ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡାଦେଶ

ଅହମ୍ମଦାବାଦ : ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଏକ ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଏଥିସହିତ ତାଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ଆଦେଶ ହୋଇଥିବାବେଳେ ତିନି ସହଯୋଗୀଙ୍କୁ ୧୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ହୋଇଛି। ଗୁଜରାଟର ସୁରତସ୍ଥିତ ଅଦାଲତ ଗତ ୨୬ ତାରିଖରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ ପାଇଁ ମଙ୍ଗଳବାରକୁ ଧାର୍ଯ୍ୟ କରିଥିଲେ। ୨୦୧୩ରେ ନାରାୟଣ ଓ ବାପା ଆଶାରାମଙ୍କ ବିରୋଧରେ ସୁରତର ଦୁଇ ଭଉଣୀ ବଳାତ୍କାର ଅଭିଯୋଗ ଆଣିଥିଲେ। ଜଣେ ଭଉଣୀ ୨୦୦୨ରୁ ୨୦୦୫ ମଧ୍ୟରେ ଆଶ୍ରମରେ ଅବସ୍ଥାନ କରୁଥିଲାବେଳେ ନାରାୟଣ ତାଙ୍କୁ ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗରେ ଦର୍ଶାଇଥିଲେ। ଆଶାରାମ ନିଜେ ବଳାତ୍କାର ଓ ଅନ୍ୟାନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ରାଜସ୍ଥାନର ଯୋଧପୁର କାରାଗାରରେ ଅଛନ୍ତି।

Comments are closed.