ଆର୍ଯ୍ୟନ୍‌ଙ୍କ ଜାମିନ ଶୁଣାଣି ୧୩କୁ ଘୁଞ୍ଚିଲା

ମୁମ୍ବଇ : ମାଦକ ପାର୍ଟି ମାମଲାରେ ଗିରଫ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ସୋମବାର ଅଦାଲତରୁ ଆଶ୍ବସ୍ତି ମିଳି ନାହିଁ। ମୁମ୍ବଇ ସେସନ୍ସ ଅଦାଲତ ବିଚାରପତି ସୋମବାର ଆଗତ ଜାମିନ ଆବେଦନ ଉପରେ ଶୁଣାଣି ଆସନ୍ତା ୧୩କୁ ସ୍ଥଗିତ ରଖିଛନ୍ତି। ସେ ପର୍ଯ୍ୟନ୍ତ ଆର୍ଯ୍ୟନଙ୍କୁ ଆର୍ଥର ରୋଡ କାରାଗାରରେ ରହିବାକୁ ପଡ଼ିବ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସେଦିନ ନିଜର ଜବାବ ଦାଖଲ କରିବ। ଜବାବ ଦାଖଲ ପାଇଁ ଏନ୍‌ସିବି ଅଧିକ ଗୋଟିଏ ସପ୍ତାହ ସମୟ ମାଗୁଥିଲେ ମଧ୍ୟ ବିଚାରପତି ଭି.ଭି ପଟେଲ ଏହାକୁ ଅଗ୍ରାହ୍ୟ କରିବା ସହ ବୁଧବାର, ୧୩ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଜବାବ ମିଳିବା ପରେ ଅପରାହ୍ଣରେ ଜାମିନ ଆବେଦନ ଉପରେ ଶୁଣାଣି ଧାର୍ଯ୍ୟ ହୋଇଛି। ଶନିବାର ମୁମ୍ବଇ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଆର୍ଯ୍ୟନଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରି ସେସନ୍ସ ଅଦାଲତକୁ ଯିବା ପାଇଁ ନିର୍ଦେଶ ଦେଇଥିଲେ।
ଅପରପକ୍ଷରେ ଆର୍ଯ୍ୟନ୍‌ଙ୍କୁ ଗିରଫ କରାଯିବା ନେଇ ବିବାଦରେ ଥିବା ଏନ୍‌ସିବି ଅଧିକାରୀ ସମୀର ୱାନଖେଡେ ସୋମବାର ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଗତିବିଧିକୁ କିଛି ସନ୍ଦିଗ୍ଧ ବ୍ୟକ୍ତି ଅନୁଧ୍ୟାନ କରୁଥିବା ସେ ଲକ୍ଷ୍ୟ କରୁଛନ୍ତି। ଏ ନେଇ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବା ୱାନ୍‌ଖେଡେ ପୁଲିସକୁ ଅବଗତ କରିଛନ୍ତି। ଏହାର ପ୍ରମାଣ ସ୍ବରୂପ ସେ କେତେକ ସିସିଟିଭି ଚିତ୍ର ପୁଲିସ ନିକଟରେ ଦାଖଲ କରିଥିବା ଜଣାଯାଇଛି। ଅନ୍ୟ ପଟେ ତାଙ୍କ ବିରୋଧରେ ଅଭିଯୋଗ ସଂଖ୍ୟା ବଢ଼ିଚାଲିଛି। ପୂର୍ବରୁ ଏନ୍‌ସିପି ନେତା ନୱାବ ମାଲିକ ସମୀରଙ୍କର ବିଜେପି ନେତାଙ୍କ ସହ ସମ୍ପର୍କ ଥିବାରୁ ସେ ତିନି ଜଣ ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ଅଭିଯୋଗ କରିଥିଲେ। ଏବେ ଆଉ ଗୋଟିଏ ନୂଆ ଅଭିଯୋଗ ଆସିଛି। ଆର୍ଯ୍ୟନ୍‌ଙ୍କ ବାପା ଶାହରୁଖଙ୍କୁ ୨୦୧୧ ଜୁଲାଇ ୧୯ରେ କିଛି ସମୟ ପାଇଁ ଅଟକ ରଖିଥିଲେ। ୱାନଖେଡେ କଷ୍ଟମ ବିଭାଗରେ କାର୍ଯ୍ୟ କରୁଥିବାବେଳେ ମୁମ୍ବଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ନିଯୁକ୍ତ ଥିଲେ। ସେତେବେଳେ ବ୍ରିଟେନ୍‌ ଓ ହଲାଣ୍ଡରୁ ଫେରୁଥିବା ଶାହରୁଖ କିଛି ବିଦେଶୀ ସାମଗ୍ରୀ ଆଣିଥିଲେ। ସେ କଷ୍ଟମ ଡ୍ୟୁଟି ଦେଇ ନ ଥିବାରୁ ୱାନଖେଡେ ତାଙ୍କୁ ଅଟକାଇଥିଲେ। ଯାଞ୍ଚ ପରେ ଶାହରୁଖ ଦେଢ଼ ଲକ୍ଷ ଟଙ୍କା କଷ୍ଟମ ଡ୍ୟୁଟି ଦେଇ ମୁକୁଳିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ କିଛିଟା ବିବାଦ ରହିଥିଲା ବୋଲି କୁହାଯାଏ। ଅନ୍ୟ ଏକ ଘଟଣାରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କହିଛନ୍ତି ଯେ ଖାଁ ସାଙ୍ଗ୍ୟା ପାଇଁ ଶାହରୁଖଙ୍କୁ ବଦାନମ କରାଯାଉଛି। ପୁଅ ନିକଟରୁ ମାଦକ ଦ୍ରବ୍ୟ ଜବତ ହୋଇ ନ ଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି।

Comments are closed.