ଯୌନ ଅପରାଧୀ ସାବଧାନ !

ନମ୍ରତା ଚଢ଼ା

ମହିଳାଙ୍କ ବିରୋଧରେ ଅପରାଧକୁ ନେଇ ଆମ ଦେଶରେ କୋର୍ଟଙ୍କ ଆଭିମୁଖ୍ୟ ଅତ୍ୟନ୍ତ କଠୋର ହୋଇଛି। ପୋକ୍ସୋ ଆଇନରେ ରୁଜୁ ହେଉଥିବା ମାମଲାରେ କୋର୍ଟ ଅଧିକ ଶକ୍ତ ହେଉଥିବା ଦେଖିବାକୁ ମିଳୁଛି। ନିମ୍ନ ଅଦାଲତଗୁଡ଼ିକ ଏଭଳି ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ପଛାଉନାହାନ୍ତି। ମହିଳା ସୁରକ୍ଷାକୁ ନେଇ କୋର୍ଟଙ୍କ ଏପରି ଆଭିମୁଖ୍ୟ ମହିଳାଙ୍କ ପାଇଁ ଏକପ୍ରକାର ଅଶ୍ବସ୍ତିକର ବିଷୟ ବୋଲି କୁହାଯାଉଛି। ଏଭଳି ଅନେକ ଉଦାହାରଣ ରହିଛି, ଯେଉଁଥିରେ ଅଦାଲତଙ୍କ ସକ୍ରିୟତା ଗଣମାଧ୍ୟମ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଛି। ଏକ ତଥ୍ୟ ଅନୁସାରେ, ଯୌନ ଅପରାଧ ହିଂସା ମାମଲାରେ ଅଦାଲତଗୁଡ଼ିକର ଗମ୍ଭୀରତା ଉପରେ ରିପୋର୍ଟ ଜାରି କରାଯାଇଛି। ଦିଲ୍ଲୀ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ପ୍ରୋଜେକ୍ଟ ୩୯-ଏ’ର ମୃତ୍ୟୁଦଣ୍ଡ ତଥ୍ୟ ଉପରେ ଆଧାରିତ ୫ମ ବାର୍ଷିକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏଥିରେ ଗତବର୍ଷ ଯୌନ ହିଂସା ମାମଲାଗୁଡ଼ିକ ମଧ୍ୟରୁ ୬୫% ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବା ଦର୍ଶାଯାଇଛି, ଯାହା ଯୌନ ହିଂସାକୁ ନେଇ ଦେଶର ଅଦାଲତଗୁଡ଼ିକର କଠୋରତାର ଏକ ପ୍ରମାଣ।

ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ପ୍ରୋଜେକ୍ଟ ୩୯-ଏ ଅଧୀନରେ ମୃତ୍ୟୁଦଣ୍ଡ ତଥ୍ୟ ଉପରେ ଆଧାରିତ ‘ଡେଥ ପେନାଲ୍ଟି ଇନ୍ ଇଣ୍ଡିଆ: ଆନୁଆଲ ଷ୍ଟାଟିଷ୍ଟିକ୍ସ ରିପୋର୍ଟ’ର ଏହା ୫ମ ସଂସ୍କରଣ। ୨୦୨୦ ଡିସେମ୍ବର ୩୧ ସୁଦ୍ଧା ଭାରତରେ ୪୦୪ କଏଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି, ଯେଉଁଥିରୁ ଉତ୍ତର ପ୍ରଦେଶର ୫୯ କଏଦୀ ଥିଲେ। କରୋନା ଯୋଗୁ କୋର୍ଟଙ୍କ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇଯିବାରୁ ମୃତ୍ୟୁ ଦଣ୍ଡ ହ୍ରାସ ପାଇଛି ବୋଲି କୁହାଯାଉଛି। ଟ୍ରାଏଲ କୋର୍ଟଗୁଡ଼ିକ ୨୦୧୯ରେ ୧୦୩ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଗତବର୍ଷ ୭୭ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ତେବେ ଟ୍ରାଏଲ କୋର୍ଟ ଦ୍ବାରା ଯୌନ ଅପରାଧ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଅନୁପାତରେ ବୃଦ୍ଧି ଘଟିଛି। ୨୦୧୯ରେ ୫୩ ପ୍ରତିଶତ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବାବେଳେ ୨୦୨୦ରେ ୬୫ ପ୍ରତିଶତ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ୨୦୨୦ ମାର୍ଚ୍ଚରେ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ମୁକେଶ, ବିନୟ ଶର୍ମା, ଅକ୍ଷୟ କୁମାର ଠାକୁର ଏବଂ ପବନ ଗୁପ୍ତାକୁ ଫାଶୀ ଦଣ୍ଡ ଦିଆଯାଇଥିଲା। ପ୍ରୋଜେକ୍ଟ ୩୯-ଏ’ର ନିର୍ଦେଶକ ଡା. ଅନୁପ ସୁରେନ୍ଦ୍ରନାଥଙ୍କ କହିବା ଅନୁସାରେ, ଦିଲ୍ଲୀ ଗଣଦୁଷ୍କର୍ମ ଏବଂ ୨୦୧୯ ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ଦାବିରେ ବି ବହୁତ ହଙ୍ଗାମା ହୋଇଥିଲା।

