ଔଷଧ ବଣ୍ଟନ ବେଳେ ଟଳିପଡିଲେ ଆଶାଦିଦି

ଖୋର୍ଦ୍ଧା  : ନିଜ କର୍ତ୍ତବ୍ୟ କରୁଥିବା ପୂର୍ଣ୍ଣିମାସୀ ବଳିୟାରସିଂହ ନାମ୍ନୀ ଜଣେ ଆଶାକର୍ମୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ତାଙ୍କ ଘର ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ଅଟେ । ସେ ରାଜ୍ୟ ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗରେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରି ଆସୁଥିଲେ । ତାଙ୍କୁ ଓରବରସିଂହ ପଂଚାୟତର ଡିହଖଳା, ହିରିମୂଳ ଓ ଦୁର୍ଗାପୁର ଗ୍ରାମର ସ୍ୱାସ୍ଥ୍ୟ ସେବାର ଦାୟିତ୍ୱ ଦିଆଯାଇଥିଲା । ସେ ଆଜି ଡିହଖଳା ଗ୍ରାମରେ ଘରକୁ ଘର ବୁଲି ଛୋଟପିଲା ଓ ବୟସ୍କମାନଙ୍କ ପାଇଁ ଆବଶ୍ୟକୀୟ ଔଷଧ ବଣ୍ଟନ କରୁଥିବା ବେଳେ ହଠାତ ତଳେ ପଡିଯାଇଥିଲେ । ଗ୍ରାମବାସୀମାନେ ତୁରନ୍ତ ତାଙ୍କୁ ଏକ ଅଟୋ ସାହାଯ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜିଲା ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀଙ୍କ ଭିଡ ଜମିଥିଲା । ତାଙ୍କର କୋଭିଡ୍ ଟେଷ୍ଟ କରାଯିବ ଏବଂ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସିଡିଏମ୍ଓ ବିଶ୍ୱରଞ୍ଜନ ପତି କହିଛନ୍ତି । ଅନ୍ୟ ପଟେ ମୃତ ଆଶାକର୍ମୀଙ୍କ ସ୍ୱାମୀ ବେଣୁଧର ବଳିୟାରସିଂହ ଏ ସମ୍ପର୍କରେ ଖୋର୍ଦ୍ଧା ଆଦର୍ଶ ଥାନାରେ ଏକ ଏତଲା ଦେଇଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.