ଆଜି ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ : ମନେପକାଇ ଭାବବିହ୍ବଳ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭାରତୀୟ ଜନତା ପାର୍ଟି(ବିଜେପି)ର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଠିକ୍ ଗୋଟିଏ ବର୍ଷ ପୂର୍ବେ ଆଜିର ଦିନରେ ସେ ଦେହତ୍ୟାଗ କରିଥିଲେ। ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଜେପି ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ଅନେକ ନେତା ତାଙ୍କୁ ଟ୍ବିଟ୍ କରି ସ୍ମରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବବିହ୍ବଳ ହୋଇ ଟ୍ବିଟ୍ କରି ଲେଖିଛନ୍ତିି, ମୋର ବନ୍ଧୁ ବହୁତ ମନେ ପଡ଼ୁଛନ୍ତି। ଗତ ବର୍ଷ ଆଜିର ଦିନରେ ଆମେ ଶ୍ରୀ ଅରୁଣ ଜେଟଲୀଙ୍କୁ ହରାଇଥିଲୁ। ମୁଁ ମୋର ବନ୍ଧୁଙ୍କୁ ବହୁତ ମନେ ପକାଉଛି। ଅରୁଣ ଜୀ ଯତ୍ନର ସହ ଭାରତର ସେବା କରିଥିଲେ। ତାଙ୍କର ବହୁତ ଭଲ ବ୍ୟକ୍ତିତ୍ବ ସହ ପ୍ରଖର ବୁଦ୍ଧି ଏବଂ ଆଇନଗତ ଦକ୍ଷତା ଥିଲା।


ସେହିଭଳି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି ଲେଖିଛନ୍ତି ଯେ, ଅରୁଣ ଜେଟଲୀ ଜୀ ଜଣେ ବିଶିଷ୍ଟ ରାଜନେତା, ପ୍ରଫୁଲ୍ଲ ବକ୍ତା ତଥା ଜଣେ ମହାନ ମଣିଷ ଥିଲେ। ଦେଶପ୍ରେମ ପାଇଁ ଯିଏ ସର୍ବଦା ସ୍ମରଣୀୟ ରହିବେ।


ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଟ୍ୱିଟ କରି ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି, ଶ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ନମସ୍କାର। ରାଷ୍ଟ୍ର ନିର୍ମାଣରେ ଜନ କଲ୍ୟାଣ ନୀତି ଏବଂ ଯୋଜନାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।


ବିଜେପି  ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ମରଣ କରାଯାଇଛି। ବିଜେପି ପକ୍ଷରୁ ଟ୍ବିଟ୍ କରି ଲେଖାଯାଇଛି ଯେ, ପଦ୍ମଭୂଷଣ ଶ୍ରୀ ଅରୁଣ ଜେଟଲୀ, ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀରେ ବିଶିଷ୍ଟ ପଣ୍ଡିତ, ନିର୍ଦ୍ଦେଶକ, ଓକିଲ, ପ୍ରଶାସକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି।  ଉତ୍ତମ ଜ୍ଞାନର ଉତ୍ତରାଧିକାରୀ ଏବଂ ବିଭିନ୍ନ କ୍ଷେତ୍ରରେ ଆଦର୍ଶ ଅବଦାନ ଭବିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ।

Comments are closed.