ଗେହଲଟ ହେବେ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେବା ନେଇ ଦଳର ଦିଲ୍ଲୀ ଶାଖାଠାରୁ ସୂଚନା ମିଳିଛି। ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନିଷ୍ପତ୍ତିରେ ଅଟଳ ଥିବାରୁ ଗେହଲଟଙ୍କୁ ଏହି ଆସନ ଲାଗି ଅଧିକ ପସନ୍ଦ ଥିବା ଜଣାଯାଇଛି। କଂଗ୍ରେସର ଅଧିକାଂଶ ବରିଷ୍ଠ ନେତା ଗେହଲଟଙ୍କୁ ଅଧ୍ୟକ୍ଷ ପଦ ଦେବା ଲାଗି ପ୍ରସ୍ତାବ ଦେଇଛନ୍ତି। ଏହା ସହିତ ଗାନ୍ଧୀ ପରିବାର ମଧ୍ୟ ଗେହଲଟଙ୍କ ସପକ୍ଷରେ ରହିଥିବା ଜଣାଯାଇଛି। ତେବେ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ। କାରଣ ଅନେକ ରାଜନୈତିକ ଦଳର ମୁଖିଆ ଉଭୟ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖଛନ୍ତି। ଏମାନଙ୍କ ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରମୁଖ ଅନ୍ୟତମ।
ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ରାହୁଲ ନିଜକୁ ଦାୟୀ କରିବା ପୂର୍ବକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)ରେ ଇସ୍ତଫା ପ୍ରସ୍ତାବ ଦେଇଥିଲେ। ରାହୁଲଙ୍କ ଇସ୍ତଫା ପ୍ରସ୍ତାବକୁ ସିଡବ୍ଲ୍ୟୁସି ଅଗ୍ରାହ୍ୟ କରିଦେଇଥିଲା ଓ ଅଧ୍ୟକ୍ଷ ପଦ ବଜାୟ ରଖିବାକୁ କହିଥିଲା। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ୫୨ଟି ଆସନରେ ବିଜୟୀ ହୋଇଥିଲା। ତେବେ ଏହି ସଂଖ୍ୟା ୨୦୧୪ ଲୋକସଭା ନିର୍ବାଚନ ଅପେକ୍ଷା ୮ ଅଧିକ। ବିଜ୍ଞାନ ଓ ଆଇନରେ ସ୍ନାତକ ଡିଗ୍ରୀ ସହିତ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଗେହଲଟ ୧୯୮୨ ସେପ୍ଟେମ୍ବରରୁ ୧୯୮୪ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବ ସରକାରରେ ରାଷ୍ଟ୍ରମନ୍ତ୍ରୀ ଥିଲେ। ସେହିପରି ୧୯୮୫ରେ ରାଜୀବ ଗାନ୍ଧୀଙ୍କ ନେତୃତ୍ବ ସରକାରରେ ମନ୍ତ୍ରୀ ଥିଲେ। ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ନରସିଂହ ରାଓଙ୍କ ସରକାରରେ ମଧ୍ୟ ସେ ମନ୍ତ୍ରୀ ଥିଲେ। ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସର ସାଧାରଣ ସମ୍ପାଦକ ଥିଲେ।
ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାର କହିଛନ୍ତି ଯେ ଅଣଗାନ୍ଧୀ ପରିବାରର ନେତା ଦଳର ଅଧ୍ୟକ୍ଷ ରହିପାରିବେ। ମାତ୍ର ଦଳରେ ଗାନ୍ଧୀ ପରିବାର ସକ୍ରିୟ ରହିବା ନିଶ୍ଚିତ। ଗାନ୍ଧୀ-ନେହେରୁ ପରିବାର ବାହାର ଲୋକ କଂଗ୍ରେସ ଅଧ୍ୟକ୍ଷ ରହିବା କିଛି ନୂଆ କଥା ନୁହେଁ। ୟୁଏନ୍ ଧେବାରଙ୍କ ଠାରୁ ଆରମ୍ଭ କରି ବ୍ରହ୍ମାନନ୍ଦ ରେଡ୍ଡିଙ୍କ ଭଳି ଅନେକ ଲୋକ କଂଗ୍ରେସର ଅଧ୍ୟକ୍ଷ ରହିଆସିଛନ୍ତି। ଧେବାର ୧୯୫୫ରୁ ୧୯୫୯ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ଥିଲେ। ବ୍ରହ୍ମାନନ୍ଦ ରେଡ୍ଡି ୧୯୭୭ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ସୀତାରାମ କେଶରୀ ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ରହିଥିଲେ। ରାହୁଲ କଂଗ୍ରେସ ଅଧ୍ୟକ୍ଷ ରହିବା ବହୁତ ଭଲ। ଅନ୍ୟପଟେ ରାହୁଲଙ୍କ ଇଚ୍ଛାକୁ ଦଳ ସମ୍ମାନ ଦେବା ଦରକାର ବୋଲି ଆୟାର କହିଛନ୍ତି। ସେ କହିଛନ୍ତି ଯେ ‘ନେହେରୁ-ଗାନ୍ଧୀ ପରିବାର ବିନା ଆମେ ତିଷ୍ଠି ରହିପାରିବୁ। ଅନ୍ୟପଟେ ଗାନ୍ଧୀ-ନେହେରୁ ପରିବାର ଦଳରେ ସକ୍ରିୟ ରହିବା ପୂର୍ବକ ସଙ୍କଟ ସମୟରେ କଂଗ୍ରେସକୁ ସହାୟତା କରିବା ଦରକାର।’

Comments are closed.