କାଶ୍ମୀର ପରିଚାଳନାରେ ବିଜେପି ବିଫଳ: କେଜରିୱାଲ

ନୂଆଦିଲ୍ଲୀ: କାଶ୍ମୀରରେ ପଣ୍ଡିତ ଓ ହିନ୍ଦୁଙ୍କୁ ହତ୍ୟା କରାଯିବା ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଜେପିକୁ ସମାଲୋଚନା କରିଛନ୍ତି। ରବିବାର କେଜରିୱାଲ କହିଛନ୍ତି ଯେ ଗତ ୨ବର୍ଷ ମଧ୍ୟରେ କାଶ୍ମୀର ପଣ୍ଡିତଙ୍କୁ ଦୁଇଥର ସ୍ଥାନାନ୍ତର ପାଇଁ ବାଧ୍ୟ କରାଯାଇଛି। ଆଉ ଏହି ଦୁଇଥର ସ୍ଥାନାନ୍ତର ବିଜେପି ଶାସନ ସମୟରେ ହିଁ ଘଟିଛି। ଏହାର ଅର୍ଥ କାଶ୍ମୀରକୁ ଶାସନ କରିବାରେ ବିଜେପି ବିଫଳ ହୋଇଛି। ଜନ୍ତରମନ୍ତରରେ ଆମ୍ ଆଦମୀ ପାର୍ଟି (ଆପ୍‌)ର ଜନ ଆକ୍ରୋଶ ରାଲିକୁ ସମ୍ବୋଧନ କରି କେଜରିୱାଲ କହିଛନ୍ତି ଯେ ବିଜେପିକୁ କେବଳ ଘୃଣ୍ୟ ରାଜନୀତି ଜଣା। ସେ କହିଛନ୍ତି ଯେ କାଶ୍ମୀର ସମ୍ପର୍କରେ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି ତାହା ଜଣାନ୍ତୁ। କାଶ୍ମୀର ପଣ୍ଡିତଙ୍କ ସହିତ ସରକାର ଯେଉଁ ବୁଝାମଣା କରିଛନ୍ତି ତାକୁ ରଦ୍ଦ କରନ୍ତୁ। ଆପ୍ ନେତା ମନୀଷ ସିସୋଦିଆ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଛନ୍ତି। କାଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟାକୁ ଆମେ ସହ୍ୟ କରିପାରିବୁ ନାହିଁ। କାଶ୍ମୀର ପଛରେ ସାରା ଭାରତ ରହିଛି।

Comments are closed.