ଗେହଲଟଙ୍କୁ କାଳ ହେଲା ଅନୁଗତଙ୍କ ବିଦ୍ରୋହ

ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ​‌େ​‌ଗହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଦୌଡରୁ ଏକ ପ୍ରକାର ବାଦ୍ ପଡିଛନ୍ତି। ରାଜସ୍ଥାନ କଂଗ୍ରେସ ସରକାରରେ କ୍ଷମତା ପରିବର୍ତ୍ତନକୁ ବିରୋଧ କରି ଅନୁଗତ ବିଧାୟକଙ୍କ ବିଦ୍ରୋହ ଗେହଲଟଙ୍କ ପାଇଁ କାଳ ହୋଇଛି। ଅନୁଗତଙ୍କ ବିଦ୍ରୋହକୁ ନେଇ ଗେହଲଟଙ୍କୁ ଦଳ ଏକପ୍ରକାର ଦାୟୀ କରିଛି। ଦଳୀୟ ନିଷ୍ପତ୍ତିକୁ ବିରୋଧ କରି ଅନୁଗତଙ୍କ ବିଦ୍ରୋହ ପରେ ଗେହଲଟଙ୍କୁ ଅଧ୍ୟକ୍ଷ ନିର୍ବାଚନ ଦୌଡରୁ ବାଦ୍ ଦେବାକୁ ସିଡବ୍ଲ୍ୟୁସିର ସଦସ୍ୟମାନେ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟରେ ଦାବି କରିଥିବା ଜଣାଯାଇଛି। ସିଡବ୍ଲ୍ୟୁସିର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ ଗେହଲଟଙ୍କ ଆଚରଣ ଦଳୀୟ ନେତୃତ୍ବଙ୍କ ପାଇଁ ଅସହ୍ୟ ହୋଇଛି। ତେଣୁ ଅଧ୍ୟକ୍ଷ ପଦ ନିମନ୍ତେ ତାଙ୍କ ଉପରେ ବିଶ୍ବାସ କରାଯିବା ଠିକ୍ ନୁହେଁ। ଅଧ୍ୟକ୍ଷ ଦୌଡରୁ ଗେହଲଟ ବାଦ୍ ପଡିବା ପରେ କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳ, ଦିଗବିଜୟ ସିଂହ, ମଲ୍ଲିକାର୍ଜୁନ ଖଡଗେ ଓ ମୁକୁଲ ୱାସନିକ୍ ପ୍ରମୁଖ ଦୌଡରେ ସାମିଲ ହେବାକୁ ଯାଉଛନ୍ତି। ଆଗାମୀ ଦିନରେ ଏହି ନେତାମାନେ ନିର୍ବାଚନ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ କରିବାର ସମ୍ଭାବନା ରହିଛି। ନିର୍ବାଚନରେ ପ୍ରଥମ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ଶଶୀ ତରୁର୍। ସୂଚନାଯୋଗ୍ୟ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଯାଉଥିବାରୁ ରାଜସ୍ଥାନରେ ତାଙ୍କର ଉତ୍ତରାଧିକାରୀ ଭାବେ ସଚିନ ପାଇଲଟଙ୍କୁ ବସାଇବା ଲାଗି ଦଳ ଯୋଜନା କରିଥିଲା। ମାତ୍ର ଦଳର ଏହି ଯୋଜନା ବିରୋଧରେ ଗେହଲଟଙ୍କ ଅନୁଗତମାନେ ବିଦ୍ରୋହ କରିଥିଲେ। ପାଇଲଟଙ୍କୁ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଧାୟକ ଦଳ ବୈଠକ ଡକାଯାଇଥିଲା। ମାତ୍ର ଏହି ବୈଠକ ପୂର୍ବରୁ ଗେହଲଟଙ୍କ ଅନୁଗତମାନେ ସମୂହ ଇସ୍ତଫା ଦେଇଥିଲେ। ଯାହା ରାଜ୍ୟ ସରକାର ଓ ଦଳରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି କରିଥିଲା।

Comments are closed.