ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ସାଲ୍ୟୁଟ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତ ୭୨ତମ ସେନା ଦିବସ ପାଳନ କରିଛି। ସେନା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ଅଭିବାଦନ ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି , “ଭାରତୀୟ ସେନା ଭାରତମାତାର ଗର୍ବ ଓ ଗୌରବ । ସେନା ଦିବସ ଉପଲକ୍ଷେ ମୁଁ ସମସ୍ତ ସୈନିକଙ୍କ ଅଦମ୍ୟ ସାହସ, ଶୌର୍ୟ୍ୟ ଏବଂ ପରାକ୍ରମକୁ ସମ୍ମାନ ଜଣାଉଛି।”

କାଶ୍ମୀରରେ ପ୍ରବଳ ବରଫଝଡରେ ଫଶିଯାଇଥିବା ଜଣେ ଗର୍ଭବତୀ ମହିଳା ଶାମିମାଙ୍କୁ ଭାରତୀୟ ସେନାର ୧୦୦ ଯବାନ ଏବଂ ୩୦ ଜଣ ସାଧାରଣ ନାଗରିକ ଉଦ୍ଧାର କରି ଷ୍ଟେଚରରେ ପ୍ରାୟ ୪ ଘଣ୍ଟା ଯାତ୍ରା କରିବା ପରେ ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଶାମିମା ଏକ ସନ୍ତାନ ଜନ୍ମ ଦେଇଥିଲେ। ବର୍ତ୍ତମାନ ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି।

 

ଭାରତୀୟ ସେନାର ଯବାନ ମାନେ ଅଦ୍ୟମ ସାହାସ ଦେଖାଇ ପ୍ରବଳ ବରଫଝଡ ସତ୍ତ୍ବେ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାରୁ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି“ ଆମ ସେନା ବୀରତ୍ୱ ଓ ଉତ୍ସର୍ଗୀକୃତ ଭାବନା ପାଇଁ ଜଣାଶୁଣା । ଏହା ମଧ୍ୟ ନିଜର ମାନବୀୟ ମୂଲ୍ୟବୋଧ ପାଇଁ ସମ୍ମାନର ହକଦାର । ଯେତେବେଳେ ଜନସାଧାରଣ ସେମାନଙ୍କ ସାହାଯ୍ୟ ଲୋଡିଥାନ୍ତି, ସେନାବାହିନୀ ସଦାସର୍ବଦା ସେମାନଙ୍କ ସହ ଛିଡା ହୋଇଥାନ୍ତି ଏବଂ ସେମାନଙ୍କ ସେବା କରିଥାନ୍ତି । ଆମ ସେନାବାହିନୀ ପାଇଁ ଆମେ ଗର୍ବିତ ।”

Comments are closed.