କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ, ଭାରତକୁ ମିଳିଛି ଆନ୍ତର୍ଜାତିକ ସମର୍ଥନ: ଅଶ୍ୱିନୀ ବୈଷ୍ଣବ

କଟକ : ଭାରତ ଇତିହାସରେ ୨୦୧୯ ଅଗଷ୍ଟ ୫ ଏକ ଐତିହାସିକ ଦିନ। ଏହି ଦିନ ସଂସଦରେ ୩୭୦ ଧାରା ଉଚ୍ଛେଦ ନେଇ ବଧିବଦ୍ଧଭାବେ ବିଲ ପାରିତ ହୋଇଥିଲା। ଯୋଜନାବଦ୍ଧ ଭାବେ ଏହି କାର୍ଯ୍ୟ କରାଯାଇ ସଫଳତା ମିଳିଲା। ଏଥିପାଇଁ ଭାରତକୁ ଆନ୍ତର୍ଜାତିକ କ୍ଷେତ୍ରରେ ସମର୍ଥନ ମିଳିଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ବଜ୍ରକବାଟି ରୋଡ୍‍ସ୍ଥିତ ମହାବୀର ଗାଲାକ୍ସିର ସମ୍ମିଳନୀ କକ୍ଷରେ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଷ୍ଣବ କହିଲେ, ୧୯୪୭ ଅକ୍ଟୋବରରେ ରାଜା ହରି ସିଂ ଭାରତ ସହ କାଶ୍ମୀର ମିଶ୍ରଣ ନେଇ ଲଡ୍‍ ମାଉଣ୍ଟବ୍ୟାଟେନଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ। ସେବେଠାରୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି। ଧାରା ୩୭୦ପରେ ୧୯୫୨ରେ ଆସିଲା। ଏହି ଧାରା ଅସ୍ଥାୟୀ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଦୃଷ୍ଟି ସ୍ପଷ୍ଟ ରହିଛି। କାଶ୍ମୀରରୁ ଏହି ଧାରା ଉଠିବା ପରେ କାଶ୍ମୀରବାସୀ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧାସୁଯୋଗ ପାଇବେ ବୋଲି ସେ କହିଥିଲେ। କାଶ୍ମୀରରେ ସ୍ୱାସ୍ଥ୍ୟ, ଶିକ୍ଷା ସମେତ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ହୋଇପାରୁ ନଥିଲା। ଏକ ବଡ଼ ଗୋଷ୍ଠୀ କାଶ୍ମୀରବାସୀଙ୍କୁ ଅନ୍ଧାରରେ ରଖିଥିଲେ। କେନ୍ଦ୍ର ଅନୁଦାନକୁ ସେମାନେ ଆତ୍ମସାତ୍‍ କରୁଥିଲେ। ସାଧାରଣ ଲୋକଙ୍କୁ କୌଣସି ସରକାରୀ ସୁବିଧା ନ ମିଳୁ ଏହା ସେହି ଗୋଷ୍ଠୀର ବ୍ୟବସ୍ଥା ଥିଲା। ଅନୁରୂପ ଭାବରେ ଧାରା ୩୫(କ)କୁ ସଂଶୋଧନ କରାଯାଇଛି। ଆଇଆଇଏମ୍‍ଏସ୍‍, ଆଇଆଇଟି, ଆଇଆଇଏମ୍‍ ଭଳି ଅନୁଷ୍ଠାନ ଖୋଲିବାର ରାସ୍ତା ପରିସ୍କାର ହୋଇଛି। ସେଠାରେ ସ୍ଥିତି ସ୍ୱାଭାବିକ କରାଯିବା ପରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସେ କହିଥିଲେ। ପାକିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ଶ୍ରୀ ବୈଷ୍ଣବ କହିଲେ, ପାକିସ୍ତାନ ଜାଣିସାରିଲାଣି ଭାରତ ଯାହା କରୁଛି ଠିକ୍‍ କରୁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ବାଲାକୋଟ ଆକ୍ରମଣକୁ ସ୍ୱୀକାର କରିଛନ୍ତି। ବାଲାକୋଟରୁ ପାକିସ୍ତାନକୁ ଯେଉଁ ଶିକ୍ଷା ମିଳିଛି ଆଉ କିଛି କରିବା ପାଇଁ ସେ ସାହାସ କରିବନି। ପାକିସ୍ତାନ କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିଲା। ଭାରତରୁ କାଶ୍ମୀରକୁ ଯାଉଥିବା ଅନୁଦାନ ତୃଣମୂଳ ସ୍ତରରେ ପହଞ୍ଚିି ପାରୁ ନଥିଲା। ଏଣିକି କାଶ୍ମୀରରେ ଗଣତାନ୍ତ୍ରିକ ବ୍ୟବସ୍ଥା ଖୁବ୍‍ ଶୀଘ୍ର ଚାଲୁ ହୋଇଯିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ। ବିଜେପି କଟକ ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପାର୍ଟିର ରାଜ୍ୟ ଉପସଭାପତି ନୟନକିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ସମୀର ଦେ, ପ୍ରବକ୍ତା ସଜ୍ଜନ ଶର୍ମା, ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ, ପ୍ରାକ୍ତନ କୋଷାଧ୍ୟକ୍ଷ ବିନୋଦ ଦାସ, କଟକ ସଦର ଜିଲା ସଭାପତି ଚୌଧୁରୀ ହେମନ୍ତ ସାହୁ, ମିଡିଆ ସେଲ ପ୍ରମୁଖ ଜୟଦେବ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.