ଲଖିମପୁର ଖେରି ହିଂସା : ତିନିଦିନିଆ ପୁଲିସ ଜିମାରେ ଆଶିଷ ମିଶ୍ର

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରିୟଙ୍କାଙ୍କ ମୌନ ବ୍ରତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ସୋମବାରଠାରୁ ୩ଦିନ ପାଇଁ ପୁଲିସ ଜିମାକୁ ପଠାଇ ଦିଆଯାଇଛି। ହିଂସାର ତଦନ୍ତ କରୁଥିବା ପୁଲିସର ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଆଶିଷଙ୍କୁ ୧୪ଦିନ ପାଇଁ ଜିମାରେ ନେବାକୁ ଆବେଦନ କରିଥିଲା। ମାତ୍ର ସ୍ଥାନୀୟ ଅଦାଲତ ତାଙ୍କୁ ୩ ଦିନ ପାଇଁ ଜିମାରେ ପଠାଇଛି। ଅକ୍ଟୋବର ୯ (ଶନିବାର) ଦୀର୍ଘ ୧୨ ଘଣ୍ଟା ଜେରା କରିବା ପରେ ଆଶିଷଙ୍କୁ ପୁଲିସ ଗିରଫ କରିଥିଲା। ଅକ୍ଟୋବର ୩ ତାରିଖରେ ହିଂସା ଘଟିବା ସମୟରେ ଆଶିଷ କେଉଁଠାରେ ଥିଲେ ତାର ସ୍ପଷ୍ଟ ଉତ୍ତର ଦେଇ ପାରି ନଥିଲେ। ଅନ୍ୟପଟେ ଆଶିଷଙ୍କ ମୋବାଇଲ ଲୋକେସନରୁ ଜଣାଯାଇଛି ଯେ ହିଂସା ସମୟରେ ସେ ଘଟଣାସ୍ଥଳରେ ଥିଲେ। ଲଖିମପୁରରେ ଆନ୍ଦୋଳନ କରୁଥିବା କୃଷକଙ୍କ ଉପରେ କାର ମଡାଇ ଦେବାରୁ ୪ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଆନ୍ଦୋଳନକାରୀ କୃଷକଙ୍କ ଆକ୍ରମଣରେ ୨ ବିଜେପି କର୍ମୀ, ଜଣେ ଗାଡି ଚାଳକ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଏହି ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ସୋମବାର ଠାରୁ ମୌନ ବ୍ରତରେ ବସିଛନ୍ତି। ପ୍ରିୟଙ୍କାଙ୍କ ସହିତ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ କୁମାର ଲାଲୁ ଓ ଅନ୍ୟ କଂଗ୍ରେସ ନେତାମାନେ ମୌନ ବ୍ରତରେ ସାମିଲ ହୋଇଛନ୍ତି। କଂଗ୍ରେସର ଜଣେ ମୁଖପାତ୍ର କହିଛନ୍ତି ଯେ ହିଂସାର ମୁକ୍ତ ଓ ନିରପେକ୍ଷ ତଦନ୍ତ ନିମନ୍ତେ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରାଯାଇଛି।

Comments are closed.