ପରଲୋକରେ ଅରୁଣ ଜେଟଲୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ନାହାନ୍ତି। ଶନିବାର ମଧ୍ୟାହ୍ନରେ  ୬୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।ଜେଟଲୀଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ଅରୁଣ ଜେଟଲୀଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ସିଂହଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଶୋକ ପ୍ରକାଶ କରିଛନ୍ତି ।

ଗତ ୯ତାରିଖରେ ଜେଟଲୀ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀ ଏମ୍ସର ହୃଦରୋଗ ବିଭାଗରେ  ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ଏମ୍ସ ପକ୍ଷରୁ ଅନ୍ତଃସ୍ତ୍ରାଵୀ, କିଡ଼ନି ଏବଂ ହୃଦରୋଗ ବିଶେଷଜ୍ଞମାନଙ୍କୁ ନେଇ ଏକ ଡାକ୍ତରୀ ଦଳ ଗଠନ କରାଯାଇ ଜେଟଲୀଙ୍କ ଚିକିତ୍ସା ଚାଲିଥିଲା। ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା କୁହାଯାଇଥିଲା। ଜେଟଲୀଙ୍କୁ ପ୍ରଥମେ ଆଇସିୟୁରେ ରଖାଯାଇଥିଲା ଓ ବିଭିନ୍ନ ବିଭାଗର ଡାକ୍ତରମାନଙ୍କୁ ନେଇ ଗଠିତ ଦଳ ତାଙ୍କ ଚିକିତ୍ସା କରୁଥିଲେ।

ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବା ପରେ ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଥିଲା। କିନ୍ତୁ ଆଜି ଦିନ ୧୨ଟା ୭ମିନିଟରେ ତାଙ୍କର ପରଲୋକ ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ୬୭ ବର୍ଷୀୟ ଜେଟଲୀଙ୍କର ୨୦୧୮ରେ କିଡ଼ନୀ ପ୍ରତିରୋପଣ କରାଯାଇଥିଲା ଓ ଚଳିତ ବର୍ଷ ଜାନୁଆରୀରେ ସେ ମେଡିକାଲ ଚେକ ଅପ ପାଇଁ ଆମେରିକା ଯାଇଥିଲେ। ୨୦୧୪ରେ ମଧ୍ୟ ସେ ମଧୁମେହ ଜନିତ ଓଜନ ହ୍ରାସ ପାଇଁ ଅପରେସନ ହୋଇଥିଲେ। ଅସୁସ୍ଥତା ଯୋଗୁ ସେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନଥିଲେ। ୨୦୧୯ ନିର୍ବାଚନ ଫଳାଫଳ ପରେ ତାଙ୍କୁ କୌଣସି ଦାୟିତ୍ୱ ନ ଦେବାକୁ ଜେଟଲୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ।

Comments are closed.