ପରିସ୍ଥିତି ସହିତ ବଦଳିଛି ଆବଶ୍ୟକତା

ସ୍ଵାଗତିକା ସାମନ୍ତରାୟ, ମନସ୍ତତ୍ତ୍ଵବିତ

ଏଇ ଦେଖୁ ଦେଖୁ ବେଶ କିଛି ଦିନ କଟି ଗଲାଣି। ଆମେମାନେ ଲକଡାଉନରେ ଘରେ ରହି ସରକାର ତଥା ସମାଜକୁ ଯଥା ସମ୍ଭବ ସହଯୋଗ କରିଛୁ। କିନ୍ତୁ ପରିସ୍ଥିତି ବଦଳୁଛି ଓ ତା ସହିତ ବଦଳୁଛି ଆମର ସମସ୍ୟା। ପ୍ରଥମେ ପ୍ରଥମେ ଘରେ ରହିବା, କାମକୁ ନ ଯିବା ଓ ସାଙ୍ଗ ସାଥୀମାନଙ୍କୁ ନ ଦେଖିବା ଆମମାନଙ୍କ ପାଇଁ ବଡ ସମସ୍ୟା ଥିଲା। ୟା ଭିତରେ ଅଳ୍ପେ ବହୁତେ ଆମେମାନେ ଏ ନୂଆ ପ୍ରକାରର ଚଳଣିକୁ ଆଦରି ସାରିଲୁଣି। ନିଜେ ନିଜେ ଚିନ୍ତା କରି ବିଭିନ୍ନ ଉପାୟରେ ନିଜକୁ ନିୟୋଜିତ ମଧ୍ୟ ରଖି ପାରୁଛେ। ତା’ଛଡା ନିଜର ବହୁ ଅନ୍ତର୍ନିହିତ ଗୁଣ ସବୁକୁ ଆଉ ଥରେ ଖୋଜି ପ୍ରକାଶ କରେଇ ପାରିଛେ ଆମେମାନେ। ବହୁ ପୂର୍ବରୁ ପ୍ରସିଦ୍ଧ ମନସ୍ତତ୍ବବିତ ଭିଗୋସ୍କି କହିଥିଲେ, ”ଅକ୍ଷମତା ମଣିଷକୁ ସୃଜନକ୍ଷମ କରିଦିଏ” (handicap makes you creative)। ଘରେ ରହି ନିଜର କ୍ଷମତା ପ୍ରକାଶ କରିବା ପାଇଁ ଏହା ଏକ ସୁଯୋଗ ବୋଲି ଭାବିନେବା। ନିଜର ମନୋବଳକୁ ଦୃଢ କରି ଲକଡାଉନର ମୁକାବିଲା କରିଆସୁଛି ସାରା ରାଜ୍ୟ, ଦେଶ ତଥା ସାରା ବିଶ୍ୱ।

କରୋନା ମୁକାବିଲାକୁ ନେଇ ଆମ ସରକାର ନେଇଥିବା ପ୍ରତ୍ୟେକଟି ପଦକ୍ଷେପ ପ୍ରଶଂସନୀୟ। ଲୋକମାନେ ଏହା ଦ୍ୱାରା ବହୁମାତ୍ରାରେ ଉପକୃତ ମଧ୍ୟ ହେଇଛନ୍ତି। କିନ୍ତୁ ଏବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଆସିଛି, ଯାହାର ମୁକାବିଲା ପାଇଁ ସରକାରଙ୍କୁ ଆହୁରି ଅଧିକ ସଚେତନ ଓ ସତର୍କ ହେବାକୁ ପଡିବ। ସମୟ ଆସିଛି ଚିନ୍ତା କରିବାର। ଯେଉଁ ଲୋକମାନେ ବାହାର ରାଜ୍ୟରୁ ଆସି ବର୍ତ୍ତମାନ ଆମ ରାଜ୍ୟରେ ପହଞ୍ଚୁଛନ୍ତି, ସେମାନେ କିପରି ଭାବେ ଭଲରେ କ୍ବାରେଣ୍ଟାଇନ ଅବଧିରେ ସରକାରଙ୍କୁ ସହଯୋଗ କରିବେ ଓ ନିଜେ ସୁରକ୍ଷିତ ରହିବେ। ଏ ସମୟରେ ଲୋକମାନଙ୍କୁ ସୁସ୍ଥ ରଖିବା ପାଇଁ ୩ ବେଳା ଖାଇବା, ରହିବା ପାଇଁ ଜାଗା ଓ ଶୋଇବା ପାଇଁ ଶେଯ ଯଥେଷ୍ଟ ନୁହେଁ। ଶାରୀରିକ ସ୍ଵାସ୍ଥ୍ୟର ଯତ୍ନ ପାଇଁ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। କୁହାଯାଇଛି