍ତି । ସେମାନଙ୍କ ସହ କାହାରିକୁ ମିଶିବାକୁ ଦିଆଯାଉ ନାହିଁ ବୋଲି ଗେହଲଟ କହିଛନ୍ତି ।

Comments are closed.