ସୁରଟରେ ଫସିଛନ୍ତି ରେଢ଼ାଖୋଲର ପ୍ରାୟ ୪୦ ଯୁବକ ; ଉଦ୍ଧାର ପାଇଁ ଆକୁଳ ନିବେଦନ 

ରେଢ଼ାଖୋଲ : ଏବେ ସମଗ୍ର ବିଶ୍ୱକୁ କବଳିତ କରିଛି କୋରନା ଭୁତାଣୁର ସଂକ୍ରମଣ। ଏହାକୁ ମୁକାବିଲା କରିବାକୁ ସମଗ୍ର ଦେଶରେ ଆସନ୍ତା ମାସ ୧୪ ତାରିଖ ପର୍ଯ୍ୟନ୍ତ ‘ଲକ୍‍ ଡାଉନ୍‍’ ଘୋଷଣା କରାଯାଉଛି। ଏହି ଲକ୍‍ ଡାଉନ୍‍ ଯୋଗୁଁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକର ବିଭିନ୍ନ ଗ୍ରାମର ପ୍ରାୟ ୩୦ରୁ ୪୦ ଜଣ ଯୁବକ ଗୁଜୁରାଟର ସୁରଟ ସହରର ସଚିନ ଥାନା ଅନ୍ତର୍ଗତ ଜଲାରାମନଗରରେ ଫସି ରହିଛନ୍ତି। ଫସି ରହିଥିବା ଯୁବକମାନେ ରେଢ଼ାଖୋଲ ଏନଏସିର ଝାରପଡ଼ା, ପୁରୁଣାଗଡ଼ ଓ ରେଢ଼ାଖୋଲ ବ୍ଳକର ରତ୍ନାବଡ଼ମାଳ, ବୁର୍ଡ଼ା, ନାକ୍‍ଟିଦେଉଳ ବ୍ଲକର ତେରବେଡ଼ା, କଞ୍ଚନପୁର ଅଞ୍ଚଳର। ସଂପୃକ୍ତ ଯୁବକ ମାନେ ସୁରଟର ଦୁରା ତେକ୍ସଟାଇଲ ନାମକ ଏକ କପଡା କାରଖାନାରେ କାମ କରୁଥିଲେ। ପ୍ରଥମେ ଜନତା କର୍ଫ୍ୟୁ ଓ ତା’ପରେ ୨୧ଦିନ ସାରା ଦେଶକୁ ଲକ୍‍ଡାଉନ୍‍ ଘୋଷଣା କରି ଦିଆଯିବା ଫଳରେ ସବୁ କମ୍ପାନୀ ବନ୍ଦ ହେବା ସହିତ ଟ୍ରେନ୍‍ ଚଳାଚଳ ମଧ୍ୟ ବନ୍ଦ ଅଛି।

ତେଣୁ ସେମାନେ କୌଣସି ଉପାୟରେ ଆଉ ଘରକୁ ଫେରିପାରୁ ନାହାନ୍ତି ଏବଂ ସେମାନଙ୍କ ପାଖରେ ଆଉ ଖାଇବା ପିଇବା ପାଇଁ କିଛି ନାହଁ। ଏଥିପ୍ରତି ଓଡ଼ିଶା ସରକାର ଦୃଷ୍ଟିଦେଇ ଅସୁବିଧାରେ ଥିବା ଯୁବକ ମାନଙ୍କୁ ଖାଦ୍ୟପେୟର ବ୍ୟବସ୍ଥା କରିବା ସହିତ ସୁରକ୍ଷିତ ଅବସ୍ଥାରେ ଘରକୁ ଫେରାଇ ଆଣିବାର ବନ୍ଦୋବସ୍ତ କରିବାକୁ ଏହି ଯୁବକମାନେ ଆକୁଳ ନିବେଦନ କରିଛନ୍ତି।

Comments are closed.