ମନ ଓ ଶରୀର ପରସ୍ପର ପରିପୂରକ। ମନ ଭଲ ରହିଲେ ଶରୀର ଉପରେ ପ୍ରଭାବ ପଡେ ଓ ଉତ୍ତମ ଶରୀରର ପ୍ରଭାବ ସର୍ବଦା ମନ ଉପରେ ରହିଛି। ତେବେ କ୍ବାରେଣ୍ଟାଇନ ସେଣ୍ଟରରେ ଲୋକ ପହଞ୍ଚିଗଲେ, ନିଜ ରାଜ୍ୟ ବା ସହରରେ ପହଞ୍ଚିଗଲେ ବୋଲି ଯେ, ଲୋକଙ୍କ ମନରୁ ଭୟ ବା ଚିନ୍ତା ଚାଲିଗଲା ତାହା ନୁହେଁ, ପ୍ରତ୍ୟେକ ଲୋକ, ଯିଏ ବାହାର ରାଜ୍ୟରୁ ଆସିଛି, ସେ ନିଜ ସଙ୍ଗେ ଅସଂଖ୍ୟ ପ୍ରଶ୍ନ ଓ ଭୟ ନେଇ ଆସିଛି।  ସେ ଜାଣିନି ଯେ ସେ Covid -19 ଦ୍ୱାରା ସଂକ୍ରମିତ କି ନୁହେଁ। ୧୪ ଦିନ ଭିତରେ କିଛି ବି ହୋଇପାରେ। ନିଜ ରାଜ୍ୟରେ ପହଞ୍ଚି ବି ନିଜ ପରିବାର ଲୋକଙ୍କୁ ଦେଖି ନ ପାରିବାର କଷ୍ଟ ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେବା ସ୍ୱାଭାବିକ। ଏପରି ସମୟରେ ୧୪ ଦିନରେ ମନରେ କେବଳ ପ୍ରଶ୍ନ ଓ ଭୟ ରହିବ। ପ୍ରଶ୍ନ ଯେ ”ମୁଁ ଯଦି କରୋନା ପଜିଟିଭ ବାହାରିଲି, ତା’ହାଲେ କଣ ମୋ ଘରକୁ କେବେ ଫେରି ପାରିବି?”, ପ୍ରଶ୍ନ ଯେ, ”ଏଠି ଗୋଟାଏ ଘରେ ଏତେ ଲୋକ ରହି କ’ଣ ମୁଁ ନିଜକୁ ସୁରକ୍ଷିତ ରଖିପାରିବି?”, ପ୍ରଶ୍ନ ମଧ୍ୟ ଏହା କି, ”ଯଦି ଘରେ ପହଁଚିଲା ମାତ୍ରେ ମୋର କୌଣସି ଲକ୍ଷଣ ଦେଖାଦେଲା ତା’ହାଲେ ମୋର କଣ ହେବ? ପୁଣି ଥରେ ମୁଁ ମୋ ନିଜ ଘରୁ ଦୂରେଇ ଯିବି ?” ଆର୍ଥିକ ଅସ୍ଥିରତା କଥା କ’ଣ କହିବା, ତାହା ତ ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ ହୋଇପଡ଼ିଛି। ବିଭିନ୍ନ ପ୍ରକାର ପ୍ରଶ୍ନ ଓ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହିବେ ଏ ଲୋକମାନେ। ଆଉ ଭୟ କଥା ନ କହିଲେ ଭଲ। ପ୍ରତ୍ୟେକଟି ପ୍ରଶ୍ନ ନିଜ ସାଙ୍ଗରେ ଭୟକୁ ନେଇ ଜନ୍ମ। ଭୟ ରହିଛି ସଂକ୍ରମିତ ହେବାର, ଭୟ ରହିଛି ପରିବାରକୁ ନ ଫେରିବାର, ଭୟ ନିଜ ଭବିଷ୍ୟତର। ପ୍ରଶ୍ନ ଓ  ଭୟର ତାଲିକା ଖୁବ ଲମ୍ବା ଓ ଏହି  ପରିପ୍ରେକ୍ଷୀରେ ତାଲିକାର ଲମ୍ବା ହେବାଟା ଖୁବ ସ୍ୱାଭାବିକ ମଧ୍ୟ। ତେବେ ସେସବୁ କ’ଣ ଏମିତି ଆମ ମନ ଭିତରେ ରହି ଆମକୁ ଧୀରେ ଧୀରେ ମାନସିକ ସ୍ତରରେ ଦୁର୍ବଳ କରିବ ?

