ଆର୍ଟ ଅଫ ଲିଭିଂ କାର୍ଯ୍ୟକ୍ରମ ଉପରେ ହାଇକୋର୍ଟଙ୍କ ରହିତାଦେଶ

0

ଚେନ୍ନଇ : ଆଧ୍ୟାତ୍ମ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ବାରା ପରିଚାଳିତ ଅନୁଷ୍ଠାନ ଆର୍ଟ ଅଫ ଲିଭିଂ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମ ଉପରେ ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ଶୁକ୍ରବାର ରହିତାଦେଶ ଜାରି କରିଛନ୍ତି। ତାମିଲନାଡରୁ ଥାଞ୍ଜାଭୌର ଜିଲା ବ୍ରିହଦିଶବରା ମନ୍ଦିରରେ ଆର୍ଟ ଅଫ ଲିଭିଂ ପକ୍ଷରୁ ଡିସେମ୍ବର ୭ ଓ ୮ ଦୁଇଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ଉପରେ ରହିତାଦେଶ ଜାରି କରାଯାଇଛି। ମନ୍ଦିର ପରିସରରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅନୁମତି ପ୍ରଦାନ କରିବା ପରେ ବିବାଦ ଦେଖାଯାଇଥିଲା। କାର୍ଯ୍ୟକ୍ରମ ପାଇଁ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ଏକାଦଶ ଶତାବ୍ଦୀର ଏହି ଶିବ ମନ୍ଦିର ପରିସରରେ ଲୁହା ଛଡର ବ୍ୟବହାର କରାଯାଇ ଅସ୍ଥାୟୀ ପେଣ୍ଡାଲ ନିର୍ମାଣ କରାଯାଇଥିଲା। ଯେଉଁଠାରେ ୨୦୦୦ ଅନୁଗାମୀଙ୍କ ସମାଗମ ହୋଇଥିଲା। କାର୍ଯ୍ୟକ୍ରମ ଯୋଗୁଁ ମନ୍ଦିରର ଶୋଭା ନଷ୍ଟ ହେବା ଅଭିଯୋଗ କରି କେତେକ ପରିବେଶବିତ୍ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ଆର୍ଟ ଅଫ୍ ଲିଭିଂର କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ଏହି ବିଶ୍ବ ଐତିହ୍ୟସ୍ଥଳର କ୍ଷତି ହେବ। ତେଣୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ। ୨୦୧୬ରେ ଆର୍ଟ ଅଫ୍ ଲିଭିଂ ଦ୍ବାରା ଯମୁନା ନଦୀ କୂଳରେ ଆୟୋଜିତ ‘ବିଶ୍ବ ସାଂସ୍କୃତିକ ଉତ୍ସବ’ ଆୟୋଜନକୁ ନେଇ ବିବାଦ ଦେଖାଯାଇଥିଲା। ଏଥିପାଇଁ ଜାତୀୟ ସବୁଜ ପ୍ରାଧିକରଣ ଆର୍ଟ ଅଫ ଲିଭିଂ ଉପରେ ୫କୋଟି ଟଙ୍କା ଜୋରିମାନା ଧାର୍ଯ୍ୟ କରିଥିଲେ।

Leave A Reply