ଅର୍ଣ୍ଣବଙ୍କୁ କାରଣ ଦର୍ଶାଅ ନୋଟିସ

ମୁମ୍ବଇ : ରିପବ୍ଲିକ ଟେଲିଭିଜନର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁମ୍ବଇ ପୁଲିସ କାରଣ ଦର୍ଶାଅ ନୋଟିସ ଜାରି କରିଛି। ନୋଟିସରେ ତାଙ୍କ ବିରୋଧରେ ସିଆରପିସିର ଧାରା ୧୦୮ ଅନୁଯାୟୀ କାହିଁକି ମାମଲା ଚାଲୁ କରା ନଯିବ ତାହା ଜଣାଇବାକୁ କୁହାଯାଇଛି। ଅକ୍ଟୋବର ୧୦ରେ ଏହି ନୋଟିସ ଜାରି କରାଯାଇଛି। ମୁମ୍ବଇ ୱର୍ଲି ଡିଭିଜନର ଅତିରିକ୍ତ ପୁଲିସ କମିସନର ଏହି ନୋଟିସ ଜାରି କରିବା ସହିତ ଅର୍ଣ୍ଣବଙ୍କୁ ଅକ୍ଟୋବର ୧୬ରେ ହାଜର ହେବାକୁ କୁହାଯାଇଛି। ପାଲଘରରେ ଦୁଇଜଣ ସାଧୁଙ୍କୁ ପିଟିପିଟି ହତ୍ୟା କରାଯିବା ଓ ଲକଡାଉନ ସମୟରେ ବାନ୍ଦ୍ରାରେ ପ୍ରବାସୀ ଶ୍ରମିକ ଏକାଠି ହେବା ଘଟଣାର ପ୍ରସାରଣକୁ ଆପତ୍ତିଜନକ ଦର୍ଶାଇ ପୁଲିସ ଅର୍ଣ୍ଣବଙ୍କୁ ଏହି ନୋଟିସ ଜାରି କରିଛି। ନୋଟିସରେ କୁହାଯାଇଛି ଯେ ପାଲଘର ଘଟଣାକୁ ଅର୍ଣ୍ଣବ ଓ ତାଙ୍କ ଟିଭି ଚାନେଲ ସାମ୍ପ୍ରଦାୟିକ ରୂପ ଦେବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ଅର୍ଣ୍ଣବଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି। ଏନଏମ ଜୋଷୀ ମାର୍ଗ ଥାନା ଓ ପିଧୋନି ଥାନାରେ ଏହି ଦୁଇଟି ମାମଲା ରୁଜୁ କରାଯାଇଛି।

Comments are closed.