ନିଶ୍ଚିନ୍ତକୋଇଲି ଓ ନେମାଳ ପୁଲିସର ବଡ ସଫଳତା : ୫ ଚୋର ସହ ଚୋରି ସାମଗ୍ରୀ ଜବତ

ନେମାଳ : ନିଶ୍ଚିନ୍ତକୋଇଲି ଓ ନେମାଳ ଥାନା ମିଳିତ ଉଦ୍ୟମରେ ଜିଲା ସ୍ତରରେ ଡକାୟତ ଗ୍ୟାଙ୍ଗକୁ ଗିରଫ କରି ଏକ ବଡ ସଫଳତା ମଳିଥିବା ଜଣାପଡିଛି। ବିଭିନ୍ନ ସ୍ଥାନରୁ ଚୋରି କରିଥିବା ବିପୁଳ ପରିମାଣରେ ଚୋରି ସାମଗ୍ରୀ ପୁଲିସ ଜବତ କରିଥିବା କଟକ ଜିଲା ଅତିରିକ୍ତ ଏସ୍‍ପି ପ୍ରଦ୍ୟୁମ୍ନ କୁମାର ଜେନା ସୋମବାର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଏହି ୫ ଜଣଙ୍କ ସମେତ ଅନ୍ୟ ତିନି ଜଣ ମିଶି ଏକ ଗ୍ୟାଙ୍ଗ କରି ବିଭିନ୍ନ ସ୍ଥାନରୁ ଲୁଟ୍‍ ପାଟ କରୁଥିବା ଜଣାପଡିଛି। ଏହି ୫ ଜଣଙ୍କ ମଧ୍ୟରେ ପୂର୍ବରୁ ମାରୁତି ଓ ରାଜୁ ଦୁଇ ଜଣ ଏକ ହତ୍ୟା ମାମଲାରେ ଜେଲ ଯାଇ ଫେରିଥିଲେ। ଏହି ୫ ଜଣଙ୍କ ମଧ୍ୟରେ ଚାରିି ଜଣ ନିଶ୍ଚିନ୍ତକୋଇଲି ଅଞ୍ଚଳର ଯଥା ନିଶ୍ଚିନ୍ତକୋଇଲି ବାରମାଣିଆ ଗ୍ରାମର ରାଜକିଶୋର ସାହୁ(ରାଜୁ) ୨୨ ବର୍ଷ, ମାରୁତି ବେହେରା (ବାବୁ) ୩୦ ବର୍ଷ, କାହ୍ନା ଦାସ (୧୮) ଓ ସରପଡା ଗ୍ରାମର କାର୍ତ୍ତିକ ଦାସ (ଆଦି)୩୨ ବର୍ଷ ଅଟନ୍ତି। ଅନ୍ୟଜଣେ ଜଗତ୍‍ସିଂହପୁର ଜିଲା କୁଜଙ୍ଗ ଥାନା ଅଧିନସ୍ଥ ପଂକପାଳ ଗ୍ରାମର ପ୍ରକାଶ ରାଉତଙ୍କ ପୁତ୍ର ବିଭୂନା ରାଉତ(ଶିବ) ୨୪ ବର୍ଷ ଅନ୍ତର୍ଭୁକ୍ତ ଅଟନ୍ତି।

ଏହି ୫ ଜଣଙ୍କ ନାଁରେ ନିଶ୍ଚିନ୍ତକୋଇଲି, ଜାରକା, ଯାଜପୁର, ଯାଜପୁର ଟାଉନ, ଜଙ୍କିଆ, ମାହାଙ୍ଗା,ନେମାଳ, କିଶୋରନଗର, ସାଲେପୁର ଆଦି ଥାନରେ ବହୁ ମାମଲା ରହିଥିବା ଜଣାଯାଇଛି। ଚୋରି ହୋଇଥିବା ବିଭିନ୍ନ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଥାନାରେ ୮୩/୧୫.୦୬.୨୦୨୦ରେ ଏକ ମାମଲା ରୁଜୁ କରିବା ସହିତ ମଙ୍ଗଳବାର ଦିନ ଏହି ୫ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ଏଠାରେ ସୂଚନା ଯୋଗ୍ୟ ଯେ ଗତ ୯ ତାରିଖ ବିଳମ୍ବିତ ରାତ୍ରିରେ କିଶୋରନଗର ଥାନା ଅଧିନସ୍ଥ ବାବୁଜଙ୍ଗ ଗ୍ରାମର ସ୍ୱାଧୀନ ଭୂୟାଁଙ୍କ ଘରୁ ଏହି ଗ୍ୟାଙ୍ଗ୍‍ର ୫ ଜଣ ଏକ ବୋଲେରୋ ଗାଡି ନଂ ଓଡି ୦୨ – ଟି ୪୫୦୨ ରେ ଯାଇ ତାଙ୍କ ବୁଲେଟ୍‍ ନଂ ଓ ଆର ଏନ୍‍ – ୫୦୦୬କୁ ଚୋରି କରି ନେଇଥିଲେ। ଉକ୍ତ ଘଟଣା ସଂକ୍ରାନ୍ତରେ ଭୂୟାଁ ମାହାଳହାଟ ଫାଣ୍ଡିରେ ଅଭିଯୋଗ କରିବା ପରେ ବିଭିନ୍ନ ଥାନାରେ ଏ ସଂକ୍ରାନ୍ତରେ ଅବଗତ କରାଇଥିଲେ। ଏହି ଗ୍ୟାଙ୍ଗ୍‍ର ଡକାୟତିମାନେ ଚାରି ଦିନ ତଳେ ନିଶ୍ଚିନ୍ତକୋଇଲି ବଜାରରେ ବୁଲୁଥିଲା ବେଳେ ପୋଲିସ ତାଙ୍କୁ କାବୁ କରିଥିଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଥାନାରେ ଅଟକ ରଖି ସେମାନଙ୍କୁ ପଚରା ଉଚରା କରି ବିଭିନ୍ନ ସ୍ଥାନରେ ରଖିଥିବା ୬୭ ଟି ଆଇଟମର ଚୋରି ସାମଗ୍ରୀ ଉଦ୍ଧାର କରିଛି। ଏହାଛଡା ଜିଲାର ବିଭିନ୍ନ ସ୍ଥାନରୁ ଚୋରି କରି ବହୁ ଜିନିଷ ବିକ୍ରି କରିଦେଇଥିବା ବେଳେ ଅନେକ ଜିନିଷକୁ ପୁଲିସ ଜବତ କରିଛି। ଏହି ୫ଜଣ ଡାକୟତି ଗ୍ୟାଙ୍ଗ୍‍ରେ ଆଉ ତିନି ଜଣ ରହିଥିବା ପୋଲିସ ସୂତ୍ରରୁ ଜଣାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ଅତିରିକ୍ତ ଏସ୍‍ ପି ପ୍ରଦ୍ୟୁମ୍ନ କୁମାର ଜେନା, ଡିଏସ୍‍ପି ରଂଜିତ ପୃଷ୍ଟି,ନେମାଳ ଆଇଆଇସି ନିହାର ରଞ୍ଜନ ମହାନ୍ତି ନିଶ୍ଚିନ୍ତକୋଇଲି ଆଇ ଆଇ ସି ଶୁଭ୍ରାଂଶୁ ଶେଖର ପରିଡାଙ୍କ ସମେତ ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.