ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: ବୃହତ୍ତର ପୀଠ ଗଠନ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧୀ କରି ଦାୟର ପିଟିସନଗୁଡିକ ସୁପ୍ରିମକୋର୍ଟଙ୍କ ବୃହତ୍ତର ପୀଠରେ ଶୁଣାଣି ହେବ କି ନାହିଁ ସେସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷଣ ରଖିଛନ୍ତି। ଗୁରୁବାର ସୁପ୍ରିମକୋର୍ଟଙ୍କ ୫ଜଣିଆ ବିଚାରପତି ପୀଠ ଏହି ପ୍ରସଙ୍ଗ ଉପରେ ଶୁଣାଣି କରିବା ପରେ ରାୟ ସଂରକ୍ଷଣ ରଖିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଏନଭି ରମଣା, ଏସକେ କୌଲ, ଆର ସୁବାଷ ରେଡ୍ଡି, ବି ଗଭାଇ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ପୀଠ ବିଭିନ୍ନ ପିଟିସନ ଗୁଡିକ ଉପରେ ଶୁଣାଣି କରିଥିଲେ। ଶୁଣାଣି ପରେ ଏହାର ବିଚାର ନିମନ୍ତେ ବୃହତ୍ତର ପୀଠ ଗଠନ ହେବ କି ନାହିଁ ତା’ ଉପରେ ନିଷ୍ପତ୍ତି ନେବା ସହ ଏହାର ରାୟକୁ ସଂରକ୍ଷଣ ରଖିଛନ୍ତି। ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ କେନ୍ଦ୍ର ସରକାର ଅଗଷ୍ଟ ୫ରେ ଉଚ୍ଛେଦ କରିଥିଲେ। ଏହି ଉଚ୍ଛେଦକୁ କେନ୍ଦ୍ର ସରକାର ଯଥାର୍ଥ ଦର୍ଶାଇଛନ୍ତି। ଏହି ଧାରା ଉଚ୍ଛେଦ ଦ୍ବାରା ଜାମ୍ମୁ-କାଶ୍ମୀର ଭାରତର ଅନ୍ୟ ଅଂଶ ସହିତ ମିଶ୍ରଣ ହୋଇଛି। ବିରୋଧୀ ପକ୍ଷର ଜଣେ ଆବେଦନକାରୀଙ୍କ ପାଇଁ ଯୁକ୍ତି ବାଢି ଓକିଲ ରାଜଦୀପ ଧାୱନ କହିଥିଲେ ଯେ ପ୍ରଥମ ଥର ପାଇଁ ସମ୍ବିଧାନର ଧାରା ୩କୁ ଉପଯୋଗ କରାଯାଇ ଏକ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଆଗାମୀ ଦିନରେ ସରକାର ଅନ୍ୟ ରାଜ୍ୟ ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାର ଆଶଙ୍କା ରହିଛି।

Comments are closed.