ଚିନ୍ତାରେ ଲୋକକଳାକାର, ୬ ମାସ ହେଲା କାମନାହିଁ କି ରୋଜଗାର ନାହିଁ

ଫୁଲବାଣୀ: କନ୍ଧମାଳ ଜିଲାରେ ଲୋକକଳାକାରମାନେ ଏବେ ଦୁର୍ଦିନରେ। କରୋନା କଟକଣା ଯୋଗଁ ଜିଲାର ଲୋକକଳାକାର ମାନଙ୍କର କିଛି ମଧ୍ୟ କାମନାହିଁ। ରୋଜଗାର କହିଲେ କିଛି ନାହିଁ। ସେହିଭଳି ପୂର୍ବରୁ ବିଭିନ୍ନ ବିଭାଗ ପକ୍ଷରୁ ସଚେତନ ପାଇଁ ଯେଉଁ ଲୋକନୃତ୍ୟ କରି କିଛି କିଛି ରୋଜଗାର କରି ପରିବାର ପୋଷଣ କରୁଥିଲେ ତାହା ସଂପୂର୍ଣ୍ଣଭାବେ ବନ୍ଦ ହୋଇଯାଇଛି। ବର୍ତ୍ତମାନ ପରିସ୍ଥିତିରେ ନିଜର ଲୋକକଳାକୁ ନେଇ ଗର୍ବ କରୁଥିବା କଳାକାର ମାନେ ଏବେ ପେଟ ପାଇଁ ଚଳାଇଛନ୍ତି ବିଭିନ୍ନ ପ୍ରକାର ସଂଗ୍ରାମ। ଯେଉଁ ମାନଙ୍କୁ ସରକାର ପେନସନ୍‍ ମିଳିଛି ସେମାନେ କୌଣସି ପ୍ରକାରେ ଜୀବନ ଅତିବାହିତ କରୁଥିବା ବେଳେ ଜିଲାର ଏଭଳି ଶହ ଶହ କଳାକାର ଅଛନ୍ତି ଯେଉଁମାନେ ସରକାରଙ୍କ ପେନସନ୍‍ ଯେଜାନାରେ ମଧ୍ୟ ସାମିଲ୍‍ ହୋଇ ପାରିନାହାନ୍ତି। ଫଳରେ ଗୁଜୁରାଣ ପାଇଁ କିଏ ମୁଲିଆ କାମ କଲାଣି ତ ପୁଣି କିଏ ଆରମ୍ଭ କଲେଣି ପରିବା ବ୍ୟବସାୟ। ଆହୁରି କିଏ ଗାଁ ଗାଁ ବୁଲି କିଛି କିଛି ବିକ୍ରି କରି ଏବେ ବଡ଼ କଷ୍ଟରେ ପରିବାର ପୋଷଣ କରୁଛନ୍ତି। ଅନ୍ୟପକ୍ଷରେ ଜିଲାରେ ଦିନକୁ ଦିନ କରୋନାର କରାଳ ରୁପ ମଧ୍ୟ ଉଗ୍ରରୁପ ଧାରଣ କରୁଛି। ଫଳରେ ଲୋକକାର ମାନେ କିଭଳି ଭାବେ ଆଗାମି ଦିନରେ ବଂଚିବେ ତାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବୋଲି କହିଛନ୍ତି ଲୋକକଳାକାର ଇନ୍ଦ୍ରଜିତ୍‍ କହଁର ଓ ପ୍ରଭାକର ପ୍ରଧାନ। ପାଲା କରି ସେମାନେ ଯେଉଁ କିଛି ରୋଜଗାର କରୁଥିଲେ ତାହା ସଂପୂର୍ଣ୍ଣଭାବେ ବନ୍ଦ ହୋଇ ଯାଇଛି ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଜୀବନ ସହିତ ଜୀବିକା ଚିନ୍ତାରେ ଅନେକ ଭାଙ୍ଗିପଡ଼ିଥିବାର ପ୍ରକାଶ କରିଛନ୍ତି ଗୋଛାପଡ଼ା ସ୍ଥିତ ଟଣାସୁ ଅଞ୍ଚଳର ଲୋକକଳାକାର ଚକ୍ରଧର କହଁର। ଜୀବନ ଏକ ପ୍ରକାର ଦୁର୍ବିସହ ହୋଇଗଲାଣି ବୋଲି କହିଛନ୍ତି ମହିଳା ଲୋକକଳାକାର ସ୍ୱପ୍ନାରାଣି କର୍ଣ୍ଣ। ବର୍ତ୍ତମାନ ପରିସ୍ଥିତିରେ ବଂଚିବା ପାଇଁ ଯେଭଳି ଲଢେଇ କରିବାକୁ ପଡୁଛି ଠିକ୍‍ ସେହିଭଳି ଘରେ ଚୁଲି ଜଳିବା ପାଇଁ ମଧ୍ୟ ଲଢେଇ କରିବାକୁ ପଡୁଛି ବୋଲି କହିଛନ୍ତି ଲୋକକଳାକାର ଅଜୟ କହଁର ,ଅଚ୍ୟୁତ ବେହେରା , ନକୁଳ କହଁର ଓ ଗମ୍ଭୀର ପାତ୍ର ଏବଂ ଜୟ ସାହାଣି ପ୍ରମୁଖ। ତେବେ ପୋଡ଼ଶୀ ଜିଲା ଗଂଜାମରେ ଯେଭଳି ଭାବେ ଲୋକକଳାକୁ ବଂଚାଇବା ସହିତ ଲୋକକଳାକାର ମାନେ ଯେଭଳି କିଛି ରୋଜଗାର କରି ପାରିବେ ସେଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଁ ଗାଁରେ ସଚେତନବାର୍ତ୍ତା ପହଁଚାଇବା ପାଇଁ ବିିଭିନ୍ନ ପ୍ରକାର କଳାକାର ଲୋକକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ପହଞ୍ଚାଉଛନ୍ତି ଠିକ୍‍ ସେହିଭଳି କନ୍ଧମାଳ ଜିଲାରେ ମଧ୍ୟ ଗ୍ରାମାଞ୍ଚଳ ମାନଙ୍କରେ ଏହଳି କାର୍ଯ୍ରକ୍ରମ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇ ଗ୍ରାମାଞ୍ଚଳରେ ସଚେତନ କରିବା ସହିତ ଲୋକକଳାକାର ମାନେ ଯେଭଳି କିଛି ରୋଜଗାର କରିପାରିବେ ସେ ଦିଗରେ ଦୃଷ୍ଟିଦେବା ପାଇଁ ଜିଲାର ବିଭିନ୍ନ ଅଞ୍ଚଳର ଲୋକକଳାକାର ମାନେ ଜିଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

Comments are closed.