ଥରେ ଭାବିବା ସେସବୁ ଛାତ୍ରଛାତ୍ରୀଙ୍କ ବିଷୟରେ, ଯେଉଁମାନେ ନିଜ କ୍ୟାରିୟର ଅଧାରୁ ଛାଡି ଘରକୁ ଫେରିଆସି ମଧ୍ୟ ଘରେ ପହଞ୍ଚି ପାରିନାହାନ୍ତି। ଆଗକୁ କ’ଣ ଘଟିବ ଜଣାନାହିଁ? ସେମାନଙ୍କ ସାମ୍ନାରେ ଏତେ ଲମ୍ବା ଜୀବନ କିନ୍ତୁ ଏ କରୋନା କଣ ସବୁଥିରେ ପୂର୍ଣ୍ଣଚ୍ଛେଦ ଲଗେଇଦେବ ? ସବୁ ସ୍ବପ୍ନ ଯାହା ସେମାନେ ଦେଖିଥିଲେ, ଯାହା ସାକାର କରିବାକୁ ତାଙ୍କ ବାପା ମା’ ତାଙ୍କୁ ଉତ୍ସାହିତ କରି ବାହାରକୁ ପାଠ ପଢିବାକୁ ପଠେଇଥିଲେ, ସେ ସବୁ କଣ ପାଣିରେ ଗଲା ? ସେଇ ପ୍ରଶ୍ନମାନଙ୍କ ଭିତରେ ଆମ ଛାତ୍ରଛାତ୍ରୀମାନେ ରହିବେ। ଆଉ ଆରପଟେ ଭୟର କଳନା କରିବା କଷ୍ଟକର। ଭୟ ତ ଏବେ ସାରା ବିଶ୍ୱକୁ କାବୁ କରିଛି। ଆଉ ଭୟ ଏକ ଏପରି ମାନସିକ ସ୍ଥିତି ଯେଉଁଠି ମଣିଷ କିଛି ଭଲ ମନ୍ଦ ବିଚାର କରିପାରେନି, ବରଂ କେବଳ ନିଜ ବିଷୟରେ ଭାବେ, ନିଜର କ୍ଷତି, ନିଜର ଲାଭ, ନିଜର ମୂଲ୍ୟ, କେବଳ ନିଜ ଭିତରେ ଘୁରି ବୁଲେ ମୁଣ୍ଡ। କୌଣସି ତର୍କ ସଂଗତ ଚିନ୍ତା କରିହୁଏନି। ନିଜ ବିଷୟରେ ଭାବିବା ଯେ ନିଜକୁ ସବୁବେଳେ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ, ତାହା ଭୁଲ। ନିଜ ବିଷୟରେ ଭାବିଲେ ଆମେ ଆମ ସହ ଯୋଡି ହୋଇ ରହିଥିବା ଲୋକମାନଙ୍କ ବିଷୟରେ ଭାବିବା ଭୁଲି ଯାଉ। ମଣିଷ ବେଳେ ବେଳେ ଭୟରେ ସବୁ ଭୁଲ କାମ ମଧ୍ୟ କରି ବସେ। ବେଳେ ବେଳେ ଏହା ବି ଲାଗେ କି ନିଜେ ପୃଥିବୀରେ ନ ରହିବାଟା ବୋଧେ ସବୁ ସମସ୍ୟାର ସମାଧାନ।

