ଦରମା ବୃଦ୍ଧି, ସ୍ଥାୟୀ ନିଯୁକ୍ତି ଓ କରୋନା ଡ୍ୟୁଟି ପ୍ରାପ୍ୟ ଦାବି -ଆଶାକର୍ମୀଙ୍କ ସଭା, ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ଲାଞ୍ଜିଗଡ଼,୧୧/୧୨(ନି.ପ୍ର)-ଦୀର୍ଘ ଷୋହଳ ବର୍ଷରୁ ଅଧିକ ସମୟ ହେଲା ଅତ୍ୟନ୍ତ ସ୍ୱଳ୍ପ ପରିମାଣର ପାରିଶ୍ରମିକ ବିନିମୟରେ ସରକାରଙ୍କ ସ୍ୱାସ୍ଥ୍ୟବିଭାଗକୁ ତୃଣମୂଳ ସ୍ତରରେ ଜାବୁଡି ଧରି ରଖିଛନ୍ତି । ଟାଇଁଟାଇଁ ଖରା, ଅବିଶ୍ରାନ୍ତ ବର୍ଷା କିମ୍ବା ହିମ ଶୀତଳ ଶୀତ ଅଥବା ଦିନ ଓ ରାତିରେ ସେମାନେ ଲୋକଙ୍କୁ ସେବା ଯୋଗାଇ ଦେଇଥାନ୍ତି । ସେମାନଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଗାଁ ଗାଁରେ ଏବେ ମାତୃ ଓ ଶିଶୁ ମୃତ୍ୟୁହାର ଆଶାତୀତ ଭାବେ ହ୍ରାସ ପାଇବା ସହିତ ହସ୍ପିଟାଲରେ ସୁରକ୍ଷିତ ପ୍ରସବ ଉପରେ ଗ୍ରାମାଞ୍ଚଳର ଲୋକେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ସେମାନଙ୍କ ଯୋଗୁଁ ଗାଁ ଗହଳିରେ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ସଂପର୍କିତ ସୂଚନା ପହଞ୍ôଚ ପାରୁଛି । ଏପରିକି ମହାମାରୀ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରି ସମୟରେ ଲୋକଙ୍କ ମନରେ ଭୟ ଓ ଆଶଙ୍କା ବସା ବାନ୍ଧିଥିବାବେଳେ ପିଲା, ପରିବାରକୁ ପଛରେ ପକାଇ, ଜୀବନକୁ ବାଜି ଲଗାଇ ବିନା ପିପିଇ କିଟ୍‌ରେ ଲୋକଙ୍କ ସେବାରେ ସେମାନେ ନିୟୋଜିତ ହୋଇଥିଲେ । ସେମାନଙ୍କ ସମର୍ପିତ କାର୍ଯ୍ୟକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧାର ମାନ୍ୟତା ବି ପ୍ରଦାନ କରିଥିଲେ । ତେବେ ସରକାର ଘୋଷଣା ସିନା କରିଦେଲେ, କିନ୍ତୁ ସେମାନଙ୍କ ନା ଦରମା ବୃଦ୍ଧି କଲେ, ନା ସେମାନଙ୍କ ନିଯୁକ୍ତିକୁ ଦେଲେ ସ୍ଥାୟୀ ମାନ୍ୟତା । ଏପରିକି କରୋନା ଡ୍ୟୁଟି ପରେ ବି ସେମାନଙ୍କୁ ଏନେଇ କୌଣସି ପାଉଣା ଦିଆଗଲା ନାହିଁ ।

ଏହାକୁ ନେଇ ଗଭୀର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିବା ସହିତ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ବୋଲାଉଥିବା ଆଶା କର୍ମୀମାନେ ଏବେ ରାଜରାସ୍ତାକୁ ଓହ୍ଲାଇ ନିଜର ହକ୍ ଓ ଅଧିକାର ପାଇଁ ସଭା, ଶୋଭାଯାତ୍ରା ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏପରିକି ରାଜ୍ୟସଭା ସାଂସଦ ସୁବାସ ସିଂ ରାଜ୍ୟସଭାରେ ଏକ ପ୍ରଶ୍ନ ପଚାରିବା ସହିତ ରାଜ୍ୟର ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ସଂପର୍କରେ ଦାବି ଉପସ୍ଥାପନ କରିଥିଲେ । ତେବେ ତୃଣମୂଳ ସ୍ତରରେ ବହୁ ବାଧାବିଘ୍ନ ସତ୍ତ୍ୱେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଆଶା କର୍ମୀଙ୍କ ଦାବିକୁ ସାଂସଦ ଶ୍ରୀ ସିଂ ନଜରଅନ୍ଦାଜ କରିବାକୁ ନେଇ ସଂଘର କର୍ମକର୍ତ୍ତା ମାନେ ଦୁଃଖ ପ୍ରକାଶ କରିଛନ୍ତି । ଆଜି ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ଆଶା କର୍ମୀ ସଂଘ ସମୂହର ଆହ୍ୱାନରେ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଏକ ବିଶାଳ ଶୋଭାଯାତ୍ରା ପରେ ଏକ ସଭାର ଆୟୋଜନ କରାଯାଇଛି । ଏହାସହିତ ଦରମା ବୃଦ୍ଧି, ସ୍ଥାୟୀ ନିଯୁକ୍ତି ଓ କରୋନା ଡ୍ୟୁଟି ପାଇଁ ପ୍ରାପ୍ୟ ନମିଳିଲେ କରୋନା ଡ୍ୟୁଟି ନକରିବା ସଂପର୍କିତ ଏକ ଦାବିପତ୍ର ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଓଡିଶା ଆଶା କର୍ମୀ ସଂଘର ରାଜ୍ୟ ସଂପାଦିକା ପଙ୍କଜିନୀ ନାୟକ, କଳାହାଣ୍ଡି ଜିଲ୍ଲା ଆଶା କର୍ମୀ ସଂଘର ସଭାନେତ୍ରୀ ଶାନ୍ତି ମାଝୀ, ଜିଲ୍ଲା କର୍ମକର୍ତ୍ତା ରାଜେଶ୍ୱରୀ ସେଠୀ, ସୁଭାଷିନୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଲାଞ୍ଜିଗଡ ବ୍ଲକ ଆଶା କର୍ମୀ ସଂଘର ସଭାନେତ୍ରୀ ଲକ୍ଷ୍ମୀ ବାଗ, ସଂପାଦିକା ପଙ୍କଜିନୀ ବାଣୁଆ, କୋଷାଧ୍ୟକ୍ଷା ବିଚିତ୍ରା ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେକ୍ଟର ଲିଡର କଳ୍ପନା ପଧାନ, ପ୍ରମିଳା ବେହେରା, ପ୍ରେମଶୀଳା ହରିଜନ, ସୁଦେଷ୍ଣା ସାହୁ, ରାଧିକା ନାଏକ, କଳ୍ପନା ଦୋରା, ମୀରା ହରିଜନ, ଭାରତୀ ଦୋରା, ସତ୍ୟଭାମା ବିଶୋଇ, ପ୍ରମିଳା ବାଗଙ୍କ ସମେତ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତର ବିଭିନ୍ନ ଗାଁରୁ ଶତାଧିକ ଆଶା କର୍ମୀ ସାମିଲ ହୋଇଥିଲେ ।

Comments are closed.