ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଅରୁଣାଚଳ ରାଜ୍ୟପାଳ

0

ଇଟାନଗର : ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବ୍ରିଗେଡିୟର ବି.ଡି ମିଶ୍ର ମାନବିକତା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ଗୁରୁତର ଅବସ୍ଥାରେ ଥିବା ଜଣେ ପ୍ରସୂତିଙ୍କୁ ରାଜଭବନ ହେଲିକପ୍ଟରରେ ତାୱଙ୍ଗଠାରୁ ଇଟାନଗର ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇ ସେ ତାଙ୍କର ଜୀବନ ରକ୍ଷା କରିଛନ୍ତି। ଆହୁରି ବଡ଼ କଥା ହେଉଛି, ତେଜପୁରଠାରେ ତାଙ୍କ ହେଲିକପ୍ଟର ଜାଳେଣି ଭରିବା ପରେ ଏଥିରେ ଯାନ୍ତ୍ରିକ ସମସ୍ୟା ଦେଖାଦେବାରୁ ରାଜ୍ୟପାଳ ତୁରନ୍ତ ବିମାନବାହିନୀର ଏକ ହେଲିକପ୍ଟର ମଗାଇ ସମ୍ପୃକ୍ତ ପ୍ରସୂତି ଓ ତାଙ୍କ ସ୍ୱାମୀଙ୍କୁ ପ୍ରଥମେ ଡାକ୍ତରଖାନା ପାଂଇଥିଲେ। ସେ ନିଜେ ଅନ୍ୟ ଏକ ହେଲିକପ୍ଟରରେ ରାଜଭବନ ଫେରିଥିଲେ। କେବଳ ସେତିକି ନୁହେଁ; ରାଜ୍ୟପାଳ ଇଟାନଗର ବିମାନବନ୍ଦରଠାରେ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଇବା ସହ ଜଣେ ମହିଳା ଡାକ୍ତରଙ୍କୁ ମହଜୁଦ କରାଇଥିଲେ। ବିନା ବିଳମ୍ବରେ ପ୍ରସୂତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଇବା ଦ୍ୱାରା ତାଙ୍କର ଜୀବନ ରକ୍ଷା ହେବା ସହ ଜରୁରୀ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ ହୋଇପାରିଥିଲା। ତୱାଙ୍ଗରୁ ଇଟାନଗର ୨୦୦କିମି ଦୂର ହୋଇଥିଲାବେଳେ ପାହାଡ଼ିଆ ରାସ୍ତାରେ ଗାଡ଼ିରେ ଗଲେ ଅନ୍ୟୁନ ୧୫ଘଣ୍ଟା ଲାଗିଥାଏ; କିନ୍ତୁ ହେଲିକପ୍ଟରରେ ମାତ୍ର ୨ଘଣ୍ଟା ସମୟ ଲାଗିଥିଲା। ସୌଭାଗ୍ୟକୁ ରାଜ୍ୟପାଳ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତୱାଙ୍ଗ ଯାଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ରାଜ୍ୟ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ସ୍ଥାନୀୟ ବିଧାୟକଙ୍କ ମଧ୍ୟରେ ସମ୍ପୃକ୍ତ ପ୍ରସୂତିଙ୍କ ସମ୍ପର୍କରେ ଆଲୋଚନା ଚାଲିଥିଲାବେଳେ ରାଜ୍ୟପାଳ ଏହା ଶୁଣିପାରିଥିଲେ। ତାୱଙ୍ଗ ଓ ଗୁଆହାଟୀ ମଧ୍ୟରେ ଗତ ୩ଦିନ ହେଲା ବିମାନସେବା ବନ୍ଦ ଥିବା ଜାଣିବା ମାତ୍ରେ ସେ ସହାୟତାର ହାତ ବଢ଼ାଇଥିଲେ। ସଫଳ ପ୍ରସବ ପରେ ରାଜ୍ୟପାଳ ବ୍ରିଗେଡିୟର ମିଶ୍ର ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply