କଳା ଶିକ୍ଷକଙ୍କ କେଳେଙ୍କାରୀ, ୪ ଯୁବତୀଙ୍କୁ ବିବାହ କରି ଗିରଫ

ସାଲେପୁର: କଟକ ଜିଲା ସାଲେପୁର ବ୍ଲକର ଗୋପୀନାଥପୁର ମଡେଲ ହାଇସ୍କୁଲରେ ୪ବର୍ଷ ଧରି ପାର୍ଟଟାଇମ୍ କଳା ଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଥିବା କୃଷ୍ଣଚନ୍ଦ୍ର ନାୟକଙ୍କୁ କଟକ ମହିଳା ଥାନା ପୁଲିସ୍ ଶୁକ୍ରବାର ଗିରଫ କରିଛି। ତାଙ୍କ ବିରୋଧରେ ୨ ଜଣ ପତ୍ନୀ ଅଭିଯୋଗ କରିବା ପରେ ମହିଳା ଥାନା ପୁଲିସ୍ ଗୋପୀନାଥପୁର ହାଇସ୍କୁଲରୁ ତାଙ୍କୁ ଉଠାଇ ଆଣିଛି। କୃଷ୍ଣଚନ୍ଦ୍ର ୨୦୦୧ରେ କଟକର ରାଉସାପାଟଣାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। କିଛିବର୍ଷ ହେଲା ସେ ଭିନ୍ନ ବାହାନା କରି ଘରକୁ ଆସୁନଥିଲେ। ପରେ ସେ ଅନ୍ୟ ଜଣେ ଝିଅଙ୍କୁ ଭଲପାଇ ବିବାହ କରିଥିଲେ।

ଏ କଥା ପତ୍ନୀ ଓ ତାଙ୍କ ପରିବାର ଲୋକେ ଜାଣି ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ ହେଁ ତାଙ୍କ ବିରୋଧରେ ସେତେବେେଳ କୌଣସି ପଦକ୍ଷେପ ନେଇ ନଥିଲେ। ୨୦୧୬ରେ କୃଷ୍ଣଚନ୍ଦ୍ର ପୁଣି କଟକ ଶିଶୁଭବନର ଜଣେ ନର୍ସଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ଗତବର୍ଷ ଲକ୍ଡାଉନ୍ ସମୟରେ ପାଗା ଗୋପୀନାଥପୁର ଅଞ୍ଚଳର ଆଉ ଜଣେ ଝିଅକୁ ବିବାହ କରିଛନ୍ତି। ୪ଜଣ ଝିଅକୁ ବିବାହ କରିଥିବା କୃଷ୍ଣଚନ୍ଦ୍ରଙ୍କ ବିରୋଧରେ ପ୍ରଥମ ପତ୍ନୀ ଓ ତୃତୀୟ ପତ୍ନୀ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ମହିଳା ପୁଲିସ କୃଷ୍ଣ ଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.