ଅରୁଣ ସିଂ ପୁଣି ଓଡ଼ିଶା ବିଜେପି ପ୍ରଭାରୀ

0

ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଜେପି ଦଳୀୟ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ଘୋଷଣ କରିଛି। ପୂର୍ବରୁ ଓଡ଼ିଶା ବିଜେପି ସଂଗଠନ ଦାୟିତ୍ୱରେ ଥିବା ଅରୁଣ ସିଂ ଓଡ଼ିଶାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ତୁଲାଇବେ। ପ୍ରଥମେ ୨୦୧୩ରେ ଶ୍ରୀ ସିଂଙ୍କୁ ଓଡ଼ିଶା ବିଜେପିର ସହ-ପ୍ରଭାରୀ ଏବଂ ପରେ ୨୦୧୪ରେ ପ୍ରଭାରୀ ଦାୟିତ୍ୱ ମିଳିଥିଲା। ଅରୁଣ ସିଂ ଏବେ ବିଜେପି ଓଡ଼ିଶା ପ୍ରଭାରୀ ଦାୟିତ୍ୱ ସମେତ ବିଜେପି ରାଷ୍ଟ୍ରିୟ ସାଧାରଣ ସଂପାଦକ (ମୁଖ୍ୟାଳୟ) ଦାୟିତ୍ୱରେ ମଧ୍ୟ ଅଛନ୍ତି। କେତେକ ରାଜ୍ୟରେ ନିର୍ବାଚନ ପରିଚାଳନା ପାଇଁ କେନ୍ଦ୍ରୀୟ ନେତୃତ୍ୱ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଥିବା ବେଳେ ଓଡ଼ିଶା ବିଜେପି ସଂଗଠନ ପାଇଁ କେବଳ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ପାଇଁ ଦୁଇ ଜଣ ଏବଂ ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ପାଇଁ ଜଣେ ଲେଖାଏଁ ସହ-ପ୍ରଭାରୀଙ୍କୁ ଦାୟିତ୍ୱ ମିଳିଛି। ପୂର୍ବରୁ ଓଡ଼ିଶା ସଂଗଠନ ଦାୟିତ୍ୱ ପାଇଁ ଚର୍ଚ୍ଚାରେ ଥିବା ସୁନିଲ ଦେଓଧର ଆନ୍ଧ୍ର ପ୍ରଦେଶ ବିଜେପି ସହ-ପ୍ରଭାରୀ ଦାୟିତ୍ୱ ତୁଲାଇବେ। ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଭଳି ରାଜ୍ୟର ବିଜେପି ସଂଗଠନକୁ ସମ୍ଭାଳିବା ପାଇଁ ଦକ୍ଷ ସଂଗଠକ ଭାବେ ଜଣାଶୁଣା ମୁରଲୀଧର ରାଓ, ରାମମାଧବ ଏବଂ ସୁନିଲ ଦେଓଧରଙ୍କୁ ମଧ୍ୟରୁ ଜଣକୁ ନିର୍ବାଚନୀ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ଜୋରଧରି ଥିଲା। ତ୍ରିପୁରା ନିର୍ବାଚନରେ ଶାସକ ସିପିଆଇଏମ ଭଳି ଦଳକୁ ଧରାଶାୟୀ କରିଥିବା ଶ୍ରୀ ଦେଓଧର ଓଡ଼ିଶା ପ୍ରଭାରୀ ଦୌଡ଼ରେ ସବୁଠାରୁ ଆଗରେ ଥିଲେ। ସମସ୍ତ କଳ୍ପନାଜଳ୍ପନାର ଅନ୍ତଘଟାଇ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ସଂଗଠନ ଦାୟିତ୍ୱ ଅରୁଣ ସିଂଙ୍କ ଉପରେ ନ୍ୟସ୍ତ କରିଛନ୍ତି। ପୂର୍ବରୁ ଛତିଶଗଡ଼ରେ ଲୋକସଭା ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପରିଚାଳନା ଟିମରେ ରହି ଅରୁଣ ସିଂ ନିର୍ବାଚନ ପରିଚାଳନା କରିଛନ୍ତି। ଓଡ଼ିଶା ବିଜେପି ସହ-ପ୍ରଭାରୀ ଭାବେ ତାଙ୍କର ୨୦୧୪ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ଅଭିଜ୍ଞତା ରହିଛି।

Leave A Reply