ଆନ୍ତଃରାଜ୍ୟ ଜାଲ ଟ୍ରକ କାଗଜପତ୍ର ପ୍ରସ୍ତୁତ ରାକେଟ୍‍ ଠାବ: ଜଣେ ଗିରଫ

ତାଳଚେର: ତାଳଚେର ଅଞ୍ଚଳରେ ଆନ୍ତଃରାଜ୍ୟ ଜାଲ କାଗଜପତ୍ରରେ ଚୋରା କୋଇଲା ଚାଲାଣ କରୁଥିବା ଟ୍ରକକୁ ପୁଲିସ ଧରିବା ସହିତ ଏ ସଂକ୍ରାନ୍ତରେ ଜଣକୁ କୋର୍ଟ ଚାଲାଣ କରିଛି। ଏହି ରାକେଟ୍‍ର ଦୁର୍ବୃତ୍ତମାନେ ବିଭିନ୍ନ ଘରୋଇ ଅର୍ଥଲଗାଣ ସଂସ୍ଥାରୁ ଟ୍ରକକୁ ଋଣରେ ଆଣି ପରିଶୋଧ କରିନଥିଲା ବେଳେ ନାଗାଲାଣ୍ଡ, ମଧ୍ୟପ୍ରଦେଶ, ସମ୍ବଲପୁର, ଇନ୍ଦୋର ଓ ତାଳଚେରର ନମ୍ବର ପ୍ଲେଟ୍‍, ଇଞ୍ଜିନ୍‍ ଓ ଚେସିସ୍‍ ପରିବର୍ତ୍ତନ କରି ଚୋରା କୋଇଲା କାରବାରରେ ନିୟୋଜିତ କରିଥିବା ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଗତକାଲି ତାଳଚେର ଜଗନ୍ନାଥ ମନ୍ଦିର ନିକଟରୁ ଏମ୍‍ଏଚ୍‍ ୧୮ଏଏ ୫୩୫୪ ନମ୍ବର ଟ୍ରକ୍‍ରେ କୋଇଲା ବୋଝେଇ ହୋଇ ବାହାରକୁ ଚାଲାଣ ହେଉଥିଲା ବେଳେ ପୁଲିସ ଏହାକୁ ଧରିଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା ବେଳେ ଏଥିରେ ସଂପୃକ୍ତ ପ୍ରଦୀପ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପୁଲିସ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଥିବା ଜଣାପଡ଼ିଛି। ତାଳଚେର ଅଞ୍ଚଳରେ ଅନେକ ଟ୍ରକ୍‍ ଚୋରା କୋଇଲା କାରବାରରେ ନିୟୋଜିତ ରହିଛି। ଏହି ଜାଲ କାଗଜପତ୍ର ପ୍ରସ୍ତୁତ କରୁଥିବା ରାକେଟ୍‍ କୋଇଲା ଚୋରିରେ ସକ୍ରିୟ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଚଳିତ ମାସ ସୁଦ୍ଧା ୭ଟି ଚୋରା କୋଇଲା ଟ୍ରକ୍‍କୁ ପୁଲିସ ଧରିବା ସହିତ ବ୍ୟବହୃତ ଲୋଡର, ମେସିନ୍‍ ଓ କୋଇଲା, ଡିଜେଲ୍‍ ଜବତ କରିଥିବା ଜଣାପଡ଼ିଛି। ଏହି ରାକେଟର କିଙ୍ଗପିନ୍‍ ପ୍ରଦୀପ କୁମାର ଦାସର ଘର ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିଗିରି ଗ୍ରାମରେ ହୋଇଥିଲା ବେଳେ ସେ ତାଳଚେର ଥାନା ଅନ୍ତର୍ଗତ ମହାଦେବ ବିହାର ଅଞ୍ଚଳରେ ରହୁଥିବା ପୁଲିସ ସୂତ୍ରରୁ ପ୍ରକାଶ।

Comments are closed.