ଭାରତର ଆକ୍ଟ-ଇଷ୍ଟ ନୀତି: ଦକ୍ଷିଣ-ଚୀନ୍‍ ସାଗର ଓ ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ

ଭାରତର ଆକ୍ଟ-ଇଷ୍ଟ ନୀତିରେ ଆସିଆନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ବୃହତ୍ତର ଦୂରଦୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁତ୍ୱାରୋପ କରିଛନ୍ତି। ବୁର୍ଣ୍ଣେଇର ନିମନ୍ତ୍ରଣ କ୍ରମେ ଅଷ୍ଟଦଶ ଭାରତ ଆସିଆନ ଶୀର୍ଷ ବୈଠକରେ ଭର୍ଚୁଆଲ ଅଂଶଗ୍ରହଣ ସମୟରେ ଶ୍ରୀ ମୋଦୀ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କୋଭିଡ ମହାମାରୀର ମୁକାବିଲା ପାଇଁ ସଂଗ୍ରାମ କ୍ଷେତ୍ରରେ ଭାରତର ଉଦ୍ୟମ ପ୍ରସଙ୍ଗରେ କହିଛନ୍ତି। ଏ କ୍ଷେତ୍ରରେ ଆସିଆନ ଦେଶ ସମୂହର ସମର୍ଥନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ମିଆଁମାର ପାଇଁ ଆସିଆନ ମାନିବୀୟ ସହାୟତା ଅଧୀନରେ ଭାରତ ୨ଲକ୍ଷ ଡଲାର ମୂଲ୍ୟର ଚିକିତ୍ସା ସରଞ୍ଜାମ ଯୋଗାଇବା ସଙ୍ଗେ ସଙ୍ଗେ ଆସିଆନ କୋଭିଡ ସହାୟତା ପାଣ୍ଠିକୁ ୧ ନିୟୁତ ଡଲାର ପ୍ରଦାନ କରିବା ବିଷୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତ-ଆସିଆନ୍‍ ଭାଗିଦାରୀ ସମ୍ପର୍କର ୩୦ତମ ବାର୍ଷିକୀ ପାଳନ ଅବସରରେ ୨୦୨୨ ମସିହାକୁ ଭାରତ-ଆସିଆନ ମିତ୍ର ବର୍ଷ ଭାବେ ପାଳନ କରିବାକୁ ନେତାମାନେ ଘୋଷଣା କରିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ଭାରତର ଭାରତ-ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ଦେଶଗୁଡ଼ିକ ପାଇଁ ସମନ୍ୱୟ ବୃଦ୍ଧି କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଶାନ୍ତି, ସ୍ଥିରତା ଓ ସମୃଦ୍ଧି କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଆସିଆନ ମିଳିତ ବିବୃତ୍ତିକୁ ନେତାମାନେ ସ୍ୱାଗତ ଜଣାଇଛନ୍ତି।

ଭାରତ-ଆସିଆନ୍‍ ସଂଯୋଗ ସ୍ଥାପନ ବୃଦ୍ଧି ଏବଂ ଗମନାଗମନ ଓ ଡିଜିଟାଲ ମାଧ୍ୟମରେ ଲୋକାମାନଙ୍କ ସହ ସଂପର୍କ ସ୍ଥାପନ ଲାଗି ନେତାମାନେ ମତ ଆଦାନପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ୍‍ ସାଂସ୍କୃତିକ ପରମ୍ପରା ତାଲିକା ପ୍ରସ୍ତୁତ କରିବା ଲାଗି ଭାରତର ସମର୍ଥନ ବିଷୟ ଘୋଷଣା କରିଛନ୍ତି। ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ କୋଭିଡ ମହାମାରୀ ପରବର୍ତ୍ତୀ କାଳରେ ଯୋଗାଣ ଶୃଙ୍ଖଳାକୁ ମଜଭୁତ କରିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

ଏହି ସମ୍ମିଳନୀରେ ସମସ୍ତଙ୍କ ସ୍ୱାର୍ଥରକ୍ଷା ହେଲାଭଳି ଏବଂ ସବୁ ଦେଶଗୁଡ଼ିକ ପକ୍ଷରୁ ପ୍ରକାଶ କରାଯାଇଥିବା ଉଦ୍‍ବେଗ ସଂକ୍ରାନ୍ତ ଆଞ୍ଚଳିକ ଓ ଅନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଛି। ଦକ୍ଷିଣ-ଚୀନ୍‍ ସାଗର ଓ ଆତଙ୍କବାଦ ସଂକ୍ରାନ୍ତରେ ବିଶେଷଭାବେ ଆଲୋଚନା ହୋଇଛି। ଶାନ୍ତି, ସ୍ଥିରତା, ସୁରକ୍ଷା ଏବଂ ଦକ୍ଷିଣ-ଚୀନ୍‍ ସମୁଦ୍ରରେ ନିରାପତ୍ତା ବଜାୟ ରଖିବା ପାଇଁ ନେତାମାନେ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି।

Comments are closed.