ଏପରି ଏକ ସମ୍ବେଦନଶୀଳ ସମୟରେ ଆମକୁ ଏସବୁ ଲୋକଙ୍କ ବିଷୟରେ ଚିନ୍ତା କରିବା ଆବଶ୍ୟକ। ସେମାନଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ବିଷୟରେ ଭାବି ସେଥିପାଇଁ ପଦକ୍ଷେପ ନେବା ଆମ ରାଜ୍ୟରେ Covid – ୧୯ ପରିଚାଳନା ବ୍ୟବସ୍ଥାର ଗୋଟିଏ ଉନ୍ନତ ଚିନ୍ତାଧାରାର ପରିଚୟ ନିଶ୍ଚୟ ଦେବ। ଏପରି ସମୟରେ କର୍ତ୍ତୃପକ୍ଷ ପ୍ରତ୍ୟେକ କ୍ବାରେଣ୍ଟାଇନ ସେଣ୍ଟରରେ ସାଇକୋଲୋଜିକାଲ କାଉନସେଲିଂର ବ୍ୟବସ୍ଥା କରିବା ନିହାତି ଆବଶ୍ୟକ। ପ୍ରତ୍ୟକ୍ଷ ଭାବେ ନ ହେଲେ ବି ପରୋକ୍ଷ ଭାବେ କାଉନସେଲିଂ ସୁବିଧା ରହିବା ଦରକାର। ଏଭଳି ପରିସ୍ଥିତିରେ ଗ୍ରୁପ କାଉନସେଲିଂର ଉପଯୋଗିତା ଖୁବ ବେଶୀ। ନିଶାମୁକ୍ତି, ସାମ୍ପ୍ରଦାୟିକ ହିଂସାର ଶିକାର ହେଇଥିବା ଲୋକ  ତଥା ବିପର୍ଯ୍ୟୟରେ ପୀଡିତ ଲୋକମାନଙ୍କ ପାଇଁ ଯେପରି ଗ୍ରୁପ୍‌ କାଉନସେଲିଂର ପ୍ରଭାବ ରହିଛି ସେହିପରି ଏହି ପରିସ୍ଥିତିରେ ଗ୍ରୁପ କାଉନସେଲିଂର ବ୍ୟବସ୍ଥା କଲେ ଲୋକମାନେ ଉପକୃତ ହେବେ। ତା’ଛଡା, ଲୋକମାନଙ୍କୁ ଦିନ ସାରା ନିଯୁକ୍ତ ରଖିବା ପାଇଁ କିଛି କ୍ରିୟାକଳାପର ବନ୍ଦୋବସ୍ତ କରିବା ଜରୁରୀ। ବିଭିନ୍ନ କାମରେ ବ୍ୟବସ୍ତ ରହିଲେ ହିଁ ଦୁଶ୍ଚିନ୍ତାରୁ ନିଜକୁ ଦୂରେଇ ରଖି ପାରିବେ। ପ୍ରତ୍ୟେକ ଦିନ କିପରି ନିୟମିତ ଭାବେ କାଟିବା ତାର ଏକ ତାଲିକା ପ୍ରସ୍ତୁତ କରି ସମସ୍ତଙ୍କୁ ବୁଝେଇବା ଦରକାର। ବିଭିନ୍ନ ଥଇଥାନ କେନ୍ଦ୍ରରେ ଯେମିତି ଅନ୍ତେବାସୀଙ୍କ ପାଇଁ ନିୟମାବଳୀ ପ୍ରସ୍ତୁତ ହେଇଥାଏ, ସେପରି ଏକ ନିୟମାବଳୀ ହେବା ଉଚିତ ଯାହା ଲୋକମାନଙ୍କୁ ବିଭିନ୍ନ କାମରେ ନିଯୁକ୍ତ ରଖିବାରେ ସାହାଯ୍ୟ କରିପାରିବ। ତେବେ, ବର୍ତ୍ତମାନ ପାଇଁ ମନ୍ତ୍ର ହେଲା, ‘‘ନିଜେ ସୁରକ୍ଷିତ ରହିବI ଓ ଅନ୍ୟକୁ ମଧ୍ୟ ସୁରକ୍ଷିତ ରହିବାରେ ସାହାଯ୍ୟ କରିବା’’। ଏପରି କଠିନ ସମୟରେ ଆମ ସମସ୍ତଙ୍କୁ ସରକାରଙ୍କ ସହ ସହଯୋଗ କରି କରୋନାର ମୁକାବିଲା କରିବାକୁ ହେବ।

Comments
Loading...