ରାତିରେ ପଡ଼ୋଶୀଙ୍କ ଘରେ ପଶି ସୈନିକ ଗିରଫ

ନୀଳଗିରି : ବିଳମ୍ବିତ ରାତିରେ ପଡ଼ୋଶୀଙ୍କ ଘରେ ପଶି ଅସଦାଚରଣ ସହ ପାଟିତୁଣ୍ଡ କରିବା ଅଭିଯୋଗରେ ଜଣେ ସୈନିକଙ୍କୁ ପୁଲିସ ଗିରଫ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ଅଧୀନ ବରହମପୁର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଥାନା ଅଧୀନ ତଥା ବରହମପୁର କଲେଜ ଛକ ନିକଟରେ ଶନିବାର ରାତି ପ୍ରାୟ ଗୋଟାଏ ସମୟରେ ସେନାରେ ଚାକିରି କରିଥିବା ଦେବେଶ ମିଶ୍ର (୨୨) ସେହି ଅଞ୍ଚଳର ଜଣେ ପଡ଼ୋଶୀଙ୍କ ଘର ଭିତରକୁ ପଶି ଯାଇଥିଲେ। ଏନେଇ ଜଣେ ମହିଳା ଚିତ୍କାର କରିବା ସହ ତାଙ୍କ ପରିବାର ଓ ପାଖ ପଡ଼ୋଶୀ ଉଠିପଡ଼ି ସମ୍ପୃକ୍ତ ସୈନିକଙ୍କୁ ବାନ୍ଧି ଦେଇ ନିସ୍ତୁକ ଛେଚିଥିଲେ। ଅଟକ ରଖାଯାଇଥିବା ସୈନିକଙ୍କୁ ବରହମପୁର ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ରବିବାର ସକାଳେ ଏ ସମ୍ପର୍କରେ ମହିଳାଙ୍କ ଶ୍ୱଶୁର ଥାନାରେ ଅଭିଯୋଗ କରିବା ପରେ ଏଏସଆଇ ପ୍ରକାଶ ଗୋସ୍ୱାମୀ ଏଥିନେଇ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତକୁ ହାଜତରେ ଅଟକ ରଖିଛନ୍ତି। କୋଭିଡ ପରୀକ୍ଷା ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସୈନିକ ଜଣକ କେଉଁ ଉଦେଶ୍ୟରେ ପଡ଼ୋଶୀଙ୍କ ଘରେ ପଶିଥିଲେ ତାହାକୁ ନେଇ ସମ୍ପ୍ରତି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Comments are closed.