୭ ବର୍ଷ ପରେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନି ଏସସି/ଏସଟି ବାଳିକା ଛାତ୍ରୀ ନିବାସ

ବଙ୍ଗୋମୁଣ୍ଡା : ସରକାର ଶିକ୍ଷାର ବିକାଶ ପାଇଁ  ଯୋଜନା ପରେ ଯୋଜନା କରୁଛନ୍ତି । ଗୁଣାତ୍ମକ ଏବଂ ବାଧ୍ୟତାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଛାତ୍ରୀ ମାନେ ରହିବା ପାଇଁ ସ୍ୱତନ୍ତ୍ର ଭାବେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ହଷ୍ଟେଲ ନିର୍ମାଣ କରାଯାଉଛି । ପ୍ରଶାସନିକ ଆନ୍ତରିକତା ଅଭାବରୁ ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ନିର୍ମାଣ ହେଉଥିବା ୧୦୦ ଶଯ୍ୟା ବିଶିଷ୍ଟ ଏସସି,ଏସଟି ଛାତ୍ରୀ ନିବାସ ଦୀର୍ଘ ୭ ବର୍ଷ ପରେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନାହିଁ ।
ଆର.ଏଲ.ଟି.ଏପି ଅନୁଦାନରେ ୨୦୧୨-୧୩ ମସିହାରେ ୧ କୋଟି ୭ ଲକ୍ଷ ୭୧ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା ଛାତ୍ରୀ ନିବାସ ପ୍ରଶାସନିକ ଅବହେଳା ଏବଂ ଠିକାଦାରଙ୍କ ମନୋମୁଖୀ କାମ ଯୋଗୁଁ ଦୀର୍ଘ ୭ ବର୍ଷ ପରେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁ ନାହିଁ । କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁଁ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରି ନଥିବା ବେଳେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ତେ୍ୱ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନାହିଁ। ଦୂର ଦୂରାନ୍ତରରୁ ଛାତ୍ରୀ ହଷ୍ଟେଲ ରେ ରହି ପାଠ ପଢିବେ ଏହି ଉଦ୍ଦେଶ୍ୟରେ ତିଆରି କରାଯାଇଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଅନେକ ଛାତ୍ରୀ ହଷ୍ଟେଲରେ ରହିବା ସୁବିଧାରୁ ବଞ୍ôଚତ ହେଉଛନ୍ତି । ପ୍ରଶାସନକୁ ଜଣାଇଲେ କାମ ସଂପୂର୍ଣ୍ଣ ହୋଇଯାଇଥିବା କହୁଥିବା ବେଳେ ବର୍ତ୍ତମାନ ସୁଦ୍ଦା କାମ ଅସଂପୂର୍ଣ୍ଣ ରହିଛି। ପ୍ରଶାସନର ଏଭଳି ଖାମଖିଆଲିକୁ ନୀତି ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ଭିିଜିଲାନ୍ସ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ତଥା ଏସଟି ଏସସି ଭିଜିଲାନ୍ସ ମନିଟରିଂ କମିଟିର ସଦସ୍ୟ ସତ୍ୟ ନାରାୟଣ ଭୋଇ।ଏ ସଂପର୍କ ରେ ବଙ୍ଗୋମୁଣ୍ଡା ବିଡିଓ ଅନିରୁଦ୍ଧ ପ୍ରଧାନ ଙ୍କୁ ପଚାରିବାରୁ ଠିକାଦାର କୁ ଡାକି ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ତାଗିଦ କରିଥିବା ପ୍ରକାଶ କରିଥିଲେ।

Comments are closed.