ରିପୋର୍ଟ ଅନୁସାରେ, ଗତବର୍ଷ ଦେଶବ୍ୟାପୀ ସେସନ କୋର୍ଟ ତରଫରୁ ୭୬ କଏଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ସେଥିରୁ ୫୦ କଏଦୀ ଅର୍ଥାତ ପ୍ରାୟ ୬୫%ଙ୍କୁ ଯୌନ ଅପରାଧ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ହୋଇଛି, ଯାହା ଗତ ୫ବର୍ଷ ତୁଳନାରେ ସବୁଠୁ ଅଧିକ। ଆଶ୍ଚର୍ଯ୍ୟର କଥା ହେଉଛି ୮୨% ମାମଲାରେ ପୀଡ଼ିତା ନାବାଳିକା। ୨୦୧୬ରେ ୧୭.୬୪% କଏଦୀଙ୍କୁ ଯୌନ ଅପରାଧ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲାବେଳେ ୨୦୨୦ରେ ଏହା ବୃଦ୍ଧି ପାଇ ୬୪.୯୩%ରେ ପହଞ୍ଚିଛି। ଅର୍ଥାତ ଗତ ୫ବର୍ଷରେ ଯୌନ ଅପରାଧ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପ୍ରାୟ ୪୭% ବୃଦ୍ଧି ପାଇଛି। ମହିଳାମାନଙ୍କ ସଚେତନତା ଏବଂ ପୋକ୍ସୋ(POCSO) ଆଇନରେ ପରିବର୍ତ୍ତନ ଯୋଗୁ ଏହା ହୋଇପାରିଥିବା କୁହାଯାଉଛି। ୨୦୧୮ରେ ଏହି ଆଇନରେ ପରିବର୍ତ୍ତନ କରାଯାଇଥିଲା ଏବଂ ୧୨ ବର୍ଷରୁ କମ୍ ବୟସର ଝିଅଙ୍କ ସହିତ ଯୌନ ଅପରାଧ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ବ୍ୟବସ୍ଥା କରାଯାଇଥିଲା।

ସମସ୍ତ ଅଦାଲତ ଯୌନ ଅପରାଧ ମାମଲାଗୁଡ଼ିକୁ ଗମ୍ଭୀରତାର ସହ ନେଉଥିବାରୁ ଏହା ସମାଜ ପାଇଁ ଏକ ଭଲ ସଙ୍କେତ। କେବଳ ଅଦାଲତ ନୁହନ୍ତି, ଗଣମାଧ୍ୟମକୁ ମଧ୍ୟ ଏହାର ଶ୍ରେୟ ଯାଉଛି। ରିପୋର୍ଟିଂ ଏବଂ ଫଲେଆପ୍ ରିପୋର୍ଟ ଯୌନ ଅପରାଧ ମାମଲାଗୁଡ଼ିକର ପୀଡ଼ିତାମାନଙ୍କୁ ନ୍ୟାୟ ଦେବାରେ ସହାୟକ ହେଉଛି। ଏବେ ତ ଯୌନ ଅପରାଧର ଶିକାର ପୀଡ଼ିତାମାନଙ୍କୁ ଯେକୌଣସି ସ୍ଥାନରେ ଅଭିଯୋଗ କରିପାରିବାର ସୁବିଧା ଅଦାଲତଙ୍କ ହସ୍ତକ୍ଷେପ ଯୋଗୁ ମିଳିଛି ଏବଂ ନିଜ ମାମଲାର ସେମାନେ ନ୍ୟାୟିକ ପ୍ରକ୍ରିୟାରେ ବି ଭାଗନେଇ ପାରିବେ। ତେବେ ମହିଳାମାନେ ଏଭଳି ମାମଲାରେ ଅଭିଯୋଗ ଦାଖଲ କରିବାକୁ ଭୟ କରୁଛନ୍ତି, କିନ୍ତୁ ଧୀରେ ଧୀରେ ସବୁ କିଛି ବଦଳିବାରେ ଲାଗିଛି।

୫୩ ଦେଶରେ ମୃତ୍ୟୁଦଣ୍ଡ ପ୍ରାବଧାନ

ମୃତ୍ୟୁଦଣ୍ଡ ସମ୍ପର୍କିତ ଏକ ରିପୋର୍ଟ ଅନୁସାରେ, ବିଶ୍ବବ୍ୟାପୀ ବର୍ତ୍ତମାନ ୫୩ ଦେଶରେ ଯୌନ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବାର ପ୍ରାବଧାନ ରହିଛି। ଆମନେଷ୍ଟି ଇଣ୍ଟରନ୍ୟାଶନାଲର ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରେ ୬୫୭ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା। ୨୦୧୮ରେ ଏହି ତଥ୍ୟ ୬୯୦ ଥିଲା। ମୃତ୍ୟୁ ଦଣ୍ଡାଦେଶ କଥାକୁ ବିଚାରକୁ ନେଲେ ୨୦୧୯ରେ ୨୩୦୭ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ସେଥିରୁ ଇରାନ, ଇରାକ୍, ପାକିସ୍ତାନ ଏବଂ ସାଉଦି ଆରବର ତଥ୍ୟ ସର୍ବାଧିକ ଥିଲା। ତେବେ ଏହି  ତାଲିକାରେ ଚୀନ ଏବଂ ଉତ୍ତର କୋରିଆ ନାମ ସାମିଲ ହୋଇନାହିଁ। କାରଣ ଏହି ଦୁଇ ଦେଶ ନିଜ ତଥ୍ୟକୁ ଗୋପନୀୟ ରଖିଥାନ୍ତି। ଆମନେଷ୍ଟିର କହିବା ଅନୁସାରେ, ଚୀନରେ ପ୍ରତିବର୍ଷ ୧ ହଜାରରୁ ଅଧିକ ଲୋକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥାଏ।

Comments
Loading...