ଆର୍ଯ୍ୟନଙ୍କ ଗିରଫ ମାମଲାରେ ସାକ୍ଷୀ ପ୍ରଭାକରଙ୍କ ଲାଞ୍ଚ ଅଭିଯୋଗ : ୱାଙ୍ଖେଡେଙ୍କ ବିରୋଧରେ ତଦନ୍ତ ନିର୍ଦେଶ

ମୁମ୍ବଇ : ନାର୍କୋଟିକ୍ସ କ‌େଣ୍ଟ୍ରାଲ ବ୍ୟୁରୋ (ଏନସିବି) ଏହାର ଆଞ୍ଚଳିକ ନିର୍ଦେଶକ ସମୀର ୱାଙ୍ଖେଡେଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦେଇଛି । ମୁମ୍ବଇ ଉପକୂଳରେ ବିଳାସପୂର୍ଣ୍ଣ ଜଳ ଜାହାଜ (କ୍ରୁଜ୍)ରେ ଚଢଉ କରି ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୂଅ ଆର୍ଯ୍ୟନ ଖାଁଙ୍କୁ ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ଗିରଫ କରିଥିବା ଏନସିବିର ଅଧିକାରୀ ହେଉଛନ୍ତି ସମୀର ୱାଙ୍ଖେଡେ। ତେବେ ଆର୍ଯ୍ୟନଙ୍କୁ ଗିରଫ ପରେ ତାଙ୍କ ମୁକ୍ତି ନେଇ ୱାଙ୍ଖେଡେ ୨୫କୋଟି ଟଙ୍କା ଲାଞ୍ଚ ଦାବି କରିଥିବା ନେଇ ଜଣେ ସାକ୍ଷୀ ଅଭିଯୋଗ କରିଛନ୍ତି। ରବିବାର ପ୍ରଭାକର ସେଲ୍ ନାମକ ଜଣେ ସାକ୍ଷୀ ନୋଟାରୀ ସତ୍ୟପାଠ ମାଧ୍ୟମରେ ଏପରି ଅଭିଯୋଗ ଆଣିବା ପରେ ଏନସିବି ୱାଙ୍ଖେଡେଙ୍କ ବିରୋଧରେ ତଦନ୍ତ ନିମନ୍ତେ ଦୁର୍ନୀତି ନିବାରଣ ବିଭାଗକୁ ନିର୍ଦେଶ ଦେଇଛି। ଏନସିବିର ଉପ ମହାନିର୍ଦେଶକ ଜ୍ଞାନେଶ୍ବର ସିଂହ କହିଛନ୍ତି ଯେ ୱାଙ୍ଖେଡେଙ୍କ ବିରୋଧରେ ଆସିଥିବା ଅଭିଯୋଗର ସେ ଅନୁଧ୍ୟାନ କରୁଛନ୍ତି। ତେବେ ୱାଙ୍ଖେଡେ ନିଜ ପଦରେ ରହିବେ କି ନାହିଁ ହୋଇଥିବା ପ୍ରଶ୍ନର ଉତ୍ତରରେ ସିଂହ କହିଛନ୍ତି ଯେ ବର୍ତ୍ତମାନ ଏ ସମ୍ପର୍କରେ କିଛି ନିଷ୍ପତ୍ତି ନିଆଯାଇ ନାହିଁ । ତଦନ୍ତ ଏବେ ମାତ୍ର ଆରମ୍ଭ ହୋଇଛି । ସିଂହ ଏନସିବିର ଦୁର୍ନୀତି ନିବାରଣ ମୁଖ୍ୟ ପଦରେ ମଧ୍ୟ ରହିଛନ୍ତି। ସେ କହିଛନ୍ତି ଯେ ଦୁର୍ନୀତି ନିବାରଣ ବିଭାଗ ଆଭ୍ୟନ୍ତରୀଣ ତଦନ୍ତ କରିବ। ଏନସିବି ବିରୋଧରେ ଆସିଥିବା ଏହି ଲାଞ୍ଚ ଅଭିଯୋଗ ଉପରେ ମହାନିର୍ଦେଶକଙ୍କୁ ରିପୋର୍ଟ ଦିଆଯାଇଥିବା ସେ କହିଛନ୍ତି। ଅନ୍ୟପଟେ ସୋମବାର ୱାଙ୍ଖେଡେ ଦିଲ୍ଲୀ ଯାତ୍ରା କରିଛନ୍ତି। ମଙ୍ଗଳବାର ସେ ଏନସିବି ମୁଖ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେବେ। ସେହିପରି ୱାଙ୍ଖେଡେଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିବା ପ୍ରଭାକର ସୋମବାର ମୁମ୍ବଇ ପୁଲିସ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଯୁଗ୍ମ ଆୟୁକ୍ତଙ୍କୁ ଭେଟିଛନ୍ତି। ପ୍ରଭାକର ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରିଥିବାବେଳେ ପୁଲିସର ସୁରକ୍ଷା ଲୋଡିଛନ୍ତି। ପ୍ରଭାକରଙ୍କ ଅନୁରୋଧ ଆଧାରରେ ତାଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଥିବା ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଦିଲୀପ ପାଟିଲ କହିଛନ୍ତି। ପାଟିଲ କହିଛନ୍ତି ଯେ ଜଣଙ୍କ ଜୀବନ ପ୍ରତି ବିପଦ ଥିବାବେଳେ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ଆମର କର୍ତ୍ତବ୍ୟ। ପ୍ରଭାକର ଜଣେ ସ୍ବାଧୀନ ସାକ୍ଷୀ। ସେ କେପି ଗୋସାଭିଙ୍କ ଗାଡି ଚାଳକ ତଥା ଅଙ୍ଗରକ୍ଷୀ। ଗୋସାଭି ଏନସିବିର ତାଲିକାଭୁକ୍ତ ଜଣେ ସାକ୍ଷୀ। ମାତ୍ର ସେ ଏବେ ଫେରାର ଅଛନ୍ତି। ମୁମ୍ବଇ କ୍ରଜ୍‌ରେ ଚଢଉ ସମୟରେ ଏନସିବି ସହିତ ଗୋସାଭି ଓ ପ୍ରଭାକର ଉପସ୍ଥିତ ଥିଲେ। ଚଢଉ ସମୟରେ ଆର୍ଯ୍ୟନଙ୍କୁ ଏନସିବି ପ୍ରଥମେ ଅଟକ ରଖିଥିଲା। ତାଙ୍କୁ ଛାଡିଦେବା ଲାଗି ଏନସିବିର ଅଧିକାରୀ ୨୫କୋଟି ଟଙ୍କା ଲାଞ୍ଚ ନେଇ ଗୋସାଭିଙ୍କ ମାଧ୍ୟମରେ କଥାବାର୍ତ୍ତା କରିଥିବା ପ୍ରଭାକର ଅଭିଯୋଗ କରିଛନ୍ତି। ପରେ ୧୮ କୋଟି ଟଙ୍କାରେ ଆର୍ଯ୍ୟନଙ୍କୁ ମୁକ୍ତ କରିବା ଲାଗି ବୁଝାମଣା ହୋଇଥିଲା। ମାତ୍ର ଏହି ବୁଝାମଣା ସଫଳ ହୋଇ ନଥିଲା।

Comments are closed.